/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688651236.jpg)
Man goes missing from market
ଆଖିରୁ ବହି ଚାଲିଛି ଲୁହ । ବାପାଙ୍କ ଫଟୋ ଧରି ପଚାରୁଛନ୍ତି ଭାଇଭଉଣୀ.. ବାପା ତମେ କେଉଁଠି ଅଛ ? ଜଲଦି ଘରକୁ ଫେରିଆସ । ଆମେ କେମିତି ବଞ୍ଚିଛୁ ଥରେ ଦେଖିଯାଅ । ତୁମ ବିନା ଆମ ଦୁନିଆ ଅନ୍ଧାର ହେଲାଣି । ପୁଅ, ଝିଅ ଦୁଇ ଜଣକୁ ଯେତେବେଳେ ଦେଖିବ ବାପା ବାବାଜୀ ଭୋଇଙ୍କ ଫଟୋ ଧରି କାନ୍ଦୁଛନ୍ତି । କଟକ ୪୨ମୌଜାର ଦୀପ୍ତିମୟୀ ଭୋଇ ଓ ବାବୁନ ଭୋଇ । ପିଲା ଦିନରୁ ମାଆକୁ ହରାଇଥିବା ଭାଇ-ଭଉଣୀ ବାପାଙ୍କ ସାହାରାରେ ଜୀବନ କାଟୁଥିଲେ, ହେଲେ ଦଇବ ସେତକ ବି ସହିଲାନି ।
ଖେଳକୁଦ ବୟସରେ ପର ଘରେ ପାଇଟି କରି ଦିନ କାଟୁଛନ୍ତି । ସେମାନଙ୍କ ବାପା ଘରୁ ଯାଇଛନ୍ତି ଯେ ଯାଇଛନ୍ତି । ମାସେ ହେଲା ସାଇକେଲ ନେଇ କେଉଁ ଆଡେ ଚାଲିଯାଇଛନ୍ତି ଯେ ଆଉ ଘରକୁ ଫେରୁନାହାନ୍ତି । ଏଣେ ଛୁଆ ଦୁଇଟା ବିକଳ ହୋଇ ସବୁଆଡ଼େ ଖୋଜି ଖୋଜି ନୟାନ୍ତ ହେଲେଣି । ପେଟକୁ ଦାନା ଖଣ୍ଡେ ଦେବା ପାଇଁ ଝିଅଟି ପର ଘରେ ମୂଲ ଲାଗିଲାଣି । ଏବେ ଖାଲି କାନ୍ଦିବା ଛଡା ସେମାନଙ୍କ ପାଖରେ ଆଉ ଯେମିତି କିଛି ଚାରାନାହିଁ ।
ନିଖୋଜ ବାବାଜୀ ଭୋଇଙ୍କୁ ଖୋଜି ଖୋଜି ହତାଶ ହେଲେଣି ଦୁଇ ଭାଇ ଭଉଣୀ । ମାଆ କ୍ୟାନ୍ସରରେ ପୀଡ଼ିତ ହୋଇ ଆରପାରିକୁ ଚାଲିଯାଇଥିଲା, ଆଉ ସେବେଠୁ ବାପା ଦୁଇ ଜଣଙ୍କ ପାଇଁ ସବୁକିଛି ଥିଲେ । ହେଲେ ଏବେ ସେ ବି କୁଆଡେ ଚାଲିଗଲେ । ଥାନାରେ ଅଭିଯୋଗ କଲେ ଥାନା ବାବୁ ଗାଳି ଗୁଲଜ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଦୀପ୍ତିମୟୀ । ସେମାନଙ୍କ ପାଖରେ ଏବେ ସାହାରା କହିଲେ ସରକାରୀ ରାସନ୍ କାର୍ଡ ଖଣ୍ଡେ । ଆଉ ଘରର ଅବସ୍ଥା କଥା ନ କହିଲେ ଭଲ । ବାପା ମାଆ ଛେଉଣ୍ଡ ଏହି ଅନାଥ ପିଲା ଦୁହେଁ ଏବେ ଦୁର୍ଦ୍ଦିନରେ ରହୁଛନ୍ତି । ତେବେ ସମୟ କହିବ କେବେ ଏମାନଙ୍କ ପାଖରେ ପହଞ୍ଚୁଛି ପ୍ରଶାସନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)