• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଘର ଦୁଆର ମୁହଁରେ କାନ୍ଦବୋବାଳି ପଡିଛି..ସାହିପଡିଶା ସବୁ ଘରକୁ ଆସୁଛନ୍ତି । ହଠାତ୍‌ ଏମିତି ଦୃଶ୍ୟ ଦେଖିବା ପରେ କିଛି ବୁଝାପଡିବନି । ଯିଏ ନାହିଁ ସିଏ ପ୍ରଶ୍ନ କରିବ ସେଠି କଣ ହେଉଛି? ସେମାନେ କାହିଁକି କାନ୍ଦୁଛନ୍ତି? ହେଲେ ସେ କାନ୍ଦ ପଛର ଘଟଣା ଜାଣିଲେ ଆପଣ ବି ସ୍ତବ୍ଧ ହେବେ ଆଉ କହିବେ ଭଗବାନ ଏମିତି ଦୁଃଖ ଶତ୍ରୁକୁ ବି ନଦିଅନ୍ତୁ ।

ବର୍ଷେ ହେଲା ବାପା ଯାଇଥିଲେ..ଏବେ ମାଆ ଚାଲିଗଲେ । ସାଙ୍ଗହୋଇ ବାପା-ମାଆ ଚାଲିଯିବା ପରେ ଏବେ ଅନାଥ ହୋଇଯାଇଛନ୍ତି ୪ ପିଲା । ଏତେ ବଡ ଦୁନିଆରେ ୪ ଭାଇ-ଭଉଣୀ ଏକାଏକା କେମିତି ଚଳିବେ ସେହି ଚିନ୍ତାରେ ଏବେ କାଟୁଛନ୍ତି ଦିନ ।

କେନ୍ଦୁଝର ସଦର ବ୍ଳକ ମହାଦେଇଯାଡା ପଞ୍ଚାୟତ ଟିକରପଡା ଗାଁ ବୁରୁଡିହି ସାହିର ମହେନ୍ଦ୍ର ମାଝୀ । ୪ ପିଲା ଓ ସ୍ତ୍ରୀଙ୍କୁ ନେଇ ବଡ ଆନନ୍ଦରେ ସେ ଦିନ କାଟୁଥିଲେ । ହେଲେ ଏହି ଆନନ୍ଦର ସଂସାରରେ ହଠାତ୍‌ ଘୋଟିଆସିଲା ଅମାବାସ୍ୟା । ଅଜଣା ରୋଗରେ ସବୁଦିନ ଲାଗି ଚାଲିଗଲେ ମହେନ୍ଦ୍ର । ସ୍ୱାମୀଙ୍କ ଅନୁପସ୍ଥିତିରେ ପିଲାଙ୍କୁ ଚଳାଇ ନେଉଥିଲେ ସ୍ତ୍ରୀ ମାଇନ । କିନ୍ତୁ ଦୈବର ବରାଦ ବୋଧହୁଏ କିଛି ଅଲଗା ଥିଲା । ସୋମବାର ଘରେ ଶୋଇଥିବା ବେଳେ ହଠାତ୍‌ ତାଙ୍କୁ ସାପ କାମୁଡି ଦେଇଥିଲା । ପରେ ସାହିପଡିଶା ଲୋକ ତାଙ୍କୁ ମେଡିକାଲ ନେଇଥିଲେ କିନ୍ତୁ ତାଙ୍କର ମୃତ୍ୟୁ ହୋଇଗଲା ।

ମାଇନଙ୍କ ମୃତ୍ୟୁ ପରେ ଏବେ ଭୋକ ଉପାସରେ ପିଲା । ବଡ଼ ପୁଅ ଆକାଶ ମାଝୀକୁ ଏବେ ୧୪ ବର୍ଷ ହୋଇଥିବା ବେଳେ ଦ୍ଵିତୀୟ ପୁଅ ସିଲୁକୁ ୧୨ ବର୍ଷ, ଝିଅ ରୀନାକୁ ୧୦ବର୍ଷ ହୋଇଥିବା ବେଳେ ସାନ ପୁଅ ରମେଶକୁ ମାତ୍ର ୭ ବର୍ଷ I ଆକାଶ, ସିଲୁ ଓ ରୀନା ହଷ୍ଟେଲରେ ରହି ପାଠ ପଢ଼ୁଥିବା ବେଳେ ସାନ ପୁଅ ରମେଶ ଅଙ୍ଗନବାଡ଼ିରେ ପଢ଼ୁଥିବାରୁ ମା’ ପାଖରେ ରହୁଥିଲା । ହେଲେ ଏବେ ମାଆ ଛାଡି ଚାଲିଯିବା ପରେ ୪ ଭାଇ-ଭଉଣୀଙ୍କ ମୁଣ୍ଡରୁ ଏବେ ଛାତ ଉଡିଯାଇଛି । ପିଲାଙ୍କର ଏମିତି ଅବସ୍ଥା ଦେଖି ଗାଁ ଲୋକେ ଯାହା ଯେମିତି ଖାଇବାକୁ ଦେଉଛନ୍ତି, ତାହାକୁ ନେଇ ପିଲାମାନେ ଖାଉଛନ୍ତି । ହେଲେ ସେମାନଙ୍କର ବି ଆର୍ଥିକ ଅବସ୍ଥା ଏତେଟା ସ୍ୱଚ୍ଛଳ ନଥିବା କାରଣରୁ ସେମାନେ ବି ଅଧିକ ଦିନ ସାହାଯ୍ୟ କରିପାରିବେନି । ତେଣୁ ସରକାରୀ ସାହାଯ୍ୟକୁ ଏବେ ଅପେକ୍ଷା ।

ସେପଟେ ପୂରା ଘଟଣା ସମ୍ପର୍କରେ ସରପଂଚ କହୁଛନ୍ତି, ୪ ଅନାଥ ପିଲାଙ୍କୁ ସବୁ ପ୍ରକାର ସରକାରୀ ସାହାଯ୍ୟ ଯୋଗାଇ ଦେବା ସହିତ କେମିତି ପିଲାଏ ପାଠ ପଢିବେ ସେନେଇ ବ୍ୟବସ୍ଥା ବି କରାଯିବ । ଆମେ ଅନେକ ସମୟରେ ଦେଖିଛନ୍ତି ଗରିବ ପିଲାଙ୍କ ଲାଗି ସରକାରୀ ସ୍ତରରେ ମାଳମାଳ ବ୍ୟବସ୍ଥା କରାଯାଇଛି । ତେବେ ଏହିପିଲାଙ୍କୁ କେମିତି ସରକାରୀ ବ୍ୟବସ୍ଥା ଯୋଗାଇ ଦିଆଯାଉଛି ତାହା ସମୟ କହିବ ।

 

 

  • Reported by:
  • PRANAYA PANI