/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686477028.jpg)
Odisha CHSE Results
ମୁଣ୍ଡରେ ହାଣ୍ଡିଆ ନେଇ ବିକିବାକୁ ଯାଉଛି ମାଆ । ରାସ୍ତା କଡରେ ଏଇ ଛପର ଘରେ ବସି ହାଣ୍ଡିଆ ବିକିଲେ ଯାହା ଯେତିକି ରୋଜଗାର ହେବ ସେତିକିରେ ପରିବାର ଚଳିବ...ପୁଅ ପାଠ ପଢିବ । ସେଇଥି ଲାଗି ତ ସକାଳୁ ସକାଳୁ ମୁଣ୍ଡରେ ହାଣ୍ଡିଆ ମୁଣ୍ଡେଇ ସ୍ପିଡରେ ଧାଉଁଛି ମାଆ । ଏପଟେ ଭଙ୍ଗାଦଦରା ଘର ଭିତରେ ପାଠ ପଢୁଛି ପୁଅ । ସିଏ ପୁଣି ଆଖିରେ ଆଖିଏ ସ୍ୱପ୍ନ ନେଇ ।
ନୀଳଗିରି ବ୍ଲକ ପାହାଡ଼ି ଗାଁ ସିଆଡିମାଳର ଅଜୟ ସିଂ । ପାଠ ପଢିବାକୁ ମନରେ ପୂଳାଏ ଇଚ୍ଛା । ସେଇଥି ପାଇଁ ତ ରାତିଦିନ ପରିଶ୍ରମ କରି ମାଟି କୁଡିଆରେ କରୁଥିଲେ ପରିଶ୍ରମ । କଥାରେ ଅଛି ପରିଶ୍ରମର ଫଳ କେବେ ବୃଥା ଯାଏନି...ଯାହା ଅକ୍ଷରେ ଅକ୍ଷରେ ପ୍ରମାଣିତ ହୋଇଛି ଅଜୟଙ୍କ କ୍ଷେତ୍ରରେ । କଳାରେ ପାଖାପାଖି ୪୧୩ ନମ୍ବର ରଖି ପୂରା ଅଂଚଳରେ ପ୍ରଶଂସା ସାଉଁଟିଛନ୍ତି ।
ଅଜୟଙ୍କ ସଂଘର୍ଷର କଥା ଶୁଣିଲେ ଆପଣ ବି ତାଙ୍କୁ ବାହାବା ଦେବେ । ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ପର ଦୁଆରେ ପୁଅ ମୂଲ ଲାଗେ ତ ମାଆ ହାଣ୍ଡିଆ ବିକେ । ଆଉ ଏତିକିରୁ ଯେତିକି ରୋଜଗାର ହୁଏ ସେତିକିରେ ପରିବାର ଚଳିବା ସହିତ ପାଠ ପଢାହୁଏ । ହେଲେ ଏତେ ଅଭାବ ପରେ ବି କେବେ ହାର ମାନିନାହାନ୍ତି ଅଜୟ । ଦିନରାତି ପରିଶ୍ରମ କରି ପାଠ ପଢୁଥିଲେ ଏବେ ପାସ୍ କଲେ, ତାହା ପୁଣି ୬୯ ପ୍ରତିଶତରେ ।
ଘରକୁ ଯିବାକୁ ଭଲ ରାସ୍ତା ଟିଏ ବି ନାହିଁ । ଘର ଛପର ଓ ଘରର ସ୍ଥିତି ବି ଅତି ଦୟନୀୟ । ପଲିଥିନ ତଳେ ଜୀବନ ବିତୁଛି । ଆଉ ଏହାରି ଭିତରେ ସୁନାର ସ୍ୱପ୍ନ ଦେଖୁଥିଲେ ମାଆ-ପୁଅ...ଯାହା ଏବେ ଧୀରେ ଧୀରେ ବାସ୍ତବତାର ରୂପ ନେଉଛି । ଜାଣିଆଶ୍ଚର୍ଯ୍ୟ ହେବେ ପାଠ ପଢିବାକୁ ସାଇକେଲରେ ପ୍ରାୟ ୧୫ କିମି ରାସ୍ତା ନିଇତି ଅତିକ୍ରମ କରନ୍ତି । ଆଉ ଘରକୁ ଫେରି ପର ଦୁଆରେ ମୂଲ ଲାଗନ୍ତି । ଆଉ ଏବେ କଳାରେ ଭଲ ନମ୍ବର ରଖିବା ପରେ ପଢିଥିବା କୋଚିଂ ସେଣ୍ଟରରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।
ପୁଅର ସଫଳତାକୁ ନେଇ ମାଆ ଭାରି ଖୁସି । ଭାଇ ପାଠ ପଢାଉନଥିବା ବେଳେ ପୁଅକୁ ପାଠ ପଢାଇବାକୁ ମାଆ ଯେଉଁ ଶପଥ ନେଇଥିଲେ ତାହା ଏବେ ସାକାର ହେବାକୁ ଯାଉଛି । ତେଣୁ କୋଉ ମାଆ ବା ଖୁସି ନହେବ? ଅନେକ ସମୟରେ ଆମେ ଦେଖିଛନ୍ତି, ପିଲାଙ୍କୁ ସବୁ ସୁବିଧା ଦେବା ପରେ ବି ସେମାନେ ପାଠ ପଢୁନାହାନ୍ତି । ହେଲେ ଅଜୟ ଏତେ ଅଭାବ ସତ୍ୱେ ଯେଉଁପରି ମାର୍କ ରଖିଛନ୍ତି ତାହା ନିଶ୍ଚୟ ପ୍ରଶଂସା ଯୋଗ୍ୟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)