• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମରିଗଲେ ସିନା ୪ ଜଣଙ୍କ ପାଇଁ ପାଲଟିଗଲେ ପ୍ରାଣଦାତା। ଚାରି ପରିବାରକୁ ଦେଇଗଲେ ନୂଆ ଜୀବନ। ଦୁର୍ଘଟଣାରେ ମୃତ୍ୟୁ ପୂର୍ବରୁ ନିଜର ସବୁ ଅଙ୍ଗଦାନ କରି ଚର୍ଚ୍ଚାରେ ଭୁବନେଶ୍ୱର ରେଣ୍ଟାଲ କଲୋନୀର ପ୍ରସନ୍ନଜିତ୍ ମହାନ୍ତି । କାରଣ ପ୍ରସନ୍ନଜିତଙ୍କ ଅଙ୍ଗ ଅନ୍ୟ ରୋଗୀଙ୍କ ଠାରେ ସଫଳତାର ସହ ପ୍ରତିରୋପଣ କରାଯାଇଛି । ଏହାସହ ଜଣେ ବ୍ୟକ୍ତିଙ୍କ ଏକାଧିକ ଅଙ୍ଗଦାନ କ୍ଷେତ୍ରରେ ଓଡ଼ିଶା ଲେଖିଛି ନୂଆ ଅଧ୍ୟାୟ ।…

 ୨୨ ଜୁନ୍ ୨୦୨୩ । ଘର ସିଡିରୁ ପଡି ୪୩ ବର୍ଷୀୟ ପ୍ରସନଜିତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସଙ୍ଗେ ସଙ୍ଗେ ପ୍ରସନଜିତଙ୍କୁ ଭୁବନେଶ୍ବରର ଘରୋଇ ହସ୍ପିଟାଲ ସମ୍ ଅଲ୍ଟିମେଟରେ ଭର୍ତ୍ତି କରିଥିଲେ ପରିବାର । ପରଦିନ ପ୍ରସନଜିତଙ୍କ ବ୍ରେନ୍ ଡେଡ୍ ହୋଇଥିବା ଜାଣିବାକୁ ପାଇଥିଲେ ଡାକ୍ତର । ଦୁଇ ଦୁଇ ଥର ଟେଷ୍ଟ ପରେ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ । ସ୍ୱାମୀଙ୍କ ବ୍ରେନ୍ ଡେଡ୍ ଖବର ଶୁଣି ପତ୍ନୀଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ହେଲେ ପରିବାର ଲୋକଙ୍କ ସହ ଆଲୋଚନା କରି ପ୍ରସନଜିତଙ୍କ ସବୁ ଅଙ୍ଗ ଦାନ ଲାଗି ସ୍ୱୀକୃତି ଦେଇଥିଲେ ପତ୍ନୀ । ଜୀବିତ ଥିବା ବେଳେ ବିନା କୌଣସି ସ୍ବାର୍ଥରେ ଅଙ୍ଗଦାନ କରିବାକୁ ପ୍ରସନ୍ନଜିତ୍ ଚାହୁଁଥିବା କହିଛନ୍ତି ସାନ ଭାଇ ସତ୍ୟଜିତ।


ପରିବାର ଲୋକଙ୍କ ସ୍ୱୀକୃତି ପରେ ରାଜ୍ୟ ଅଙ୍ଗ ଓ ଟିସୁ ପ୍ରତ୍ୟାରୋପଣ ସଂଗଠନ-ସୋଟୋ, ଆଞ୍ଚଳିକ ଅଙ୍ଗ ଓ ଟିସୁ ପ୍ରତ୍ୟାରୋପଣ ସଂଗଠନ – ରୋଟୋ ଓ ରାଷ୍ଟ୍ରୀୟ ଅଙ୍ଗ ଓ ଟିସୁ ପ୍ରତ୍ୟାରୋପଣ ସଂଗଠନ- ନୋଟୋ ସହଯୋଗରେ ଆରମ୍ଭ ହୋଇଥିଲା ପ୍ରସନଜିତଙ୍କ ଅଙ୍ଗଦାନ
ପ୍ରକ୍ରିୟା । ୨୦ ଜଣ ଡାକ୍ତରଙ୍କ ସହାୟତାରେ ସାଢ଼େ ୪ ଘଣ୍ଟାର ଲଗାତର ପ୍ରୟାସ ପରେ ପ୍ରସନଜିତଙ୍କ ଶରୀରରୁ ୨ଟି ବୃକକ୍, ଫୁସଫୁସ ଓ ଯକୃତକୁ ପ୍ରତ୍ୟାରୋପଣ ପାଇଁ କଢ଼ାଯାଇଥିଲା । ଡାକ୍ତରଙ୍କ ସୂଚନା ଅନୁସାରେ, ପ୍ରସନ୍ନଜିତଙ୍କ ଦୁଇ କୀଡନିକୁ କଟକ ବଡ଼ ମେଡିକାଲ ଏବଂ ସମ୍
ଅଲ୍ଟିମେଟରେ ଦୁଇ ରୋଗୀଙ୍କଠାରେ ପ୍ରତ୍ୟାରୋପଣ କରାଯାଇଛି ।

ପ୍ରସନଜିତଙ୍କ ଫୁସଫୁସରେ ନୂଆ ଜୀବନ ପାଇଛନ୍ତି ଦେଢ଼ ମାସ ହେଲା କୋଲକାତାରେ ଇକମୋ ସହାୟତାରେ ଜୀବନ ଜିଉଁଥିବା ଜଣେ
୧୬ ବର୍ଷୀୟ ରୋଗୀ । ସେହିଭଳି ଗ୍ରୀନ୍ କରିଡର କରି ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରୁଥିବା ଜଣେ ରୋଗୀଙ୍କଠାରେ ପ୍ରତ୍ୟାରୋପଣ ପାଇଁ ପଠାଯାଇଥିଲା ପ୍ରସନଜିତଙ୍କ ଲିଭର । ଜଣେ ବ୍ୟକ୍ତିଙ୍କ ଏକାଧିକ ଅଙ୍ଗକୁ ସଫଳତାର ସହ ରିଟ୍ରାଇଭ୍ କରି ପ୍ରତ୍ୟାରୋପଣ କରିବା କ୍ଷେତ୍ରରେ ଏହା ଓଡ଼ିଶାରେ ପ୍ରଥମ ଘଟଣା ବୋଲି କହିଛନ୍ତି ଡାକ୍ତର । ପ୍ରସନଜିତ କେବଳ ଅଙ୍ଗଦାନ କରି ୪ ଜଣଙ୍କ ଜୀବନ ବଞ୍ଚାଇଛନ୍ତି ତାହା ନୁହେଁ, ବରଂ ନିସ୍ୱାର୍ଥପର ଅଙ୍ଗଦାନ ଲାଗି ଆଗଭର ହେବାକୁ ସମାଜକୁ ବାର୍ତ୍ତା ଦେଇଛନ୍ତି।
 

  • Reported by:
  • KAPILENDRA PRADHAN