• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଘର ଚଟିଆ ପାଇଁ ବ୍ରହ୍ମପୁରରୁ ଆମେରିକା...କଥାଟା ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ଘଟଣାଟି ସେତିକି ବାସ୍ତବବାଦୀ ମଧ୍ୟ...ଗାଁ ଦାଣ୍ଡରେ କିଚିରିମିଚିରି ଶବ୍ଦ କରି ବସାକୁ ବସା ବୁଲୁଥିବା ଛୋଟ ଚଢେଇଟିଏ ହେଉଛି ଘରଚଟିଆ । ମଣିଷ ସହିତ ତା’ର ନିବିଡ଼ ବନ୍ଧୁତା । ମଣିଷ ରହୁଥିବା ଘରେ ବସା ବାନ୍ଧି ରହୁଥିବାରୁ ତାକୁ ଘରଚଟିଆ କହନ୍ତି । ହେଲେ କାହିଁ କେତେକାଳରୁ ସେହି ଚଢେଇଙ୍କର ଆଉ ଦେଖାଦର୍ଶନ ନାହିଁ । କିନ୍ତୁ ଘରଚଟିଆ କେମିତି ସୁରକ୍ଷିତ ରହିବେ ସେନେଇ ଅନବରତ ଚେଷ୍ଟା କରନ୍ତି ବ୍ରହ୍ମପୁରର ସାଗର ପାତ୍ର । ଯେଉଁଥି ଲାଗି ତାଙ୍କୁ ଆମେରିକାରୁ ଆସିଛି ଡାକରା ।

ବ୍ରହ୍ମପୁର କୁକୁଡ଼ାଖଣ୍ଡି ଗୁଣ୍ଠବନ୍ଧ ଗାଁର ଯୁବକ ସାଗର କୁମାର ପାତ୍ର । ୨୦୧୧ ମସିହାରୁ ଘର କି ଗାଁରେ ଘରଚଟିଆ ଦେଖିବାକୁ ପାଇଲେନି ସାଗର । କିନ୍ତୁ କାହିଁକି ହଠାତ୍‌ ଏଇ ଛୋଟିଆ ଚଢେଇ ଉଭାନ ହୋଇଗଲେ ସେନେଇ ଆରମ୍ଭ କରିଦେଲେ ଗବେଷଣା । ଇଣ୍ଟରନେଟ୍‌ରୁ ଜାଣିବାକୁ ପାଇଥିଲେ କେମିତି ଓ କେଉଁ ସବୁ ସ୍ଥାନରେ ଘର କରି ରୁହନ୍ତି ଘରଚଟିଆ । ବାସ୍‌ ନିଜସ୍ୱ ଉଦ୍ୟମରେ କୁତ୍ରିମ ଘର କରିବା ସହିତ ମାଟି ହାଣ୍ଡି, ପ୍ଲାଇ ବକ୍ସ, ଲାଉ ତୁମ୍ବାରେ ତିଆରି କରିଥିଲେ କୃତ୍ରିମ ଘର।

ଦେଖନ୍ତୁ ଭିଡିଓ | ସୁବ୍ରତଙ୍କ ବାଲକୋନି ଏବେ ଘର ଚଟିଆଙ୍କ ଠିକଣା

ଘରଚଟିଆଙ୍କ ପାଇଁ ଖାଲି ନିଜ ଗାଁ କି ବ୍ଲକ୍‌ ନୁହେଁ ବରଂ ପୂରା ଜିଲ୍ଲାରେ ବୁଲିବୁଲି ତିଆରି କରିଥିଲେ ଘର । ଆଉ ସେହି ଘରେ ଘରଚଟିଆମାନେ ରହିବା ସହିତ ନିଜ ବଂଶବିସ୍ତାର ବି କରୁଛନ୍ତି । ସାଗର ନିଜ ଉଦ୍ୟମରେ ଚଢେଇଙ୍କ ପାଇଁ ତିଆରି କରୁଥିବା ବସା ଦେଖିବା ପରେ ଗାଁ ଲୋକ ବି ବି ଚଢେଇଙ୍କ ଲାଗି ତିଆରି କରିଛନ୍ତି ଅନେକ ବସା । ଦୁଆର ମୁହଁକୁ ହେଉ କି ବାଡି ଦୁଆରକୁ ହେଉ...ବାହାରିବା ମାତ୍ରେ ଚଢେଇଙ୍କର କିଚିରିମିଚିରି ଶବ୍ଦ ଶୁଣି ସମସ୍ତେ ଖୁସ୍‌ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ହଜିଯାଉଥିବା ଚଢେଇ ଘରଚଟିଆଙ୍କ ପାଇଁ କୁତ୍ରିମ ଘର କରି ବେଶ୍‌ ସଫଳତା ପାଇଛନ୍ତି ସାଗର । ସେଇଥି ପାଇଁ ତ କେମିତି ଓ କେତେଦିନରେ ନିଜ ଉଦ୍ୟମରେ ସଫଳ ହୋଇଛନ୍ତି ସାଗର ତାହା ଜାଣିବାକୁ ଆମେରିକାରୁ ଏବେ ଆସିଛି ଡାକରା। ସ୍ୱପ୍ନରେ ସାଗର କେବେ ଭାବିନଥିଲେ ତାଙ୍କର ଉଦ୍ୟମ ଏତେ ସଫଳ ହେବ ଆଉ ଏଇଥି ପାଇଁ ତାଙ୍କୁ ଆମେରିକା ଯିବାକୁ ପଡିବ । କିନ୍ତୁ ବିଦେଶରୁ ଡାକରା ପାଇବା ପରେ ସାଗରକୁ ସବୁଆଡୁ ଛୁଟୁଛି ପ୍ରଶଂସାର ସୁଅ...।

(ରିପୋର୍ଟ- ଜଗନ୍ନାଥ ସାହୁ, ବ୍ରହ୍ମପୁର)