• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଜଣେ ଦିବ୍ୟାଙ୍ଗ ଲାଗି ୪୨ ବର୍ଷର ନିଷ୍ପତ୍ତି ବଦଳାଇ ଦେଲେ । ଦିନେ ଶପଥ ନେଇଥିଲେ କେବେ ବିବାହ କରିବେନି ବୋଲି, ହେଲେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କ ଲାଗି ସବୁକିଛି ଭୁଲିଲେ । ଆଉ ସାତ ଜନ୍ମର ସାଥୀ ହେବାକୁ ନିଷ୍ପତ୍ତି ନେଲେ । ଯାହାକୁ ନେଇ ପୂରା ଜିଲ୍ଲାରେ ଚର୍ଚ୍ଚା ଚାଲିଛି । ଘର ସଜା ଯାଇଛି, ଭୋଜିଭାତର ଆସର ବି ହୋଇଛି । ବର-କନିଆଁଙ୍କୁ ଦେଖିବା ପରେ ସମସ୍ତେ ଜାଣିପାରିବେ କି ସେଠାରେ ନିଶ୍ଚୟ ଏକ ବାହାଘର ହେଉଛି । ଖାଲି ବାହାଘର ନୁହେଁ ବରଂ ନିଆରା ବାହାଘର ।

ଢେଙ୍କାନାଳର ଜୟନ୍ତ ଧଳ । ଯିଏ କି ଶପଥ କରିଥିଲେ ରାଜ୍ୟରୁ ମଦ ମୁକ୍ତି ନହେବା ଯାଏଁ କେବେ ବିବାହ କରିବେନି କି ପାଦରେ ଚପଲ ପିନ୍ଧିବେ ନାହିଁ । କିନ୍ତୁ ଏମିତି ପରିସ୍ଥିତି ଆସିଲା ଯେ ସେ ଚପଲ ପିନ୍ଧିଲେ , ବାହା ବି ହେଲେ । ପୂର୍ବରୁ ପରିବାର, ବନ୍ଧୁବାନ୍ଧବ ଓ ସାଙ୍ଗସାଥୀ ବାରମ୍ବାର ବାହା ହେବାକୁ ଜୟନ୍ତଙ୍କୁ ନିବେଦନ କରୁଥିଲେ ହେଲେ ବାହା ହେବାକୁ ଅରାଜି ହେଉଥିଲେ । ସମାଜ ସେବାର ସେ ଏତେ ବ୍ୟସ୍ତ ରହୁଥିଲେ ଯେ ନିଜ ବିଷୟରେ ଭାବିବା ଲାଗି ସମୟ ପାଉନଥିଲେ । ଆଉ ଏତିକିବେଳେ ସେ ଜାଣିବାକୁ ପାଇଲେ କି ଜଣେ ଦିବ୍ୟାଙ୍ଗ ଯୁବତୀଙ୍କ ପରିବାର ତାଙ୍କ ବାହାଘର ପାଇଁ ଅନେକ ପରିଶ୍ରମ କରୁଛନ୍ତି ହେଲେ ବରପାତ୍ର ପାଉନାହାନ୍ତି । ତେଣୁ ଜୟନ୍ତ ନିଷ୍ପତ୍ତି ନେଲେ ଦିବ୍ୟାଙ୍ଗ ଯୁବତୀ ଜୟନ୍ତୀଙ୍କୁ ବିବାହ କରିବେ ବୋଲି ।

ଖାଲି ନିଷ୍ପତ୍ତି ନେଲେ ତାହା ନୁହେଁ ବରଂ ଜୟନ୍ତୀଙ୍କୁ ବିବାହ କରିବା ଲାଗି କଥାବାର୍ତ୍ତା ବି ଆରମ୍ଭ କଲେ । ବାସ୍‌ ଦୁଇ ପରିବାରର ସମ୍ମତି ମିଳିବା ପରେ ହୋଇଥିଲା ବାହାଘର । ଜାଣି ଆଶ୍ଚର୍ଯ୍ୟ ହେବେ କି, ଜୟନ୍ତୀ ପିଲାଟି ଦିନରୁ ଦିବ୍ୟାଙ୍ଗ । ଗୋଟିଏ ହାତ ସଂପୂର୍ଣ୍ଣ ଭାବରେ ଅଚଳ...ତେଣୁ ସ୍ଥିତି ଏମିତି ହୋଇଥିଲା ଯେ ନିର୍ବନ୍ଧ ଦିନ ହିଁ ଜୟନ୍ତୀଙ୍କ ବାହାଘର ଭାଙ୍ଗିଯାଇଥିଲା । ବାସ୍‌ ସବୁ କଥା ଜାଣିବା ପରେ ଜୟନ୍ତ ବାହା ହେବାକୁ ସ୍ଥିର କରିଥିଲେ । ଖାଲି ସ୍ଥିର କରିଥିଲେ ତାହା ନୁହେଁ ବରଂ ୭ ଜନ୍ମର ସାଥୀ ହୋଇ ରହିବାକୁ ଅଗ୍ନିଙ୍କୁ ସାକ୍ଷୀ ରଖି ବାହା ହୋଇଥିଲେ ।

ଆଜିକା ସମୟରେ ଝିଅ ବାହାଘର ହେବା କେତେ ଖର୍ଚ୍ଚବହୁଳ ତାହା ଆମେ ସମସ୍ତେ ଜାଣନ୍ତି । ହେଲେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବାହା ହେବାକୁ ନିଷ୍ପତ୍ତି ନେଇ ଜୟନ୍ତ ସମାଜକୁ ଯେଉଁ ବାର୍ତ୍ତା ଦେଇଛନ୍ତି ତାହାକୁ ନେଇ ଏବେ ସବୁଆଡୁ ଛୁଟୁଛି ପ୍ରଶଂସାର ସୁଅ ।.

 

  • Reported by:
  • RAJASHREE SATAPATHY