• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଖିରେ ଲୁହ.. ସମସ୍ତେ ଭୋ ଭୋ କାନ୍ଦି ପକାଉଛନ୍ତି..ଆଜିର ସ୍ୱାର୍ଥବାଦୀ ଓ ବସ୍ତୁବାଦୀ ଦୁନିଆରେ ମଣିଷ ମଣିଷର ହେଉ ନଥିବାବେଳେ ଗୋଟିଏ ଶୁଆର ମୃତ୍ୟୁରେ ଭାଙ୍ଗି ପଡ଼ିଛି ପୂରା ପରିବାର । ପୁରୀ ସ୍ଵର୍ଗଦ୍ଵାରରେ ଶୁଆର ଶବ ସତ୍କାର କରିବାର ଇଚ୍ଛା ଥିଲା, ହେଲେ ସେଠାରେ ପକ୍ଷୀ ଦାହ କରିବା ପାଇଁ ଅନୁମତି ନଥିବାରୁ ସେଠାରୁ ଫେରିଆସି ନିଜ ଘର ପାଖରେ ଗାତ ଖୋଳି ମୃତ ଶୁଆକୁ ପୋତି ଦେଇଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସିଦ୍ଧମହାବୀର ମନ୍ଦିର ନିକଟ ସତ୍ୟନଗରରେ ରହୁଥିବା ନୃସିଂହ ଚରଣ ସ୍ୱାଇଁଙ୍କ ଘରେ ।

ପରିବାର ସଦସ୍ୟଙ୍କ ପରି ଶୁଆର ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହେବା ସହ ବନ୍ଧୁବାନ୍ଧବକୁ ଡାକି ବ୍ରାହ୍ମଣ ଭୋଜନ ମଧ୍ୟ କରାଇଛନ୍ତି । ଆଜିକାଲି ମଣିଷ ପଶୁପକ୍ଷୀଙ୍କ ପ୍ରତି ନିର୍ଦ୍ଦୟ ହୋଇପଡୁଛି । ଯେଉଁଥିପାଇଁ ପକ୍ଷୀ ଶିକାର ମାତ୍ରା ବଢିବାରେ ଲାଗିଛି । ହେଲେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ପକ୍ଷୀକୁ ଘରେ ରଖି ପରିବାର ସଦସ୍ୟ ଭଳି ବି ସ୍ନେହ କରନ୍ତି । ତା’ ସହିତ ଏମିତି ସମ୍ପର୍କରେ ବାନ୍ଧି ହୋଇଯାଆନ୍ତି, ଯାହା ଅନ୍ୟମାନଙ୍କ ପାଇଁ ଉଦାହାରଣ ହୋଇଯାଏ ।

ସେହିପରି ଏକ ପରିବାର ହେଲା ନୃସିଂହ ଚରଣ ସ୍ୱାଇଁଙ୍କ ପରିବାର । ଘରେ ପାଳିଥିବା ଶୁଆ ମୃତ୍ୟୁରେ ପରିବାର ଲୋକଙ୍କ ଆଖିରୁ ଲୁହ ଝରୁଛି । କେବଳ ଏତିକି ନୁହେଁ ତାକୁ ସମାଧି ଦେବା ସହ ତା’ର ଅନ୍ତ୍ୟେଷ୍ଟି କ୍ରିୟା ମଧ୍ୟ କରିଛନ୍ତି । ଏକାଦଶାହରେ ବନ୍ଧୁବାନ୍ଧବଙ୍କୁ ଡାକିବା ସହ ବ୍ରାହ୍ମଣ ଭୋଜନ ଦେଇଛନ୍ତି । ପକ୍ଷୀଟି ପ୍ରତି ଏମିତି ଭଲପାଇବା ଏବେ ପୁରୀ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସିଦ୍ଧମହାବୀର ସତ୍ୟନଗରରେ ରହୁଥିବା ନୃସିଂହ ଚରଣ ସ୍ୱାଇଁ ପେଶାରେ ଜଣେ ବସ୍ ଡ୍ରାଇଭର । ସେ କଟକ-ପୁରୀ ବସ୍ ଚଳାଚଳ କରନ୍ତି । ୨୦୦୮ ମସିହା ଫେବୃୟାରୀ ୭ ତାରିଖ ସକାଳେ କଟକ ପାଲାମଣ୍ଡପସ୍ଥିତ ପୁରୀ ବସ୍‌ଷ୍ଟାଣ୍ଡ ପାଖ ଏକ ବରଗଛ ମୂଳରୁ ସଦ୍ୟଜାତ ଶୁଆଟିକୁ ପାଇଥିଲେ । ତା’ ପାଟିରେ ଅଙ୍ଗୁର ରସ୍ ଏବଂ କଦଳୀ ଦେଇ ଘରକୁ ନେଇଆସିଲେ । ସେବେଠାରୁ ପରିବାର ସଦସ୍ୟ ଭଳି ତାକୁ ପାଖରେ ରଖିଲେ । ସମସ୍ତେ ତାକୁ ମିଟୁ ବୋଲି ଡାକିଲେ । ସେ ବି ଧୀରେ ଧୀରେ କଥା କହିବା ଆରମ୍ଭ କଲା ।

ନୃସିଂହ ଚରଣଙ୍କୁ ମାମୁଁ, ତାଙ୍କ ପତ୍ନୀଙ୍କୁ ମାଇଁ ଏବଂ ତାଙ୍କ ପୁଅଝିଅଙ୍କୁ ମଧ୍ୟ ସ୍ପଷ୍ଟ ଭାବେ ଡାକୁଥିଲା । ଆଉ କେହି ଯଦି ନୃସିଂହଙ୍କୁ ମାମୁଁ ଡାକିଦିଏ ପକ୍ଷୀଟିଏ ହୋଇଥିଲେ ବି ମିଟୁ କଳି କରେ । ଶୀତ ହେଲେ କମ୍ବଳ ତଳେ ଏବଂ ଗରମ ହେଲେ ଫ୍ୟାନ୍ ତଳେ ସେ ଶୋଇଥାଏ । ଏଥିସହ ପ୍ରତିବର୍ଷ ଫେବୃୟାରୀ ୭ ତାରିଖରେ ତା’ର ଜନ୍ମଦିନ ପାଳନ କରିଥାନ୍ତି । ଏମିତି ଭଲପାଇବା ଭିତରେ ଗତ ୧୩ ତାରିଖ ରାତି ପ୍ରାୟ ସାଢେ ୯ଟାରେ ମିଟୁର ଆକସ୍ମିକ ମୃତ୍ୟୁ ଘଟିଛି । ଏଥିରେ ସମ୍ପୂର୍ଣ୍ଣ ପରିବାର ଭାଙ୍ଗି ପଡିଥିଲେ ।

ସେହି ରାତିରେ ସମ୍ବଲପୁରରେ ରହୁଥିବା ନୃସିଂହଙ୍କ ବଡ଼ଝିଅ, କୋରାପୁଟରେ ରହୁଥିବା ସାନଝିଅ ଏବଂ ରାଉରକେଲାରେ ରହୁଥିବା ପୁଅକୁ ଖବର ଦିଆଗଲା । ସେମାନେ ରାତାରାତି ବାହାରି ୧୪ ତାରିଖ ପୂର୍ବାହ୍ନ ସୁଦ୍ଧା ସମସ୍ତେ ପହଞ୍ଚିଥିଲେ। ମଣିଷଟିଏ ମଲା ପରେ ଯେପରି ଦଶାହ ପାଳନ କରାଯାଏ ସେମିତି ପାଳିଥିଲେ । ଶନିବାର ଏକାଦଶାହ ଉପଲକ୍ଷେ ତାଙ୍କର ସମସ୍ତ ବନ୍ଧୁବାନ୍ଧବଙ୍କୁ ଡକାଯାଇଥିଲା ।

ସେମାନେ ପ୍ରସିଦ୍ଧ ଶୈବପୀଠ ଯୋଡ଼ାଲିଙ୍ଗକୁ ଯାଇ ସେଠାରେ ବ୍ରାହ୍ମଣଙ୍କୁ ଭୋଜନ ଏବଂ ଦାନ ଦକ୍ଷିଣା ଦେଇଥିଲେ । ବନ୍ଧୁବାନ୍ଧବ ସହ ଲୋକଙ୍କୁ ମଧ୍ୟ ଖାଇବାକୁ ଦେଇ ଶୁଆର ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ କରିଥିଲେ। ଏକଥା କହିବା ସମୟରେ କାନ୍ଦି ପକାଇଥିଲେ ନୃସିଂହ ଚରଣ । ଘରେ ପାଳିଥିବା ପକ୍ଷୀଟିଏ ପାଇଁ ତାଙ୍କ ପରିବାରର ଏମିତି ସ୍ନେହ ଓ ଭଲପାଇବା ପୁରୀ ସହରରେ ଏବେ ଚର୍ଚ୍ଚାର ବିଷୟ ହୋଇଛି ।

  • Reported by:
  • PRADEEP MAHANTY