• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କିଟିକିଟି ଅନ୍ଧାର ରାତି । ଶୂନଶାନ ପୂରା ଏରିୟା । ମଶାଣୀ ହୋଇଥିବାରୁ ଦିନରେ ତ ଲୋକ ଆସିବାକୁ ଡରୁଛନ୍ତି । ରାତିରେ କିଏ କାହିଁକି ବା ଆସିବ ? ହେଲେ ରାତିରେ ମଶାଣୀ ଭିତରେ ରହୁଛନ୍ତି ଜଣେ ମଣିଷ । ଖାଲି ରାତିରେ ନୁହେଁ ବରଂ ଦିନରାତି ୨୪ ଘଂଟା ମଶାଣୀରେ ହିଁ ତାଙ୍କର ବିତୁଛି ଜୀବନ । ଶବଦାହ ଅପେକ୍ଷା ଗୃହରେ ଶୋଉଛନ୍ତି, ଖାଲରେ ଜମୁଥିବା ଗୋଳିଆ ପାଣି ପିଇ ସତେ ଯେମିତି ମୃତ୍ୟୁକୁ ଅପେକ୍ଷା କରି ବସିଛନ୍ତି ..ନିଜସ୍ୱ ଇଚ୍ଛାରେ ନୁହେଁ ବରଂ ପରିସ୍ଥିତିର ଦାସ ହୋଇ ଶ୍ମଶାନକୁ କରିଛନ୍ତି ନିଜ ଘର ।

ନବରଙ୍ଗପୁର ତେନ୍ତୁଳୀଖୁଣ୍ଟି ଅମଲାଭଟ୍ଟା ପଞ୍ଚାୟତ ବାରିଗୁଡାର ଭଗବାନ ଗୌଡ଼ । ବୟସ ୬୬ ପାର ହେଲାଣି । ଅଣ୍ଟାରେ ବଳ ଥିବା ବେଳେ ଯ।ହା ଯେତିକି ରୋଜଗାର କରୁଥିଲେ ସେତିକିରେ ସ୍ତ୍ରୀ, ପୁଅ ଝିଅଙ୍କୁ ନେଇ ବେଶ୍‌ ହସଖୁସିରେ ଚଳୁଥିଲା ସଂସାର । ହେଲେ ୯ ବର୍ଷ ତଳେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ବି ପିଲାଙ୍କ ମୁହଁକୁ ଚାହଁ ବାକି ଜୀବନ କାଟିଦେବାକୁ ସେ ନିଷ୍ପତ୍ତି ନେଇଥିଲେ । ପରେ ଝିଅର ବାହାଘର କଲେ । ହେଲେ ପୁଣି ତାଙ୍କ ସହ ଘଟିଲା ଭୟଙ୍କର ଘଟଣା ...ଆଖି ସାମ୍ନାରେ ସ୍ତ୍ରୀକୁ ହରାଇଥିଲେ । ୫ ବର୍ଷ ପରେ ଭେଣ୍ଡିଆ ପୁଅର ଦୁର୍ଘଟଣାରେ ମୃତ୍ୟୁ ହେଲା । ବାସ୍‌ ଭେଣ୍ଡା ପୁଅର ମୃତ୍ୟୁ ହେବା ପରେ ଦୁଃଖର ଭାଙ୍ଗିପଡିଥିଲେ ଭଗବାନ ।

ଦୁଃଖ ଏତିକିରେ ସରିନି ବରଂ ଯବାନ ବେଳେ ଯେଉଁ ଖଣ୍ଡିକ ଘର ତିଆରି କରିଥିଲେ ସିଏ ବି ଭାଙ୍ଗିଗଲା । ଘର ତିଆରି କରିବା ତାଙ୍କ ପକ୍ଷରେ ସମ୍ଭବ ନଥିବାରୁ ଏମିତି ଶ୍ମଶାନରେ ବିତାଉଛନ୍ତି ଜୀବନ । ପ୍ରଥମେତଃ ଏଇ ପାଲଟଣା ଘରେ ଜୀବନ ବିତାଉଥିଲେ । ହେଲେ ସମୟ କ୍ରମେ ସେ ଘରେ ରହିବା ବି ତାଙ୍କ ଲାଗି କଷ୍ଟକର ହୋଇ ପଡିଲା । ତେଣୁ ଉପାୟଶୂନ୍ୟ ହୋଇ ମଶାଣୀକୁ ନିଜର ଘର ବୋଲି ଭାବିନେଲେ ଭଗବାନ । ଆଉ ଯେମିତି ଯାହା ମିଳିଲା ସେତକ ଖାଇ ଅତି କଷ୍ଟରେ ବିତାଉଛନ୍ତି ଜୀବନ ।

ଘର ଖଣ୍ଡିଏ ଲାଗି କାହାକୁ କହିନାହାନ୍ତି ତାହା ନୁହେଁ ବରଂ ପ୍ରଶାସନ ପାଖକୁ ଦୌଡି ଦୌଡି ନୟାନ୍ତ ହେଲେଣି ସତ କିନ୍ତୁ ଘର ଖଣ୍ଡିଏ ପାଇଲେ ନାହିଁ କି ଭତ୍ତା ଗଣ୍ଡାଏ ପାଇଲେ ନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭଗବାନଙ୍କ ଘରଠାରୁ ନବରଙ୍ଗପୁର ବିଧାୟକଙ୍କ ଘର ମାତ୍ର ୮ କିଲୋମିଟର ବାଟ । ହେଲେ ସିଏ ବି ଭଗବାନଙ୍କୁ କରୁନାହାନ୍ତି ସାହାଯ୍ୟ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ନାପସନ୍ଦ କରାଯାଇଛି । ସେପଟେ ଭଗବାନଙ୍କ ଦୁଃଖ ସମ୍ପର୍କରେ ବିଡିଓ ଜାଣିବା ପରେ ତୁରନ୍ତ ତାଙ୍କୁ ଭତ୍ତା ଦିଆଯିବା ସହିତ ସବୁ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।


 

  • Reported by:
  • Naba Ghana Bishoi