• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କାନ୍ଦି କାନ୍ଦି ଦିନ କାଟୁଥିଲେ । ଏବେ ଆଖିରୁ ଲୁହ ପରିବର୍ତ୍ତେ ଓଠରେ ଫୁଟିଛି ହସ । କାରଣ ବନ୍ଦ ଥିବା ପେନସନ୍‌ ଟଙ୍କା ଏବେ ପୁଣି ଥରେ ପାଇବା ପରେ ବୃଦ୍ଧା ଜଣକ ଏତେ ଖୁସି ଯେ ଆମ ପ୍ରତିନିଧୀଙ୍କୁ ଦେଖିବା ମାତ୍ରେ ଆଶୀର୍ବାଦ ଲଦି ଦେଉଛନ୍ତି । କାରଣ ଖବର ବାଜିବା ପରେ ବୃଦ୍ଧାଙ୍କୁ ମିଳିଛି ପେନସନ୍‌ ଟଙ୍କା ।

ଆମେ କହୁଛୁ ବାଲେଶ୍ୱରର ସେଇ ବୟସ୍କା ବୃଦ୍ଧାଙ୍କ କଥା । ଯାହାଙ୍କ ପେନସନ ଟଙ୍କା ଆସୁଥିବା ଆକାଉଣ୍ଟକୁ ୟୁକୋ ବ୍ୟାଙ୍କ ଅଚଳ କରିଦେଇଥିଲା । ସ୍ୱାମୀ ବଂଚିଥିବା ବେଳେ ଯାହା ଯେତିକି ରୋଜଗାର କରୁଥିଲେ ସେତିକିରେ ପରିବାର ଚଲୁଥିଲା । ହେଲେ ସ୍ୱାମୀ ଯିବା ପରେ ପେନସନ୍‌ ଟଙ୍କାରେ ଚଳୁଥିଲେ ବୃଦ୍ଧା ସୁଲୋଚନା । ଦୁର୍ଘଟଣାରେ ପୁଅ ଦିବ୍ୟାଙ୍ଗ ହେବା ପରେ ମାସକୁ ଯେଉଁ ଗଣ୍ଡାକ ପେନ୍‌ସନ୍‌ ପାଉଥିଲେ ସେତିକିରେ ଘର ଚଳାଇବା ସହିତ ଔଷଧପତ୍ର କିଣୁଥିଲେ । ହେଲେ ଏହାରି ମଧ୍ୟରେ ଦୋକାନ କରିବାକୁ ବ୍ୟାଙ୍କରୁ ଲୋନ୍‌ ନେଇଥିଲେ ସାନ ବୋହୂ । ହେଲେ କୌଣସି ଅସୁବିଧା କାରଣରୁ ଋଣ ଟଙ୍କା ପରିଶୋଧ କରିପାରିନଥିଲେ ସିଏ । ତେଣୁ ଶାଶୂଙ୍କ ପେନସନ୍‌ ଟଙ୍କାକୁ ବନ୍ଦ କରିଦେଇଥିଲା ବ୍ୟାଙ୍କ ।

ବାସ୍‌...ବ୍ୟାଙ୍କ ପେନସନ୍‌ ଟଙ୍କା ବନ୍ଦ କରିଦେବା ପରେ ସୁଲୋଚନଙ୍କ ସଂସାରରେ ଭରି ଯାଇଥିଲା ଦୁଃଖର କଳାବାଦଲ । ପରିଣତ ବୟସରେ ବ୍ୟାଙ୍କ ଯେବେ ପେନସନ୍‌ ବନ୍ଦ କରିଦେଲା ସେବେ ଅନ୍ଧାର ହୋଗଲା ପୂରା ପରିବାରର ଭବିଷ୍ୟତ । କେମିତି ଚଳିବେ? କଣ କରିବେ ସେହି ଚିନ୍ତାରେ ଦିନ କାଟୁଥିଲେ । ଆଉ ଘଟଣାକୁ ନେଇ ଏବେ ଯେବେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲୁ ମ୍ୟାନେଜର ପ୍ରତିଶ୍ରୁତି ଦେଇଥିଲେ କି ସୁଲୋଚନଙ୍କର କାହିଁକି ଭତ୍ତା ବନ୍ଦ ହୋଇଛି ସେନେଇ ତଦନ୍ତ ହେବା ସହିତ ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ।

ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି ମ୍ୟାନେଜର । ଆଉ ଯେଉଁ ପେନସନ୍‌ ଟଙ୍କା ଲାଗି ସୁଲୋଚନା କାନ୍ଦୁଥିଲେ ଆଜି ସେହି ପେନସନ୍‌ ଟଙ୍କା ତାଙ୍କ ମୁହଁରେ ଦେଇଛି ହସ । ଆଉ ଟଙ୍କା ପାଇବା ପରେ ଓଟିଭିକୁ ଧନ୍ୟବାଦ ଦେଇଛନ୍ତି ସୁଲୋଚନା ।

 

  • Reported by:
  • Niranjan Behera