• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଗାଁକୁ ଆମ୍ବୁଲାନ୍ସ ପଶୁଛି...କାନ୍ଦ ବୋବାଳିରେ ଫାଟି ପଡୁଛି ପୂରା ଏରିଆ । କିଏ ଧନରେ, କିଏ ବାପାରେ ତ ଆଉ କିଏ ଭାଇଲୋ ବୋଲି ରାହା ଦେଉଛି । କାହାକୁ କିଏ ବୁଝାଇବା ପରିସ୍ଥିତିରେ ନାହାନ୍ତି । ପରିବାର ମୁହଁରେ ଆହାର ଦେବା ପାଇଁ ଭେଣ୍ଡିଆ ପୁଅ ଯାଇଥିଲା ଦାଦନ ଖଟି । ମାଆ ଆଶା ରଖିଥିଲା ପୁଅ କାମ କଲେ ଟଙ୍କା ଦେବ, ପରିବାର ଭଲରେ ଚଳିବ । ହେଲେ ସବୁ ଆଶା ଏବେ ଆଶାରେ ରହିଗଲା । ଘରକୁ ତ ପୁଅ ଫେରିବା...ହେଲେ ଜୀବନ୍ତ ନୁହେଁ ବରଂ ଶବ ହୋଇ । ଯାହାକୁ ୧୦ ମାସ ୧୦ ଦିନ ଗର୍ଭରେ ରଖି ଦୁନିଆରେ ଆଲୁଅ ଦେଖାଇଥିଲା ଆଜି ସିଏ ଯେତେବେଳେ ଆଖି ବୁଜିଲା ସେତେବେଳେ କୋଉ ମାଆ ବା ଧୈର୍ଯ୍ୟ ଧରିବ ?

କନ୍ଧମାଳ ଜିଲ୍ଲାରେ କମୁନି ଦାଦନ ଦୁଃଖ । ପ୍ରତିମାସରେ ଦାଦନ ଯାଇଥିବା ପୁଅରୁ ଫେରୁଛି ଶବ । ଆଉ ପରିବାର ଭିତରେ ଏମିତି ପଡୁଛି କାନ୍ଦବୋବାଳି । ଗାଁରେ କାମ ଧନ୍ଦା ମିଳୁନଥିବାରୁ ବହୁ ଲୋକ ବାହାର ରାଜ୍ୟରେ ଯାଇ ଦାଦନ ଖଟୁଛନ୍ତି । ହେଲେ କାମ କରୁ କରୁ ଦୁର୍ଘଟଣାର ଶିକାର ହୋଇ ଜୀବନ ହାରୁଛନ୍ତି । ଆଉ ଠିକ୍‌ ଏମିତି ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଞ୍ଚାୟତର ବାଲକିଡାଡି ଗାଁରୁ । ସ୍ଥାନୀୟ ଅଂଚଳର ଟଳି ଦିଗାଲ ଦାଦନ ଖଟିବାକୁ ଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ।

ପରିବାର ମୁହଁରେ ଆହାର ଦେବା ପାଇଁ ବେଙ୍ଗାଲୁରୁ ଯାଇଥିଲେ । ଭାବିଥିଲେ ସେଠାରେ ଯାହା ଯେତିକି ରୋଜଗାର କରିବେ ସେତିକିରେ ନିଜେ ପୋଷି ହେବା ସହିତ ପରିବାର ମୁହଁରେ ଆହାର ଦେବେ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ଘରୋଇ କମ୍ପାନୀରେ ଟଳି କାମ କରୁଥିବା ବେଳେ ୩୧ ତାରିଖରେ ହଠାତ୍‌ ଗୋଟିଏ କାଠଗଣ୍ଡି ତାଙ୍କ ଗୋଡ଼ରେ ଚାପି ହୋଇଯାଇଥିଲା । ଆଉ ସେ ଗୁରୁତର ଆହତ ହୋଇ ବେଙ୍ଗାଲୁରୁର ଏ.ଜେ ହସ୍ପିଟାଲରେ ଭର୍ତି ହୋଇଥିଲେ । ହେଲେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଉ ମୃତଦେହ ଯେବେ ଘରେ ପହଞ୍ଚିଥିଲା ଏମିତି କାନ୍ଦବୋବାଳିରେ ଫାଟି ପଡିଥିଲା ଗାଁ ଦାଣ୍ଡ । ଭେଣ୍ଡା ପୁଅକୁ ହରାଇ ସମସ୍ତଙ୍କ ଆଖି ଲୁହରେ ଭିଜିଥିଲା ।

ଦର୍ଶକବନ୍ଧୁ ଇଏ ପ୍ରଥମ ଘଟଣା ନୁହେଁ ପୂର୍ବରୁ ବି ଏମିତି ଦାଦନ ଦୁଃଖ, ଦାଦନ ମୃତ୍ୟୁ ସାମ୍ନାକୁ ଆସିଛି । ହେଲେ କେମିତି ଦାଦନ ରୋକାଯାଇପାରିବ ? କେମିତି ଗାଁରେ କାମ ମିଳିପାରିବ ସେନେଇ ପ୍ରଶାସନ କି ସରକାର କୌଣସି ପ୍ରକାର ବ୍ୟବସ୍ଥା କରିନାହାନ୍ତି । ଯାହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ ।

 

  • Reported by:
  • Trinath Sahoo