• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମୁଁ ମଥାରେ ଓଢଣା ଦେବି ଶାଶୁଘର ଚାଲିଯିବି... ପୁଣି ଲେଲେ ଲେ ବଉଳ ଗୀତରେ ଧୂଳି ଉଡେଇ ନାଚୁଥିଲେ ବରଯାତ୍ରୀ । ବରଯାତ୍ରୀଙ୍କ ଡ୍ୟାନ୍ସ ଦେଖିବା ପରେ ଯିଏ ନାହିଁ ସିଏ କହିବ ସାଧାରଣ ବରଯାତ୍ରୀରେ ଏମିତି ଡିଜେ ବାଜେ ଆଉ ବରଯାତ୍ରୀମାନେ ଡ୍ୟାନ୍ସ କରନ୍ତି । ଏଥିରେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ । ନା...ଏ ବାହାଘରଟି ସାଧାରଣ ଲାଗୁଥିଲେ ବି ଅସାଧାରଣ ।

ମଣ୍ଡପ ସଜା ହୋଇଛି । ହାତରେ ମେହେନ୍ଦୀ ଲାଗିଛି । ନାନାପ୍ରକାର ଗହଣା ଆଦି ଲଗେଇ କନିଆଁ ସଜେଇ ହୋଇ ବସିଛି । କେତେବେଳେ ବର ଆସିବ, ଆଉ ବାହାଘର ହେବ । ଏପଟେ ପଣ୍ଡିତଙ୍କ ପରାମର୍ଶରେ ବରଯାତ୍ରୀଙ୍କୁ ସାଙ୍ଗରେ ନେଇ କନିଆଁ ଘର ପାଖରେ ପହଞ୍ଚିଛି ବର । ଘର ପାଖରେ ବର ପହଞ୍ଚିବା ପରେ ଜୋରଦାରିଆ ସ୍ୱାଗତ ହେଲା, ବାଟବରଣୀ ବି ହେଲା । ଆଉ ବେଦୀରେ ବର କନିଆଁଙ୍କର ବାହାଘର ଚାଲିଛି । ହେଲେ ଏଇ ବାହାଘର ପଛରେ ଯେଉଁ କାହାଣୀ ରହିଛି ତାହା ଜାଣିବା ପରେ ପ୍ରଶାସନକୁ ଆପଣ ସାବାସି ଦେବାକୁ ବାଧ୍ୟ ହେବେ ।

ନୟାଗଡ ଝିଅ ଜିନା, ପିଲାଟି ଦିନରୁ ଅନାଥ । ଜିନା ଯେଚେବେଳେ ଛୋଟ ପିଲା ଥିଲେ ସେବେଠୁ ପର କରିଦେଇଛନ୍ତି ବାପା-ମାଆ । ଆଉ ସେବେଠାରୁ ତାଙ୍କୁ ପ୍ରଶାସନ ବାଳାଶ୍ରମରେ ରଖି ବଡ଼ କରିଛି । ଖାଲି ବଡ଼ କରିଛି ତାହା ନୁହେଁ ବରଂ ମଣିଷ ପରି ମଣିଷ କରି ଗଢିଛି । ଭଲ ପାଠ ପଢିବା ପରେ ଜିନା ଚାକିରି କଲେ । ବାସ୍ ଚାକିରି କରିବା ପରେ କେମିତି ଭଲ ଜାଗାରେ ତାଙ୍କର ବାହାଘର ହୋଇପାରିବ ସେନେଇ ଚେଷ୍ଟା କରିଥିଲା ପ୍ରଶାସନ । ଶେଷରେ ଭଲ ପାତ୍ର ଦେଖି ଜିନାଙ୍କ ବାହାଘର ଠିକ୍‌ କରାଗଲା ।

ଜାଣି ଆଶ୍ଚର୍ଯ୍ୟ ହେବେ କି ଜିନା ଅନାଥ ହୋଇଥିବା ଜାଣିବା ପରେ ତାଙ୍କୁ ୭ ଜନ୍ମର ସାଥୀ କରିବାକୁ ରାଜି ହୋଇଥିଲେ ନୟାଗଡ଼ ଜିଲ୍ଲା ଖଣ୍ଡୁଗାଁ ଗାଁର ପୁରୁଷୋତ୍ତମ ପାଣିଙ୍କ ପୁଅ ଜିତେନ୍ଦ୍ର । ବାହାଘର ପାଇଁ ସମ୍ମତି ଦେବା ପରେ ବଡ଼ ଆଡମ୍ବରରେ ହୋଇଥିଲା ବାହାଘର । ବାହାଘରର ପୂରା ଦାୟିତ୍ୱ ଜିଲ୍ଲା ପ୍ରଶାସନ ନେଇଥିବାରୁ ନୟାଗଡ଼ ବୃଦ୍ଧାଶ୍ରମ ସମର୍ପଣରେ ଖୁବ ଧୁମଧାମରେ ହୋଇଛି ବିବାହ l

ବାହାଘରକୁ ବେଶ୍‌ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଥିଲା । ଭୋଜି ଭାତଠାରୁ ଆରମ୍ଭ କରି ଡେକରେସନ୍‌ ପର୍ଯ୍ୟନ୍ତ ସବୁକୁ ଆକର୍ଷଣୀୟ କରାଯାଇଥିଲା । ବାହାଘରରେ ସାମିଲ ହୋଇଥିଲେ ଜିଲ୍ଲାର ପ୍ରଶାସନିକ ଅଧିକାରୀ । ଆଉ ନବଦମ୍ପତିଙ୍କୁ ଦେଇଥିଲେ ଆଶୀର୍ବାଦ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଇ ବାହାଘରରେ ବରଘର ପକ୍ଷରୁ କିଛି ଜାନିଯୌତୁକ ନିଆଯାଇନି କି କିଛି ଡିମାଣ୍ଡ କରାଯାଇନି । ବରଂ ସ୍ୱଇଚ୍ଛାରେ ବିବାହ କରିଥିବାରୁ ସବୁଆଡୁ ଛୁଟୁଛି ପ୍ରଶଂସାର ସୁଅ ।

  • Reported by:
  • Jayendra Behera