• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କାଳିଆରେ ତୁ ମତେ ବଞ୍ଚାଇ ଦେଲୁ...ମତେ ନୂଆ ଜୀବନ ଦେଲୁ। ତୋରି କରୁଣା ଲାଗି ଗୁଳି ବାଜିବା ପରେ ବି ମୁଁ ବଂଚିଗଲି। ଡାକ୍ତର କହୁଥିଲେ ଆଉ ଯଦି ଟିକିଏ ଏପଟ ସେପଟ ଗୁଳି ହୋଇଥାଆନ୍ତା ମୋ ଜୀବନ ପଳାଇ ଥାଆନ୍ତା...ମୁଁ ଭଲ ହୋଇଗଲେ ତତେ ଦର୍ଶନ କରିବାକୁ ପୁରୀ ନିଶ୍ଚୟ ଯିବି। ଭକ୍ତକୁ ତୁ କେମିତି ରକ୍ଷା କରୁ ସେକଥା ମୋ ଛଡା ଆଉ ଅଧିକ କିଏ ବା କହିପାରିବ?

ଗୁଳିମାଡରୁ ବଞ୍ଚିଯିବା ପରେ କିଛି ଏମିତି ଡଙ୍ଗରେ କାଳିଆର ଶରଣରେ ପଶିଛନ୍ତି ଜୀବନ ନାୟକ। ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ଜୀବନ ନୂଆ ଜୀବନ ପାଇବା ପରେ ପୁରୀ ଆସି ଜଗାକୁ ଦେଖିବାକୁ ମନ ବଳାଇଛନ୍ତି। ସଂପୂର୍ଣ୍ଣ ସୁସ୍ଥ ହେଲେ ଶ୍ରୀକ୍ଷେତ୍ର ଆସିବେ। ହେଲେ ଏବେ ଘରେ  କାଳିଆର କରୁଛନ୍ତି ପୂଜାର୍ଚ୍ଚନା।

ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ କହୁଛନ୍ତି...ଧୂପ ଦେଇ ଘରେ କାଳିଆର ବନ୍ଦାପନା କରୁଛନ୍ତି। ଆଉ କହୁଛନ୍ତି, ଜୀବନ ଥିବା ପର୍ଯ୍ୟନ୍ତ ଜଗା ପାଖରେ ହେବି ସମର୍ପିତ ।ଜୀବନ କେମିତି ନୂଆ ଜୀବନ ପାଇଲେ ତାହା ସେହି ହିଁ କହିପାରିବେ। କାଳିଆର ଇଏ ବିଚିତ୍ର ଲୀଳା ନୁହେଁ ତ ଆଉ କଣ? ଗୁଳି ବେକରେ ବାଜିବା ପରେ ବି ବଞ୍ଚିଯାଇଛନ୍ତି ଜୀବନ।

ବୁର୍ଲା ମେଡିକାଲରୁ ଫେରିବା ପରେ ଏବେ ସୁଦ୍ଧା ପୂରା ସୁସ୍ଥ ହୋଇ ନାହାନ୍ତି ଜୀବନ । ଗୁଳି ବାଜିଥିବା ଜାଗାରେ ଏବେ ବି କ୍ଷତ ଚିହ୍ନ ତାଜା ଅଛି। ପୂରା ଭଲ ହେବାକୁ ଆହୁରି ସମୟ ଲାଗିବ। କିନ୍ତୁ ଯେତେବେଳେ ଟିକେ ଆରାମ ଲାଗୁଛି ସେତେବେଳେ ଜଗାର ଫଟୋ ଓ ମୂର୍ତ୍ତିକୁ ପୂଜା କରୁଛନ୍ତି ଜୀବନ।

ପିଲାଟି ଦିନରୁ ଜଗାକୁ ପୂଜା କରିବା ପରେ ଅତି ଶ୍ରଦ୍ଧାରେ ପାନ ଖଣ୍ଡିଏ ଦିଅନ୍ତି। ୨୯ ତାରିଖରେ ଗୁଳିମାଡ ପରେ ଜଗାକୁ ପୂଜା କରିପାରିନାହାନ୍ତି କି ପାନ ବି ଦେଇନାହାନ୍ତି। ଆଜି ସେହି ପାନକୁ ଦେଖି ମନଦୁଃଖ କରିବା ସହିତ ପୁଣି ନୂଆ ପାନଟିଏ ଥୋଇଛନ୍ତି। ଏ ସବୁ ଦୃଶ୍ୟ ଦେଖିବା ପରେ ଆପଣ ବି କହିବେ ଜଗା ପ୍ରତି ତାଙ୍କର କେତେ ଦୁର୍ବଳତା ରହିଛି।

ଖାଲି ଘର ନୁହେଁ ବରଂ ଘର ବାହାରେ ଥିବା ସବୁ ପାଚେରୀରେ ବି ଆଙ୍କିଛନ୍ତି ଜଗନ୍ନାଥଙ୍କ ଛବି। ଜୀବନ କୁହନ୍ତି, ଘରୁ ବାହାରିକି ଯିବା ବେଳେ ଜଗାକୁ ଦେଖି ଯିବେ ବୋଲି ଦୁଆରେ ଆଙ୍କିଛନ୍ତି ଛବି। ବହୁ ବର୍ଷ ଧରି ବ୍ରଜରାଜନଗରରେ ରହୁଥିବା ଜୀବନ କୋଇଲା କମ୍ପାନୀରେ ସିକ୍ୟୁରିଟି କର୍ମଚାରୀ ଭାବରେ କାମ କରି ପରିବାର ଚଳାଉଥିଲେ । ୨୯ ତାରିଖ ଦିନ ନବ ଦାସଙ୍କୁ ଜୁହାର ହେବା ଦିନ ହଠାତ୍‌ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ମୁଣ୍ଡରେ ହାତ ମାରିଲା ବେଳକୁ ପ୍ରବଳ ରକ୍ତସ୍ରାବ ହେଉଥିଲା। ବାସ୍‌ ଏହା ପରେ ଆଉ କିଛି ମନେ ନାହିଁ। ସିଧା ହୋସ୍‌ ଆସିଲା ବୁର୍ଲା ମେଡିକାଲରେ।

କଥାରେ ଅଛି...ଯାହାକୁ ରଖିବେ ଅନନ୍ତ, କେ କରିପାରେ ବଳବନ୍ତ? ବୋଧହୁଏ ଏଇଠି ଠିକ୍‌ ଏମିତି କିଛି ଘଟଣା ଘଟିଛି। ସେଇଥି ପାଇଁ ତ ଗୁଳିକାଣ୍ଡରେ ନବ ଦାସଙ୍କ ମୃତ୍ୟୁ ହେବା ପରେ ବି ବଞ୍ଚିଯାଇଛନ୍ତି ଜୀବନ। ଏବେ ନୂଆ ଜୀବନ ପାଇ ବେଶ ଖୁସିରେ ଅଛନ୍ତି ଜୀବନ।

(ସମ୍ବଲପୁରରୁ ସଂଜୟ ଜେନାଙ୍କ ରିପୋର୍ଟ)