Advertisment

କଷ୍ଟେମଷ୍ଟେ BCA ପଢିଲେ, MCA ପଢିବାକୁ ଇଚ୍ଛା ଥିଲେ ବି ପାଖରେ ନାହିଁ ଟଙ୍କା

ବାପା ଚାଲିଗଲେ, ମାଆ କଷ୍ଟେମଷ୍ଟେ ବିସିଏ ପଢାଇଲେ । ଏବେ କିନ୍ତୁ ଏମସିଏ ପଢାଇବାକୁ ଅଣ୍ଟାରେ ଆଉ ଦମ୍‌ ନାହିଁ । ସରକାରୀ ବାବୁଙ୍କୁ ଗୁହାରି କରୁଛନ୍ତି

author-image
Sarbeswar
ଅଦ୍ୟତନ ହୋଇଛି
ସରକାର ସାହାଯ୍ୟ କଲେ ଏମସିଏ ପଢିବେ ପାତ୍ର

ସରକାର ସାହାଯ୍ୟ କଲେ ଏମସିଏ ପଢିବେ ପାତ୍ର

ଝାଟିମାଟିର ଘର...କାନ୍ଥରୁ ମାଟି ଖସିଲାଣି, ତ ମଥାଣରୁ ଟାଇଲ ଫାଟିଲାଣି । ଏମିତି ଘରେ ପାଠପଢି ଭଲ ନମ୍ବର ରଖିବା ସହ ପୂରା ଏରିଆରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଭଲ ନମ୍ବର ରଖିବା ପରେ ଆଗକୁ ପଢିବାକୁ ବି ଇଚ୍ଛା । କିନ୍ତୁ ପାଠ ପଢାରେ ଅର୍ଥ ସାଜିଛି ବାଧକ । ପିଲାଟି ଦିନରୁ ବାପାକୁ ହରାଇଥିଲେ । ହେଲେ ପୁଅକୁ ଭଲ ପାଠ ପଢାଇବାକୁ ମାଆ ମଜୁରୀ ଖଟି ଯାହା କିଛି ରୋଜଗାର କରୁଥିଲେ ସେତିକିରେ ମାଆ-ପୁଅ ଦୁହେଁ ଚଳିବା ସହିତ ପୁଅ ପାଠ ପଢୁଥିଲେ । ହେଲେ ମାଆ ଯେତିକି ରୋଜଗାର କରୁଛନ୍ତି ସେତିକିରେ ପରିବାର ଚଳିବା ସହ ପାଠ ପଢିବା ଆଉ ସମ୍ଭବ ହେଉନି । ତେଣୁ ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି ଏଇ ମେଧାବୀ ଛାତ୍ର ଜଣକ ।

Advertisment

କୋରାପୁଟର ପାତ୍ର କିର୍ଶନୀ । ଚଳିତବର୍ଷ ଏନଆଇଏମସିଇଟି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୨୭୫୪ ରାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଓଜେଇ ପରୀକ୍ଷାରେ ଆଦିବାସୀ ବର୍ଗରେ୧୪ ଓ ସାଧାରଣ ବର୍ଗରେ ୭୮୧ ରାଙ୍କ ରଖିଛନ୍ତି । ଆଗକୁ ଆହୁରି ଭଲ ପଢିବାକୁ ଆଶା ବି ରଖିଛନ୍ତି । ହେଲେ ଏହି ଆଶା କେମିତି ପୂରଣ ହେବ ସେହି ଚିନ୍ତାରେ ପୂରା ପରିବାର ।

ଜାଣି ଆଶ୍ଚର୍ଯ୍ୟ ହେବେ କି ପାତ୍ରଙ୍କ ମାଆ ଦିନେ ପଂଚାୟତରେ ସମିତିସଭ୍ୟ ଥିଲେ । ହେଲେ ସ୍ୱାମୀ ଚାଲିଯିବା ପରେ ଦୁଃଖ ୟାଙ୍କ ଜୀବନରେ ଯେମିତି ଭରି ହୋଇ ରହିଛି । ପୁଅକୁ ମଣିଷ କରିବା ପାଇଁ ସେ ଯେଉଁ ଶପଥ ନେଇଥିଲେ ତାହା କେମିତି ପୂରଣ ହେବ ସେନେଇ ଚିନ୍ତାରେ । ବୃଦ୍ଧା ମାଆ ମତି କିର୍ଶାନି ପୁଅର ପ୍ରାଥମିକ ଶିକ୍ଷାଠାରୁ ଯୁକ୍ତ ୨ ବିଜ୍ଞାନ ଓ ବର୍ତ୍ତମାନ ପୁଅକୁ ବିସିଏ ପାଠ୍ୟକ୍ରମ ପାଇଁ ବହୁ କଷ୍ଟରେ ଅର୍ଥ ଯୋଗାଡ଼ କରୁଛନ୍ତି । ହେଲେ ଏବେ ଉଚ୍ଚଶିକ୍ଷା ଲାଗି ଆଉ ଅର୍ଥ ନାହିଁ ।

Advertisment

ବିସିଏ ପରେ ପାତ୍ର ଏମସିଏ କରି କିଛି କରିବାର ଆଶା ରଖିଛନ୍ତି । ହେଲେ ସେହି ଆଶା କେମିତି ପୂରଣ ହେବ ସେଇ ଚିନ୍ତାରେ ମାଆ-ପୁଅ । ତେଣୁ ପୁଅକୁ ସରକାରୀ ସ୍ତରରେ ଯଦି କିଛି ସହାୟତା ମିଳନ୍ତା ତେବେ ପାତ୍ର ଭଲ ପାଠ ପଢିବା ସହିତ ନିଜ ସ୍ୱପ୍ନ ପୂରଣ କରିପାରନ୍ତା ବୋଲି କହିଛନ୍ତି...ସେପଟେ ପାତ୍ରଙ୍କୁ ସବୁ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ।

Meritorious Student Higher Education
Advertisment
Advertisment