• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଦୁଆର ଦୁଆର ମାଆ-ପୁଅ ବୁଲୁଛନ୍ତି , ଯିଏ ଯାହା ଦେଲା ସେତକ ଧରି ଘରକୁ ଫେରୁଛନ୍ତି । ହେଲେ ସେମାନେ କାହିଁକି ଭିକ ମାଗୁଛନ୍ତି ତାହା ଜାଣିଲେ ଆପଣଙ୍କ ଆଖିରୁ ବି ଧାର ଧାର ହୋଇ ବାହାରି ଆସିବ ଲୁହ ।

ବିଧାତା ଖେଳିଳା ଖେଳ...କଥାରେ ଅଛି ଦୁଃଖ ଯେତେବେଳେ ଆସେ ସେତେବେଳେ ଭାଇବନ୍ଧୁ କୁଟୁମ୍ବକୁ ସାଙ୍ଗରେ ନେଇ ଆସେ । ଠିକ୍‌ ସେମାନଙ୍କ କ୍ଷେତ୍ରରେ ଘଟିଛି ଭୟଙ୍କର ଘଟଣା । କୁନି ପୁଅର ବାପା ପରିବାର ମୁହଁରେ ଦାନା ଦେବାକୁ ବାହାର ରାଜ୍ୟକୁ ଯାଇଥିଲେ ରୋଜଗାର ପାଇଁ । ହେଲେ ଗଲେ ଯେ ଗଲେ ଆଉ ଫେରିବାକୁ ବାଟ ପାଇଲେ ନାହିଁ । ବାପା ଘରୁ ପଳାଇବା ପରେ ପୂରା ପରିବାରର ଜୀବନ ଦୁର୍ବିସହ ହୋଇଗଲା । ପେଟକୁ ଗଣ୍ଡେ ଦାନା ଯୋଗାଡ କରିବାକୁ ଏବେ ୧୨ ଦୁଆର ଶୁଣ୍ଢିପିଣ୍ଡା ହେଉଛି ମାଆ-ଛୁଆ ।

ରାୟଗଡା ଗୁଡାରୀ ବ୍ଲକ ମୁଳିପୁଟ ଗାଁରେ ଦେଖିବାକୁ ମିଳିଛି ଏମିତି ହୃଦୟଥରା ଘଟଣା । ବାପା ବୈଷ୍ଣବଙ୍କ ଯିବା ପରେ ପିଲାଙ୍କ ଉପରେ ଭାଙ୍ଗିପଡିଛି ଦୁଃଖର ପାହାଡ଼ । ବୈଷ୍ଣବର ପୁଅ ହେଉଛି ଶଙ୍କର । ଯେଉଁ ବୟସରେ ଖେଳାବୁଲା, ପାଠପଢିବାର କଥା ସେହି ବୟସରେ ଏବେ ସେ ଭିକ ମାଗୁଛି । ନିଜ ଇଚ୍ଛାରେ ନୁହେଁ ବରଂ ପରିସ୍ଥିତିର ଦାସ ହୋଇ । ତୃତୀୟ ଶ୍ରେଣୀରେ ପାଠ ପଢିଥିବା ବେଳେ ଗଛରେ ଚଢିଥିଲା ଶଙ୍କର । କରେଣ୍ଟ ଲାଗିଯିବାରୁ ଆଜି ସିଏ ଦିବ୍ୟାଙ୍ଗ ହୋଇଯାଇଛି । କଷ୍ଟେମଷ୍ଟେ ଆଶ୍ରମ ସ୍କୁଲରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିଲା ହେଲେ ନବମ ପଢିବାକୁ ହେଲେ ବାହାର ସ୍କୁଲ ଯିବାକୁ ପଡିବ ଯାହା ତା’ ପକ୍ଷରେ ସମ୍ଭବ ନୁହେଁ ।

ଶଙ୍କରର ପଢିବାକୁ ଆଗ୍ରହ ଥିବା ପରେ ବି ଆର୍ଥିକ ସ୍ଥିତି ତା’ ପାଠ ପଢାରେ ଲଗାଇଛି ରୋକ୍‌ । ସରକାରୀ ସହାୟତା କହିଲେ ମାସକୁ ଯାହା ମିଳୁଛି ୫ ଶହ ଟଙ୍କା ସହିତ ୫ କିଲୋ ଚାଉଳ । ହେଲେ ଗୁହାରି କରିକରି ଥକି ପଡିଲେଣି କିନ୍ତୁ ହ୍ୱିଲ ଚେୟାର ଖଣ୍ଡେ ଏଯାଏଁ ତାକୁ ମିଳିଲା ନାହିଁ । ମାଆ ପଦ୍ମାବତୀଙ୍କ ଇଚ୍ଛା ପିଲାମାନେ ଭଲରେ ଚଳନ୍ତୁ, ଭଲରେ ଖାଆନ୍ତୁ । ହେଲେ ତାହା ସମ୍ଭବ ହେଉନି । ପରିବାର ପାଇଁ ବଡ ପୁଅ ମଜୁରୀ ଖଟୁଛି ତ ଛୋଟ ପୁଅମାନେ ଗାଁ ସ୍କୁଲରେ ପାଠ ପଢୁଛନ୍ତି । ଆଉ ଏମିତି ପରିସ୍ଥିତିରେ ଗଣ୍ଡେ ଖାଇବାକୁ ପୁଅ ଶଙ୍କର ସହ ଭିକ ମାଗିବାକୁ ବାଧ୍ୟ ହେଉଛନ୍ତି ପଦ୍ମାବତୀ ।

ପିଲାଙ୍କର ଦୁଃଖ ଦେଖିବା ପରେ ବିଡିଓଙ୍କୁ ଏନେଇ ଅଗଗତ କରିଥିଲୁ । ହେଲେ ଘଟଣାରେ କୌଣସି ପ୍ରତିକ୍ରିୟା ଦେବାକୁ ବିଡିଓ ମନା କରିଦେଇଥିବା ବେଳେ ସରପଂଚ କହୁଛନ୍ତି ସରକାରୀ ସାହାଯ୍ୟ ଯୋଗାଇ ଦିଆଯିବ । ଗରିବ ଓ ଦିବ୍ୟାଙ୍ଗଙ୍କ ଲାଗି ମାଳମାଳ ଯୋଜନା କରୁଛନ୍ତି ସରକାର । ହେଲେ ପ୍ରକୃତରେ ଯେଉଁମାନେ ହିତାଧିକାରୀ ସେମାନଙ୍କ ଲାଗି ସରକାରୀ ଯୋଜନା ଯେ ସାତ ସପନ ତାହା ଏହି ଘଟଣାରୁ ସ୍ପଷ୍ଟ ଅନୁମେୟ ।

(ଗୁଣୁପୁରରୁ ଇନ୍ଦ୍ରଜିତ ପଣ୍ଡାଙ୍କ ରିପୋର୍ଟ)