• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କଠିନ ପରିଶ୍ରମ ଓ ଲକ୍ଷ୍ୟ ସ୍ଥିର ଥିଲେ ବିଳମ୍ବ ହେଉ ପଛେ, ସଫଳତା ଯେ ନିଶ୍ଚୟ ମିଳିବ ସେଥିରେ ଦ୍ୱିମତ ନାହିଁ । ଆଉ ଏ କଥାକୁ ସତ ପ୍ରମାଣିତ କରି  ଦେଖାଇଛନ୍ତି ଦାଦନରୁ ଡାକ୍ତରୀ ଛାତ୍ର ହୋଇଥିବା ରାୟଗଡାର କୃଷ୍ଣ ଅଟକା ଏବଂ ପିଲାଟି ଦିନରୁ ଦିବ୍ୟାଙ୍ଗ ଯନ୍ତ୍ରଣା ଭୋଗୁଥିବା ଢେଙ୍କାନାଳର ଅଶ୍ରୁମୋଚନ ନାୟକ । ଆସନ୍ତୁ ଜାଣିବା ସଫଳତାର ଦୁଇଟି ଭିନ୍ନ କାହାଣୀ ।

କୋଦାଳ ଧରି ମାଟି ହାଣୁଥିବା ଯୁବକ ଚାଷୀ ନୁହଁନ୍ତି ବରଂ ଜଣେ ଡାକ୍ତରୀ ଛାତ୍ର । ଆଦିବସୀ ଇଲାକା ବିଷମକଟକ ବ୍ଲକ୍ ଥୁଆପଡା ଗାଁର ବଇଦ ଅଟକାଙ୍କ ପୁଅ କୃଷ୍ଣଚନ୍ଦ୍ର । ବୟସ ୩୩ ବର୍ଷ । ୨୦୦୮ରେ ପ୍ଲସ୍ ଟୁ ପାସ୍ କରିବାର ଦୀର୍ଘ ୧୫ ବର୍ଷ ପରେ ମେଡିକାଲ୍ ପଢିବାକୁ ନିଟ୍ କ୍ୱାଲିଫାଏ କରି ଭବାନୀପାଟଣା ମେଡିକାଲ କଲେଜରେ ନାଁ ଲେଖାଇଛନ୍ତି ।

ତେବେ ଏଠି ପ୍ରଶ୍ନ- ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଧରି ପାଠରେ ଡୋରି ବାନ୍ଧି ଦେଇଥିବା କୃଷ୍ଣ ପୁଣି କେମିତି ସଫଳତା ପାଇଲେ ? ଯେଉଁ କୃଷ୍ଣଚନ୍ଦ୍ର ପ୍ଲସ ଟୁ ପାସ୍ ଦାଦନ ଖଟିବାକୁ କେରଳ ପଳାଇଥିଲେ ସେ ପୁଣି ସର୍ବଭାରତୀୟ ପରୀକ୍ଷାରେ କୃତକାର୍ଯ୍ୟ କେମିତି ହେଲେ ? ୨୦୧୪ରେ ଗାଁକୁ ଫେରି ଆସି ବାପାଙ୍କୁ ଚାଷ କାମରେ ସାହାଯ୍ୟ କଲେ ୧୮ରେ ମିତାଳା ଅଟକାଙ୍କୁ ବିବାହ କରିଥିଲେ ।

ତେବେ କୋଭିଡ୍ ସମୟରେ ହଠାତ୍ ପଢା ପ୍ରତି କୃଷ୍ଣଙ୍କ ପୁଣି ମନ ବଳିଲା, ଜୁନିୟର ପିଲାଙ୍କ ସହାୟତାରେ ଆଗକୁ ଚାଲିଲେ । ଏହାରି ଭିତରେ ଦୁଇ ଦୁଇଟି ସନ୍ତାନର ବାପା ହୋଇ ସାରିଥିଲା କୃଷ୍ଣ ଅଟକା ଏବେ MBBS ଛାତ୍ର ।

ସେମିତି କଠିନ ପରିଶ୍ରମ ଓ ସଙ୍ଘର୍ଷର ଆଉ ଏକ ବଳିଷ୍ଠ ଉଦାହରଣ ହେଲେ ଢେଙ୍କାନାଳ ଜିଲ୍ଲା ଆମ୍ବପଡାର ଦିବ୍ୟାଙ୍ଗ ଅଶ୍ରୁମୋଚନ ନାୟକ। ସେ ବି ଜଣେ  ଡାକ୍ତରୀ ଛାତ୍ର । ଦୁଇମାସ ତଳେ ପ୍ରକାଶ ପାଇଥିବା ନିଟ୍ ପରୀକ୍ଷାରେ ସଫଳ ହୋଇ ଏବେ ଏମକେସିଜି ମେଡିକାଲ୍ କଲେଜରେ ପଢ଼ୁଛନ୍ତି । ଚାଲିବା ବସିବା, ସବୁଥିରେ ତାଙ୍କୁ ଅସୁବିଧା ।

ଅଣ୍ଟା ଓ ବେକ ସବୁଥିରେ ଯନ୍ତ୍ରଣା । ବାମ ହାତରେ କଷ୍ଟେମଷ୍ଟେ ଲେଖା ଲେଖି କରନ୍ତି । ତଥାପି ହାର୍ ମାନିନାହାନ୍ତି । ବଡ଼ କଥା ହେଲା, ନିଜ ପଢା ଘର କାନ୍ଥରେ -ନିଟ୍ ଅଲ ଇଣ୍ଡିଆ ରାଙ୍କ ୱାନ୍ ଅଶ୍ରୁମୋଚନ ବୋଲି ଲେଖିଥିବା ଧାଡ଼ି ଆଜି ସତ ହୋଇଛି । ନମ୍ବର ୱାନ୍ ରାଙ୍କ୍ ସିନା ପାଇ ନାହାନ୍ତି, ହେଲେ କ୍ୱାଲିଫାଏ କରିଛନ୍ତି। କହିଛନ୍ତି ମୋ ବାପା-ମାଆଙ୍କ ଆଶିର୍ବାଦରୁ ସଫଳ ହୋଇଛି । ଲକ୍ଷ୍ୟ ଠିକ୍ ଥିଲେ ନିଶ୍ଚେ ସଫଳତା ମିଳେ, ତାହା ପ୍ରମାଣିତ କରିଛନ୍ତି ଡାକ୍ତରୀଛାତ୍ର କୃଷ୍ଣଚନ୍ଦ୍ର ଓ ଅଶ୍ରୁମୋଚନ ।

  • Reported by:
  • RAJASHREE SATAPATHY , Maudi Barik