• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସଫଳତା ଏକ ମନ୍ତ୍ର । ସଫଳତା ସଂଘର୍ଷର ଅନ୍ୟ ନାମ ମାତ୍ର । ସେହିପରି ସଫଳତା କାହାପାଇଁ ଜୀବନ ସଂଗ୍ରାମ ତ କାହା ପାଇଁ ନୂତନ ସୋପାନ । ହେଲେ ସଫଳତା ହାସଲ ପରେ ମଧ୍ୟ ହୃଦୟବାନ୍‌ ତଥା ଉଦାର ରହିବା ଆଜିକାଲିକା ଦୁନିଆରେ ଖୁବ୍ କମ୍‌ ଦେଖିବାକୁ ମିଳେ । କମ୍ପାନୀରେ ଲାଭ ହେଲେ ସେଥିରେ କର୍ମଚାରୀଙ୍କୁ ଶ୍ରେୟ ଦେଉଥିବା ମାଲିକ ମଧ୍ୟ ଖୁବ୍‌ କମ ଥାଆନ୍ତି । ଏପରି ଜଣେ ସଫଳ ଉଦାର ବ୍ୟବସାୟୀ ହେଲେ ସୋହନ୍‌ ରୟ(Sohan Roy)। ସେ ତାଙ୍କ କମ୍ପାନୀର ୨୫ ବର୍ଷ ପୂରଣ ଅବସରରେ କର୍ମଚାରୀମାନଙ୍କୁ 'ସିଲଭର ଜୁବ୍‌ଲି ଉପହାର' ପ୍ରଦାନ କରିଛନ୍ତି । ଏହି ଅବସରରେ ତାଙ୍କ କମ୍ପାନୀକୁ ଶିଖରରେ ପହଞ୍ଚାଇବାରେ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇବା ସହ ଉପହାର ପ୍ରଦାନ କରିଛନ୍ତି ।

ସୋହନ ରୟ ବ୍ୟବସାୟରେ ଯେତେ ସଫଳ, ହୃଦୟ ତାଙ୍କର ସେତିକି ବଡ଼ । କୌଣସି ପ୍ରକାର ଅନ୍ୟାୟକୁ ସେ ପ୍ରଶ୍ରୟ ଦିଅନ୍ତି ନାହିଁ । ଆଉ ଭଲ କାମ କରୁଥିବା କର୍ମଚାରୀଙ୍କୁ ପୁରସ୍କୃତ କରିବାକୁ ପଛାନ୍ତି ନାହିଁ । ତେବେ ତାଙ୍କର ସବୁଠାରୁ ଭଲ ଗୁଣ ହେଲା ଯୌତୁକ ନେଉଥିବା କର୍ମଚାରୀଙ୍କୁ ସେ ଚାକିରିରେ ରଖନ୍ତି ନାହିଁ ।

ସାରଜାରେ ରୁହନ୍ତି ଏନଆରଆଇ ବିଜିନେସ୍‌ମ୍ୟାନ୍‌ ସୋହନ୍‌...

ସୋହନ୍ ରୟ ଜଣେ ଏନଆରଆଇ ଭାରତୀୟ ବ୍ୟବସାୟୀ । ସେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ସାରଜାରେ ରୁହନ୍ତି । ୧୯୬୭ ମସିହାରେ କେରଳର କୋଲାମ ଜିଲ୍ଲାର ଏକାରାକୋନାମରେ ଜନ୍ମଗ୍ରହଣ କରିଥିବା ସୋହନ ମେରାଇନ୍‌ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି । ସୋହନ୍ Aries Groupର ପ୍ରତିଷ୍ଠାତା, ଯାହା ୨୫ ଟି ଦେଶରେ ୫୯ଟି କମ୍ପାନୀ ଚଳାଉଛି ।

Aries Groupକୁ ମିଡିଲ୍‌ ଇଷ୍ଟର ସବୁଠାରୁ ବଡ଼ multinational group ଭାବରେ ବିବେଚନା କରାଯାଏ । ସୋହନ୍ ରୟ ଭିନ୍ନ ଭିନ୍ନ ବ୍ୟବସାୟ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି, ଯେଉଥିଲେ ଆରିସ୍ ମେରାଇନ୍ ଆଣ୍ଡ ଇଞ୍ଜିନିୟରିଂ ସର୍ଭିସେସ୍ ଏବଂ ସିପ୍ ଡିଜାଇନ୍ କନସଲଟାନ୍ସ ସହିତ ଅନେକ ଭିନ୍ନ ବ୍ୟବସାୟରେ ଆଦି ସାମିଲ ରହିଛି । ଆରବ ଦେଶ ଶ୍ରେଷ୍ଠ ୧୦ ଜଣ ଭାରତୀୟ ବ୍ୟବସାୟୀଙ୍କ ମଧ୍ୟରେ ତାଙ୍କ ନାଁ ରହିଛି ।

୧୯୯୮ରେ ଆରମ୍ଭ କରିଥିଲେ ପ୍ରଥମ କମ୍ପାନୀ...

୧୯୯୮ ମସିହାରେ Aries Marine & Engineering Services ନାମକ କମ୍ପାନୀ ଆରମ୍ଭ କରିଥିଲେ । ଏହି କମ୍ପାନୀର ୨୫ ବର୍ଷ ପୂରଣ ଅବସରରେ ସେ କର୍ମଚାରୀମାନଙ୍କୁ ବଡ଼ ଉପହାର ଦେଇଛନ୍ତି । ସେ ତାଙ୍କର କର୍ମଚାରୀଙ୍କୁ ୩୦ କୋଟି ଟଙ୍କାର ଉପହାର ପ୍ରଦାନ କରିଛନ୍ତି । Aries Marine & Engineering Services କମ୍ପାନୀରେ ୨,୨୦୦ରୁ ଅଧିକ କର୍ମଚାରୀ କାମ କରନ୍ତି ।

ଯୌତୁକ ଦେଉଥିଲେ କିମ୍ବା ନେଉଥିଲେ ଚାକିରି ନାହିଁ...

ଚଳିତ ବର୍ଷ ମାର୍ଚ୍ଚରୁ Aries Marine & Engineering Services କମ୍ପାନୀରେ ଯୌତୁକ ବିରୋଧୀ ନୀତି ଆରମ୍ଭ ହୋଇଛି । ଆନ୍ତର୍ଜାତୀୟ ମହିଳା ଦିବସରେ କାର୍ଯ୍ୟକାରୀ ହୋଇଥିବା ନୀତି ଅନୁଯାୟୀ, ରୟ ନିଷ୍ପତ୍ତି ନେଇଛନ୍ତି ତାଙ୍କ କମ୍ପାନୀର କୌଣସି କର୍ମଚାରୀ ଯୌତୁକ ନେବେ ନାହିଁ କି ଦେବା ନାହିଁ । କେବଳ ଏତିକି ନୁହେଁ ନିୟମ ଭାଙ୍ଗିଥିବା କର୍ମଚାରୀଙ୍କୁ ବରଖାସ୍ତ କରିବା ବ୍ୟତୀତ କମ୍ପାନୀ ମଧ୍ୟ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏଥିପାଇଁ କମ୍ପାନୀ ପକ୍ଷରୁ anti-dowry cell ମଧ୍ୟ ଆରମ୍ଭ ହୋଇଛି ।

ଫୋର୍ବସ୍ ମାଗାଜିନ ତାଲିକାରେ ବିଲିୟନେୟାର ସୋହନ ରୟ ନାଁ ଆସିସାରିଛି । ସେ ୨୦୧୫ ରୁ ୧୦୧୯ ପର୍ଯ୍ୟନ୍ତ କ୍ରମାଗତ ଚାରି ବର୍ଷ ପାଇଁ ଫୋର୍ବସର ବିଲିୟନେୟାର ଇଣ୍ଡିଆନ୍ ଲିଡର୍ସ ଅଫ୍ ୱାର୍ଲ୍ଡ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ।