• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଗୁରୁ ପାଇଁ ଶିଷ୍ୟ ମାନଙ୍କ ନିଷ୍ଠା ଓ ଭଲ ପାଇବାର ଦୃଶ୍ୟ ଏବେ କଟକ ଜିଲ୍ଲା ଟାଙ୍ଗୀ - ଚୌଦ୍ଵାର ଅଞ୍ଚଳରେ ଖୁବ୍ ଚର୍ଚ୍ଚା ହେଉଛି । ଜରିପଡ଼ା ପଞ୍ଚାୟତର କ୍ଷୀରେଶ୍ୱର ବିଦ୍ୟାପୀଠ । ଏହି ବିଦ୍ୟାପୀଠରେ ଦୀର୍ଘ ୩୨ବର୍ଷ ଶିକ୍ଷାଦାନ କରି ଅବସର ନେଇଥିବା ଶିକ୍ଷକଙ୍କ ପ୍ରତି ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ଭଲ ପାଇବା ଏକ ଉଦାହରଣ ସୃଷ୍ଟି କରିଛି । ନିଜ ପରିବାରଠାରୁ ବିଦ୍ୟାଳୟକୁ ଅଧିକ ଭଲ ପାଇବା ଓ ନିଜ ପିଲା ମାନଙ୍କଠାରୁ ଛାତ୍ରଛାତ୍ରୀଙ୍କୁ ଅଧିକ ଭଲ ପାଇ ଶେଷରେ ବିଦ୍ୟାଳୟରୁ ବିଦାୟ ନେଉଥିବା ଶିକ୍ଷକଙ୍କ ପାଇଁ ସମସ୍ତଙ୍କ ଆଖିରେ ଲୁହ ।

ସ୍ଥାନୀୟ ଅଂଚଳର ଶିକ୍ଷକ ଭକ୍ତ ବତ୍ସଳ ସାହୁ । ଦୀର୍ଘ ୩୨ ବର୍ଷ ଧରି ଜରିପଡା ପଞ୍ଚାୟତ ପଇଗୁଆଁ କ୍ଷୀରେଶ୍ୱର ବିଦ୍ୟାପୀଠରେ ଶିକ୍ଷକତା କରିଥିଲେ । ଆଉ ଏବେ ଅବସର ନେବା ପରେ ତାଙ୍କର ପୁରାତନ ଛାତ୍ରମାନେ ରାଜ୍ୟ ବାହାରୁ ଧାଇଁ ଆସିଥିଲେ । ଏହି ବିଦ୍ୟାଳୟରେ ପାଠ ପଢି ବହୁ ପଦପଦବୀରେ ରହିଥିବା ଛାତ୍ରଛାତ୍ରୀ ମାନେ ଭୁଲି ନଥିଲେ ଭକ୍ତ ସାରଙ୍କୁ । ସାରଙ୍କ ବାସଭବନରେ ପହଂଚି ବିଦ୍ୟାଳୟକୁ ପାଛୋଟି ଆଣିଥିଲେ ଛାତ୍ରଛାତ୍ରୀମାନେ । ଆଉ ଏହି ସମୟରେ ବାଟରେ ବହୁ ଛାତ୍ରଛାତ୍ରୀ ଗ୍ରାମବାସୀ ସାରଙ୍କ ପାଦ ତଳେ ପଡି ଆଶିଷ ଭିକ୍ଷା ବି କରିଥିଲେ । ଉଭୟ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଏକ ଭାବବିହ୍ଵଳ ପରିବେଶ ଚୌଦ୍ୱାରରେ ଦେଖିବାକୁ ମିଳିଥିଲା ।

ଶିକ୍ଷକଙ୍କ ଅବସର ଲାଗି ରାତିରେ ବିଦ୍ୟାଳୟ ପରିସରରେ ପୁରାତନ ଛାତ୍ର ସଂସଦ ପକ୍ଷରୁ ଏକ ସଭାର ଆୟୋଜନ ବି କରାଯାଇଥିଲା । ସଭାରେ ଟାଙ୍ଗୀ - ଚୌଦ୍ଵାର ପୂର୍ବତନ ବିଧାୟକ ଧର୍ମାନନ୍ଦ ବେହେରା , ଶିକ୍ଷାବିତ୍ ତ୍ରିଦେବ ବେହେରା, ସରପଞ୍ଚ ସଂଯୁକ୍ତା ସେଠୀ ଓ ଛାତ୍ର ସଂସଦ ସମ୍ପାଦକ ଅତିଥି ଭାବେ ଯୋଗ ଦେଇ ଭକ୍ତ ସାରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେଇଥିଲେ । ପୁରାତନ ଛାତ୍ର-ଛାତ୍ରୀମାନେ ସାରଙ୍କ ପାଇଁ ଆଣିଥିବା ଉପହାର ଦେବା ସହିତ ସାର୍‌ଙ୍କ ସହ ଥିବା ସ୍ମୃତିକୁ ବଖାଣିଥିଲେ । ଶେଷରେ ଭକ୍ତ ସାର୍ କହିଥିଲେ ସରକାର ସିନା ମୋତେ ଅବସର ଦେଲେ, ହେଲେ ମୋ ଆତ୍ମା ପରା ସେ ବିଦ୍ୟାଳୟର ଅଛି ।  ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ତାକୁ ଛାଡି ରହିବି କେମିତି ?

 

  • Reported by:
  • Prakash Nayak