• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପୁଅ ଜନ୍ମ ହେବା ପରେ ବାପା-ମାଆ କେତେ ଆଶା କରିଥିଲେ..ବଡ ହେଲେ ଭଲ ରୋଜଗାର କରିବ, ବୁଢା ବୟସରେ ଆମକୁ ଟିକେ ସହାୟ ହେବ । ଭଗବାନଙ୍କୁ ଡାକି ପୁଅ ପାଇଥିବାରୁ ଶ୍ରଦ୍ଧାରେ ନା ଦେଇଥିଲେ ଆଶିଷ । ହେଲେ ଏବେ ଆଶିଷ ପାଇଁ ଆଶୀର୍ବାଦ ଭିକ୍ଷା କରୁଛନ୍ତି ବାପା-ମାଆ । ପୁଅକୁ ଭଲ କରିବା ଲାଗି କାନ୍ଦିକାନ୍ଦି ନେହୁରା ହେଉଛନ୍ତି, ସାହାଯ୍ୟ ପାଇଁ ଗୁହାରି କରୁଛନ୍ତି ।

ବିଛଣାରେ ଶୋଇ ରହିଛି ବଢିଲା ପୁଅ । ଉଠାଇ ଦେଲେ ଉଠୁଛି, ଖୁଆଇ ଦେଲେ ଖାଉଛି । କଡ ଲେଉଟାଇବା ବି ତା’ ପକ୍ଷରେ ସମ୍ଭବ ହେଉନି । ପୁଅର କଷ୍ଟକୁ ବାପା-ମାଆ ଆଉ ଦେଖିପାରୁନାହାନ୍ତି । ଯେଉଁଠି ଯାହା ଥିଲା ସବୁ ସାରିଦେଇ ପୁଅର ଚିକିତ୍ସା କରାଇଲେ । ହେଲେ ବି ପୁଅ ଭଲ ହୋଇନି । ପିଲାଟି ଦିନରୁ ମେଧାବୀ ଛାତ୍ର ଥିବାରୁ ଆଶିଷଙ୍କୁ ନେଇ କେତେ କଣ ସ୍ୱପ୍ନ ଦେଖିଥିଲେ ବାପା ମାଆ ...ହେଲେ ସେ ସ୍ୱପ୍ନ ସତ ହେବା ଏବେ ସ୍ୱପ୍ନ ହୋଇଗଲା ପରି ମନେ ହେଉଛି । ସେଇଥି ଲାଗି ତ ଚିକିତ୍ସା ପାଇଁ ଆକୁଳ ନିବେଦନ କରୁଛନ୍ତି ବାପା-ମାଆ ।

ପଦ୍ମପୁର ରାଜବୋଡାସମ୍ବର ବ୍ଲକ ଚାରପାଲି ଗ୍ରାମ ପଂଚାୟତ ନାଗେଲମାଲ ଗାଁର ଦେବାନନ୍ଦ ଧରେଇ ଓ ସୌଦାମିନୀ ଧରେଇଙ୍କ ପୁଅ ଆଶିଷ । ପ୍ରତିଦିନ ପରି ସେଦିନ ବି ସେ ସ୍କୁଲ ଯାଇଥିଲେ । କିନ୍ତୁ ହଠାତ୍‌ ବେହୋସ ହୋଇଗଲେ । ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆଉ ଡାକ୍ତର କହିଥିଲେ ମୁଣ୍ଡରେ ପାଣି ଜମି ରହିଥିବାରୁ ଏମିତି ହେଉଛି । ବାସ୍‌ ଏହା ଜାଣିବା ପରେ ପରିବାର ପାଦତଳୁ ମାଟି ଖସି ଯାଇଥିଲା ।

ସମୟ ଗଡ଼ିବା ସହିତ ଆଶିଷଙ୍କର ହାତ ଗୋଡ ବି ଧୀରେ ଧୀରେ ଅକାମୀ ହୋଇ ପଡ଼ିଲା । ଚାଲବୁଲ କରିବା ଅସମ୍ଭବ ହୋଇଗଲା । ପୁଅକୁ ଭଲ କରିବା ଲାଗି ବୁର୍ଲାଠୁ ଆରମ୍ଭ କରି କଟକ ବଡ଼ ମେଡିକାଲରେ ୬ ଥର ଅପରେସନ୍‌ କରାଇଲେ । ହେଲେ ସ୍ୱାସ୍ଥ୍ୟରେ କୌଣସି ପରିବର୍ତ୍ତନ ଆସିଲା ନାହିଁ । ଆଉ ପୁଅର ଏମିତି ଅବସ୍ଥା ଦେଖି ହତାଶ ହୋଇ ଗଲେଣି ପୂରା ପରିବାର ଲୋକେ । ଆଶିଷଙ୍କର ଚିକିତ୍ସା ଲାଗି ଜିଲ୍ଲା ପ୍ରଶାସନକୁ ବି ଗୁହାରି କରିଥିଲେ ପରିବାର । ଆଶିଷଙ୍କର ଏମିତି ଅବସ୍ଥା ସଂପର୍କରେ ଜାଣିବା ପରେ ସବୁ ପ୍ରକାର ସହାୟତା ଯୋଗାଇ ଦେବା ସହିତ କେମିତି ସେ ଶୀଘ୍ର ସୁସ୍ଥ ହେବେ ସେନେଇ ତଦାରଖ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ । ସେପଟେ ଆଶିଷଙ୍କୁ ସବୁ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବେ ବୋଲି ବିଧାୟକ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।

ଦର୍ଶକବନ୍ଧୁ ଗରିବଙ୍କ ଲାଗି ମାଳମାଳ ଯୋଜନା କରିଛନ୍ତି ରାଜ୍ୟ ସରକାର । ତେଣୁ ଆଶିଷଙ୍କୁ କେତେ ସହାୟତା ମିଳୁଛି ଏବଂ କେବେ ସେ ସଂପୂର୍ଣ୍ଣ ସୁସ୍ଥ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

 

 

  • Reported by:
  • Somesh Chandra Mohanty