/odishatv-khabar/media/post_attachments/uploadimage/library/16_9/16_9_0/OTV_Cares_1748520374.jpg)
OTV Cares
ମହିଳା ସଶକ୍ତୀକରଣ ଓ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ଓଟିଭି କେୟାର୍ସ ପକ୍ଷରୁ ପୁଣି ଏକ ପଦକ୍ଷେପ ନିଆଯାଇଛି । ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ଖେଳପଡ଼ିଆର ବିକାଶ ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଓଟିଭି କେୟାର୍ସର ପ୍ରତିନିଧିମାନେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ପୁଷ୍ପାଞ୍ଜଳି ଶ୍ରୀଚନ୍ଦନ ଓ ପ୍ରଶାସନିକ ମୁଖ୍ୟ କବିତା କୁମାରୀ ସ୍ୱାଇଁଙ୍କୁ ଏହି ଚେକ୍ ପ୍ରଦାନ କରିଛନ୍ତି ।
୧୯୮୧ ମସିହାରେ ପ୍ରତିଷ୍ଠା କରାଯାଇଥିବା ଖୋର୍ଦ୍ଧା ମହିଳା କଲେଜ କ୍ରମାଗତ ଭାବେ ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ ନିଜର ଉତ୍କର୍ଷତା ପ୍ରତିପାଦନ କରିଆସୁଛି । କିନ୍ତୁ ମହାବିଦ୍ୟାଳୟର ଖେଳ ପଡ଼ିଆ (Sports Ground) ଦଶନ୍ଧି ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ଥିଲା । ଏହି ପଡ଼ିଆର ପ୍ରାୟ ୪୦ ପ୍ରତିଶତ ଜାଗାରେ ଗଛ ଓ ବଣବୁଦା ହୋଇଯାଇଛି । ତେଣୁ ଟ୍ରେନିଂ ଓ ଖେଳ ପାଇଁ ପଡ଼ିଆଟି ସଙ୍କୁଚିତ ହୋଇଯାଇଛି । ଏହି ମହାବିଦ୍ୟାଳୟର ଛାତ୍ରୀମାନେ ଜାତୀୟ ସ୍ତରର ବିଭିନ୍ନ ସ୍ପୋର୍ଟସ ଇଭେଣ୍ଟରେ ଭାଗ ନେଇ ସଫଳତା ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । କିନ୍ତୁ ଏକ ଭଲ ଖେଳପଡ଼ିଆ ନଥିବାରୁ ଛାତ୍ରୀଙ୍କ ପ୍ରସ୍ତୁତି ଓ ପ୍ରାକ୍ଟିସରେ ଅସୁବିଧା ହେଉଥିଲା ।
ଅଧିକ ପଢ଼ନ୍ତୁ: ଦେଶ ଭକ୍ତି ପାଇଁ ବାଧା ଦିଏନି ବୟସ; ପ୍ରମାଣିତ କଲେ କୁନି ଯୋଦ୍ଧା
OTV Cares: ପରିବର୍ତ୍ତନର ବିଚାର
ଶିକ୍ଷା ଓ କ୍ରୀଡ଼ାକୁ ପ୍ରାଧାନ୍ୟ ଦେଇ ଓଟିଭି କେୟାର୍ସ ମହିଳା ସଶକ୍ତୀକରଣ ଓ କମ୍ୟୁନିଟି ଭିତ୍ତିଭୂମିର ଉତ୍ଥାନ ପାଇଁ କାର୍ଯ୍ୟ କରୁଛି । କ୍ରୀଡ଼ା ଭଳି କ୍ଷେତ୍ରରେ ଯୁବତୀମାନଙ୍କୁ ଆଗକୁ ବଢ଼ିବା ପାଇଁ ସୁଯୋଗ ଦେବା ଓ ମହିଳାମାନଙ୍କ ସାମଗ୍ରିକ ବିକାଶ ଲକ୍ଷ୍ୟରେ ଓଟିଭି କେୟାର୍ସ ଏଭଳି ପଦକ୍ଷେପ ନେଇ ତା’ର ଅଙ୍ଗୀକାରବଦ୍ଧତା ପ୍ରତିପାଦିତ କରୁଛି ।
ଏହି ଉତ୍ସବରେ ଅଂଶଗ୍ରହଣକାରୀମାନେ କହିଛନ୍ତି ଯେ, ଓଟିଭି କେୟାର୍ସ ମହତ ଉଦ୍ଦେଶ୍ୟ ନେଇ କାମ କରୁଛି । ଯୁବତୀମାନଙ୍କ ଜୀବନ ଓ ଭବିଷ୍ୟତ ଉପରେ ସିଧାସଳଖ ପ୍ରଭାବ ପକାଉଥିବା ସମସ୍ୟାକୁ ଚିହ୍ନଟ କରିବା ଓ ସହାୟତା ପ୍ରଦାନ କରିବା ଘଟଣାର ସେମାନେ ପ୍ରଶଂସା କରିଛନ୍ତି ।
ଉଜ୍ଜ୍ୱଳ ଭବିଷ୍ୟତର ଆଶା
ଏହି ସହାୟତା ପ୍ରଦାନ ଦ୍ୱାରା ଏବେ ମହାବିଦ୍ୟାଳୟ ଖେଳପଡ଼ିଆରୁ ଜବରଦଖଲ ଉଚ୍ଛେଦ, ପଡ଼ିଆର ସମତୁଲ, ଆବଶ୍ୟକୀୟ କ୍ରୀଡ଼ା ଫାସିଲିଟିର ବିକାଶ କରାଯିବ । ଏହା ପୁଣି ଥରେ ଉଦୀୟମାନ ଖେଳାଳିଙ୍କର ଏକ ହବ୍ ହୋଇପାରିବ । ଏହା କେବଳ ଏକ ଆର୍ଥିକ ସହାୟତା ନୁହେଁ, ଶତାଧିକ ଛାତ୍ରୀଙ୍କ ନୂଆ ଆଶା, ସୁଯୋଗ ଓ ସଶକ୍ତୀକରଣର ଏକ ପ୍ରତୀକ ଅଟେ । କ୍ରୀଡ଼ା କ୍ଷେତ୍ରରେ ଭଲ ଟ୍ରେନିଂ ଓ ଖେଳିବାର ସୁଯୋଗ ପାଇଁ ଏହା ପଥ ପରିଷ୍କାର କରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)