• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କାଦୁଅ ପଚପଚ ଘର । ଘର ନୁହେଁ ତ ବରଂ ଗୁହାଳ କହିଲେ ବୋଧହୁଏ କିଛି ଭୁଲ ହେବନି । ଅସରାଏ ବର୍ଷାରେ ମଥାଣର ପାଲ ଚିରି ଫାଳଫାଳ ହେଲାଣି । କାନ୍ଥରୁ ମାଟି ଖସି ଝଡିପଡିଲାଣି । ହେଲେ ବି ଦୁର୍ଦ୍ଦିନ ଅବସ୍ଥାରେ ଗୁହାଳ ଘରେ ରହୁଛନ୍ତି ଗୋଟିଏ ପରିବାର ।

ଘର ନୁହେଁ ତ ଗୁହାଳ ! ଯେଉଁ ଘରେ ପଶୁ ରହିବାକୁ ରାଜି ହେବନି ସେହି ଘରେ ରହୁଛି ମଣିଷ । ଦିନ ବେଳା ଯାହା ଯେମିତି ରହିଯାଉଛନ୍ତି ହେଲେ ସଂଜ ହେଲେ ସ୍ଥିତି ପୂରା ସଙ୍ଗୀନ ହେଉଛି । କେତେବେଳେ ଘର ଭିତରେ ସାପ ପଶିଯାଉଛି ତ ଆଉ କେତେବେଳେ ବିଛା । କେତେବେଳେ ଯେ କି ଅଘଟଣ ଘଟିବ ତାହା କାହାକୁ ବି ଜଣାନାହିଁ । କିନ୍ତୁ ନିଜ ଜୀବନକୁ ବାଜିରେ ଲଗାଇ ଏଇ ଘରେ ରହୁଛନ୍ତି ୪ ପ୍ରାଣୀ ପରିବାର ।

 

ସେ ପରିବାରର ଦୁଃଖ ଯିଏ ଦେଖିବ ତା’ ଆଖିରେ ଲୁହ ଜକାଇ ଆସିବ । କାରଣ ଯେଉଁଠି ଗାଈ ବନ୍ଧା ହେଉଛି, ସେଇଠି ୪ ପ୍ରାଣୀ ମୁଣ୍ଡ ଗୁଞ୍ଜୁଛନ୍ତି । ଘରର ନା କାନ୍ଥ ଅଛି, ନା ଚାଳରେ ମଥାଣ । ଘର ଭିତରେ ରହିଲେ ବି ଦିନରେ ସୂର୍ଯ୍ୟ ଓ ରାତିରେ ଦିଶୁଛନ୍ତି ଚନ୍ଦ୍ର । ପୁରୀ ନିମାପଡ଼ା ବ୍ଲକ ଅନ୍ତର୍ଗତ ଛେନୁଅଁ ଗାଁର ଶରତ ମଲ୍ଲିକ ଓ ପତ୍ନୀ କବିତା ମଲ୍ଲିକ । ମାସେ କି ଦୁଇମାସ ନୁହେଁ ବରଂ ବର୍ଷବର୍ଷ ଧରି ଭଙ୍ଗା ଘରେ ରହୁଛନ୍ତି ଶରତଙ୍କ ପରିବାର ।

ଆର୍ଥିକ ଭାବରେ ସ୍ୱଛଳ ନଥିବା ଶରତ ଆବାସ ଘରେ ଖଣ୍ଡିଏ ଲାଗି ବାରମ୍ବାର ଗୁହାରି କରୁଥିବା ପରେ ବି ତାଙ୍କ କଥା ଶୁଣିବାକୁ ସତେ ଯେମିତି କାହା ପାଖରେ ସମୟ ନାହିଁ । ଇଏ ଆଜି କି କାଲିର କଥା ନୁହେଁ ବରଂ ୯୯ରେ ମହାବାତ୍ୟାରେ ଘର ଭାଂଗିଯାଇଥିଲା । ପରେ ଯାହା ଯେମିତି ସଜାଡି ଥିଲେ ଘର...ହେଲେ ଫନିରେ ପୁଣି ଥରେ ଭାଙ୍ଗିଗଲା ଘର । ଝିଅ ବାହାଘର କରିଥିବାରୁ ଅଣ୍ଟିରେ ଆଉ ଧନ ନାହିଁ । ଆବାସ ଯୋଜନା ମୂଳରୁ ମିଳିନି ତାହା ନୁହେଁ ବରଂ ଯୋଜନାରେ ୧୦ ହଜାର ଟଙ୍କା ମିଳିଥିଲା । ହେଲେ ୧୦ ହଜାରର ଘର କେମିତି ହେବ ? ତେଣୁ ଭାଗ୍ୟକୁ ଆଦରି ଭଙ୍ଗାଘରେ ରହୁଛନ୍ତି ସୁରେଶଙ୍କ ପରିବାର ।

ତେବେ ସୁରେଶଙ୍କ ଅସୁବିଧା ସମ୍ପର୍କରେ ଆମେ ବିଡିଓଙ୍କୁ ଅବଗତ କରିବା ପରେ ସେ ପ୍ରତିଶ୍ରୁତି ଦେଇ କହିଛନ୍ତି ତଦନ୍ତ କରିବା ପରେ ସୁରେଶଙ୍କୁ ସବୁ ପ୍ରକାର ସରକାରୀ ସହୟତା ଯୋଗାଇ ଦିଆଯିବ ।