• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ରେ ସ୍ୱାର୍ଥପର ମଣିଷ...ତତେ ମୁଁ ଏଇ ପିଠିରେ ବସେଇ ବସେଇ କୁଆଡେ ନବୁଲାଇଛି । କେତେ ରୋଜଗାର ନଦେଇଛି ? ନିଜର ସ୍ୱାର୍ଥ ସରିବା ପରେ ମତେ ଅଧା ରାସ୍ତାରେ ଏକା କରି ଚାଲିଗଲୁ । ତୋର ମନେ ଅଛି ସେହିଦିନ ? ତୋ ପିଲାକୁ ଖୁସି ଦେବାକୁ ମୁଁ ଏଇ ପିଠିରେ କେତେ ଜଣଙ୍କୁ ବୋହିଛି । ଯିଏ ବସିଲା, ସିଏ ତୋ ହାତକୁ ଟଙ୍କା ବଢାଇଦେଲା । କେତେ ଟଙ୍କା ମିଳୁଛି ମୁଁ କେବେ ହିସାବ ମାଗିନି । ଯେତେବେଳେ ଯାହା ଦେଲୁ ସେତିକିରେ ସନ୍ତୁଷ୍ଟ ହେଲି । ବୟସ ଥିଲା ବେଳେ ମତେ ଯେମିତି ନଚେଇଛୁ ମୁଁ ସେମିତି ନାଚିଛି । ଦିନେ ବି ଅଭିଯୋଗ କରିନି । ଏବେ ମୁଁ ବୁଢା ହୋଇଗଲିଣି । ଚାଲିବୁଲି ପାରୁନି... ପାକୁଆ ପାଟିରେ କିଛି ରୁଚୁନି । ଆଉ ଏତିକିବେଳେ ତୁ ଧୋକା ଦେଇ ମତେ ଛାଡିଦେଲୁ...ତତେ ଧର୍ମ ସହିବନିରେ ଧର୍ମ ସହିବନି....

ଆଜି ଯଦି ଓଟ କଥା କହିପାରୁଥାଆନ୍ତା ତାହାଲେ ଠିକ୍‌ ଏମିତି କିଛି ନିଶ୍ଚୟ କହିଥାଆନ୍ତା । କାରଣ ଯିଏ ଜୀବନସାରା ରୋଜଗାର ଦେଉଥିଲା ଆଜି ସିଏ ବୁଢା ହେବା ପରେ ମାଲିକ ତାକୁ ଅଧା ରାସ୍ତାରେ ଛାଡି ଦେଇଗଲା । ବୟସ ଅଧିକ ହେବାରୁ ଏବେ କଣ ଖାଇବ? କେମିତି ଖାଇବ? ସେଇ ଚିନ୍ତାରେ ଗାଁକୁ ଗାଁ, ଗଳିକୁ ଗଳି ବୁଲୁଛି ଓଟ ।

ହଜିଗଲା ମାନବିକତା, ମରିଗଲା ମଣିଷପଣିଆ । ଅଧାରାସ୍ତାରେ ହାତଛାଡି ଚାଲିଗଲା ଧୋକାବାଜ ମାଲିକ। । ମାଲିକ ଛାଡିଦେବା ପରେ ଡାଳପତ୍ର ଖାଇ ଅତି ଦୟନୀୟ ଅବସ୍ଥାରେ ବଂଚୁଛି  ଓଟ ।  ଓଟର ଏମିତି କଥା ଶୁଣିବା ପରେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି, ଓଟର ମାଲିକ ଗଲା କୁଆଡ଼େ ? ବୁଢା ବୟସରେ ଓଟକୁ କାହିଁକି ଛାଡିଲା ? ଦର୍ଶକବନ୍ଧୁ ବୁଢା ହୋଇଗଲା ବୋଲି ମାଲିକ ଛାଡି ପଳେଇଲା । ମାଲିକକୁ ଖୋଜି ଖୋଜି ପାଇଲାନି ଓଟ...ସେଇଥି ଲାଗି ତ ଏମିତି ଗଳିକୁ ଗଳି ବୁଲିବୁଲି ନିଜ ମାଲିକକୁ ଖୋଜିବା ସହିତ ଜୀବନ ବଂଚାଇବା ଲାଗି ଡାଳପତ୍ରକୁ ବି ଚୋବାଇ ଦେଉଛି ।

ଜାଣି ଆଶ୍ଚର୍ଯ୍ୟ ହେବେ, ଦିନେ କି ଦୁଇ ଦିନ ନୁହେଁ ବରଂ ଆଜିକୁ ପନ୍ଦର ଦିନ ହେବ ଓଟଟି ମନେ ମନେ ତାର ମାଲିକକୁ ଖୋଜୁଛି । ଢେଙ୍କାନାଳ ଓଡାପଡା ବଉଳପୁର ଗାଁରେ ଓଟଟିକୁ ନେଇ ଆସିଥିଲା ତାର ମାଲିକ । ଦିନେ ଦୁଇଦିନ ଗାଁରେ ଓଟକୁ ଧରି ବୁଲାବୁଲି କରିବା ପରେ ହଠାତ୍‌ ତାକୁ ଛାଡି କେଉଁ ଆଡେ ପଳାଇ ଯାଇଥିବା କହିଛନ୍ତି ବଉଳପୁର ଗ୍ରାମବାସୀ । ମାଲିକକୁ ଖୋଜି ଖୋଜି କେନାଲରେ ପଡି ତା’ର ନାକ ଓ ଶରୀରର ଅନ୍ୟ କିଛି ସ୍ଥାନରେ କ୍ଷତ ମଧ୍ୟ ସୃଷ୍ଟି ହୋଇ ସାରିଲାଣି । ହେଲେ ମାଲିକର ଦେଖାନାହିଁ । ବୟସାଧିକ କାରଣରୁ କୁଆଡେ ଯାଇପାରୁନଥିବାରୁ ବଉଳପୁର ଗାଁକୁ ନିଜର ସୁରକ୍ଷିତ ସ୍ଥାନ ଭାବି ପଡ଼ିରହିଛି ।

 

ଦର୍ଶକବନ୍ଧୁ ଇଏ ପ୍ରଥମ ନୁହେଁ ବରଂ ବହୁପୂର୍ବରୁ ବି ସମାନ ଘଟଣା ରାଜ୍ୟରେ ଦେଖିବାକୁ ମିଳିଛି । ନିଜର ସ୍ୱାର୍ଥସାଧନ ହେବା ପରେ ଏମିତି ନିରୀହ ପଶୁକୁ ଅଧା ରାସ୍ତାରେ ଛାଡି ଦେଇ ଯାଉଛି ମଣିଷ । ଆଉ ତାହାର ପରବର୍ତ୍ତୀ ସମୟ କେତେ କଷ୍ଟଦାୟକ ତାହା ଏହି ଘଟଣାରୁ ସ୍ପଷ୍ଟ ଅନୁମେୟ । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଟକୁ ତୁରନ୍ତ ସମସ୍ତ ପ୍ରକାର ଚିକିତ୍ସା ସେବା ଯୋଗାଇ ଦେବା ସହିତ କେମିତି ସେ ସୁସ୍ଥ ହେବ ସେନେଇ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

(ଢେଙ୍କାନାଳରୁ ରାଜଶ୍ରୀ ଶତପଥୀ)