• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଧୁ ଧୁ ଖରାକୁ ଖାତିର ନାହିଁ । କାଳିଆ ଦର୍ଶନ କରିବାକୁ ଭକ୍ତ ମନ ବ୍ୟାକୁଳ । ସେଇଥି ଲାଗି ତ ଦିନ ଦ୍ୱିପ୍ରହରରେ ତତଲା ପିଚୁ ରାସ୍ତାରେ ଦଣ୍ଡ ପ୍ରଣାମ କରି କାଳିଆ ସାଆନ୍ତର ଶ୍ରୀମୁଖ ଦର୍ଶନ କରିବାକୁ ସୁଦୁର ରାଜସ୍ଥାନରୁ ପୁରୀକୁ ଚାଲିଛନ୍ତି ଭକ୍ତ ଜଣକ । ବାସ୍‌ ଏଇ କଥା ପ୍ରଚାର ହେବା ପରେ ତାଙ୍କୁ ଦେଖିବାକୁ ରାସ୍ତାରେ ଜମୁଛି ଭିଡ ।

ରାଜସ୍ତାନରୁ ଜଗନ୍ନାଥ ଧାମ ପୁରୀ, ସିଏ ପୁଣି ଦଣ୍ଡପ୍ରଣାମ କରି କରି । ମାସେ କି ୨ ମାସ ନୁହେଁ ବରଂ ଗତବର୍ଷରୁ ନିଜ ଘରୁ ଜଗାକୁ ଦର୍ଶନ କରିବାକୁ ବାହାରିଥିଲେ ବିଜୟ । ଇଚ୍ଛା ଥିଲା ଗାଡି କି ଟ୍ରେନ୍‌ରେ ନୁହେଁ ବରଂ ରାସ୍ତାରେ ଦଣ୍ଡ ପ୍ରଣାମ କରିକରି ଚକାନୟନର ଦର୍ଶନ କରିବେ ବୋଲି । ସେଇଥି ପାଇଁ ତ ନିଜ ଇଚ୍ଛାକୁ ପୂରଣ କରିବା ଲାଗି ଏମିତି ପ୍ରଣାମ କରି କରି ଶ୍ରୀକ୍ଷେତ୍ର ଯାଉଛନ୍ତି ବିଜୟ ।

ବିଜୟଙ୍କ କହିବା ଅନୁସାରେ, ଜଗା ଦର୍ଶନ ଲାଗି ଗତ ବର୍ଷ ଅର୍ଥାତ୍‌ ଡିସେମ୍ବର ୭ ତାରିଖରୁ ସେ ଘରୁ ବାହାରିଛନ୍ତି । ଜଗା ଦର୍ଶନ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ । ତେଣୁ ଘରୁ ବାହାରିବା ଦିନଠାରୁ ଆଜି ଯାଏଁ ସେ ଥକି ନାହାନ୍ତି କି କୌଣସି ସ୍ଥାନରେ ଅଟକିଯାଇନାହାନ୍ତି । ବିଜୟଙ୍କ ଗାଁଠାରୁ ଶ୍ରୀକ୍ଷେତ୍ରର ଦୂରତା ପ୍ରାୟ ୧୫୧୨ କିଲୋମିଟର ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୧୬୫ କିଲୋମିଟର ଯାତ୍ରା କରିସାରିଲେଣି ବିଜୟ । ଆଉ ମାତ୍ର ୪ ଶହ କିଲୋମିଟର ଯାତ୍ରା ରହିଛି...ତେଣୁ ରଥଯାତ୍ରା ବେଳକୁ ଶ୍ରୀକ୍ଷେତ୍ରରେ ପହଞ୍ଚିବାର ଆଶା ନେଇ ଆଗକୁ ବଢୁଛନ୍ତି ବିଜୟ ।

କଥାରେ ଅଛି...ଭାବ ଯାହାର ଅଛି ସିଏ ଜଗାକୁ ପାଇଛି । ତେଣୁ ନିଜ ମନରେ ଥିବା ଭକ୍ତି ପାଇଁ ଆଜି ମାଇଲ ମାଇଲ୍‌ ବାଟ ଏମିତି ରାସ୍ତାରେ ଦଣ୍ଡ ପ୍ରଣାମ କରି ଯାଉଛନ୍ତି ବିଜୟ । ରାସ୍ତାରେ ଯାଉଥିବା ବେଳେ ତାଙ୍କୁ ଦେଖି ଅନେକ ଭକ୍ତ ମଧ୍ୟ ଗାଡି ଅଟକାଇ ଦେଉଛନ୍ତି, କେମିତି ଭଲରେ ଶ୍ରୀକ୍ଷେତ୍ରରେ ପହଞ୍ଚିବେ ସେନେଇ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ।

 

  • Reported by:
  • Dilip Sahoo