Advertisment

Success Story: ବିଫଳ ପ୍ରେମର ସଫଳ କାହାଣୀ : ପ୍ରେମିକା ‘ଖରାପ ପିଲା’ କହି ଧୋକ୍କା ଦେବା ପରେ ପ୍ରେମିକ ପାଇଲା IAS

ବଲିଉଡର ଏକ ଫିଲ୍ମ ‘ସାଦି ମେଁ ଜରୁର ଆନା’ ର କାହାଣୀ ସମସ୍ତେ ଜାଣିଥିବେ । ପ୍ରେମିକା ଧୋକା ଦେଇ ଚାଲିଯିବା ପରେ ମୁଖ୍ୟ ନାୟକ ରାଜକୁମାର ରାଓ ଭାଙ୍ଗି ପଡିଥିଲେ  । ହତାଶା ଆଉ ଅପମାନ ତାଙ୍କୁ ଆଇଏଏସ ହେବା ପାଇଁ ମନୋବଳ ଦେଇଥିଲା ଏବଂ ସେ ଆଇଏଏସ ହୋଇଥିଲେ । ଏହା ଏକ ଫିଲ୍ମର କାହାଣୀ ଥିଲା । ହେଲେ ଏହି କାହାଣୀକୁ ବାସ୍ତବରେ ପରିଣତ କରିଛନ୍ତି ବିହାରର ଆଦିତ୍ୟ ପାଣ୍ଡେ । ବିଫଳ ପ୍ରେମ ତାଙ୍କୁ ଦେଇଥିଲା ସଫଳତା ହାସଲ କରିବା ପାଇଁ ଦୃଢ ମନୋବଳ । ସେ ୨୦୨୨ ୟୁପିଏସସିରେ ଅଲ ଇଣ୍ଡିଆ ରାଙ୍କ ୪୮ ହାସଲ କରିଥିଲେ  ଯାହାର ରେଜଲ୍ଟ ୨୦୨୩ରେ ପ୍ରକାଶ ପାଇଥିଲା । ଏବେ ସେ ଝାରଖଣ୍ଡର ବୁଣ୍ଡୁରେ ନିଯୁକ୍ତି ପାଇଁ ସେବାରତ ଅଛନ୍ତି ।

author-image
Minati Mishra
ଅଦ୍ୟତନ ହୋଇଛି
ବିଫଳ ପ୍ରେମ ଦେଲା ସଫଳତା

ବିଫଳ ପ୍ରେମ ଦେଲା ସଫଳତା

ପ୍ରେମ ଏମିତି ଏକ ଅନୁଭବ ଯାହା ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ । ଅନ୍ୟପକ୍ଷେ ବିଫଳ ପ୍ରେମ ଜୀବନକୁ ନର୍କ କରି ଦେଇଥାଏ । ଏଇ ବିଫଳ ପ୍ରେମ ପାଇଁ କେଉଁଠି ମଣିଷ ନୈରାଶ୍ୟର ଅଥଳ ସାଗରରେ ବୁଡି ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଥାଏ । କେଉଁଠି ପୁଣି ଏହା ମଣିଷକୁ ହିଂସ୍ର କରି ହତ୍ୟା ପରି ନୃଂଶସ ପଦକ୍ଷେପ ନେବାକୁ ପ୍ରବର୍ତ୍ତାଇ ଥାଏ । ଏଇ ବିଫଳ ପ୍ରେମ ପାଇଁ କେତେ ହତ୍ୟା, କେତେ ଆତ୍ମହତ୍ୟାର ଖବର ଗଣମାଧ୍ୟମ ଓ ସୋସିଆଲ ମିଡିଆର ଶୀର୍ଷକ ପାଲଟିଛି ସମସ୍ତେ ଜାଣନ୍ତି । ହେଲେ ଆମେ ଏଠି କହିବୁ ବିଫଳ ପ୍ରେମୀଯୁଗଳଙ୍କ ପାଇଁ ଏକ ସଫଳ କାହାଣୀ  । ବିଫଳ ପ୍ରେମ  ମଣିଷକୁ କେତେ ଉପରକୁ ନେଇପାରେ..କେତେ ସଫଳତା ପାଦତଳେ ଅଜାଡି ଦେଇପାରେ.. ତାହାର ଏକ ଜୀବନ୍ତ ଉଦାହରଣ ଦେବୁ।

Advertisment

ବଲିଉଡର ଏକ ଫିଲ୍ମ ‘ସାଦି ମେଁ ଜରୁର ଆନା’ ର କାହାଣୀ ସମସ୍ତେ ଜାଣିଥିବେ । ପ୍ରେମିକା ଧୋକା ଦେଇ ଚାଲିଯିବା ପରେ ମୁଖ୍ୟ ନାୟକ ରାଜକୁମାର ରାଓ ଭାଙ୍ଗି ପଡିଥିଲେ  । ହତାଶା ଆଉ ଅପମାନ ତାଙ୍କୁ ଆଇଏଏସ ହେବା ପାଇଁ ମନୋବଳ ଦେଇଥିଲା ଏବଂ ସେ ଆଇଏଏସ ହୋଇଥିଲେ । ଏହା ଏକ ଫିଲ୍ମର କାହାଣୀ ଥିଲା । ହେଲେ ଏହି କାହାଣୀକୁ ବାସ୍ତବରେ ପରିଣତ କରିଛନ୍ତି ବିହାରର ଆଦିତ୍ୟ ପାଣ୍ଡେ । ବିଫଳ ପ୍ରେମ ତାଙ୍କୁ ଦେଇଥିଲା ସଫଳତା ହାସଲ କରିବା ପାଇଁ ଦୃଢ ମନୋବଳ । ସେ ୨୦୨୨ ୟୁପିଏସସିରେ ଅଲ ଇଣ୍ଡିଆ ରାଙ୍କ ୪୮ ହାସଲ କରିଥିଲେ, ଯାହାର ରେଜଲ୍ଟ ୨୦୨୩ରେ ପ୍ରକାଶ ପାଇଥିଲା । ଏବେ ସେ ଝାରଖଣ୍ଡର ବୁଣ୍ଡୁରେ ନିଯୁକ୍ତି ପାଇଁ ସେବାରତ ଅଛନ୍ତି ।

କହିବାକୁ ଗଲେ ପ୍ରେମରେ ଧୋକା ଆଦିତ୍ୟଙ୍କ ଭାଗ୍ୟ ବଦଳାଇ ଦେଇଥିଲା । ଆଦିତ୍ୟ ପାଟନା ଜିଲ୍ଲାର ବିଶୁନ ପୁର ଗ୍ରାମର ବାସିନ୍ଦା । ପିଲାଦିନରୁ ଖୁବ ଦୁଷ୍ଟ ଥିଲେ ଆଦିତ୍ୟ । ସେଥିପାଇଁ ପରିବାର ଲୋକେ ତାଙ୍କୁ ଜାମନଗରରେ ଥିବା ଭଉଣୀ ପାଖକୁ ପଠାଇ ଦେଇଥିଲେ । ୮ମ ଏବଂ ୯ମ ଖୁବ ଭଲ ପଢୁଥିଲେ ଆଦିତ୍ୟ । ହେଲେ ୧୦ମ ଶ୍ରେଣୀରେ ପ୍ରେମରେ ପଡି ପାଠପଢା ଖରାପ କରିଦେଲେ । ଦଶମ ରେଜଲ୍ଟ ଖରାପ ହେଲା । ଏହାପରେ ବାପା ତାଙ୍କୁ ପୁଣି ପାଟନା ନେଇ ଆସିଲେ ।

Advertisment

ଆଦିତ୍ୟ ଯେତେବେଳେ ସ୍କୁଲରେ ପଢୁଥିଲେ ସେତେବେଳେ ତାଙ୍କର ଜଣେ ଶିକ୍ଷକ ତାଙ୍କର ପାଠପଢାକୁ ନେଇ ଖୁବ କ୍ଷୁବ୍ଧ ଥିଲେ । ସେ ତାଙ୍କ ବାପାଙ୍କୁ ଚାଲେଞ୍ଜ ଦେଇ କହିଥିଲେ, ‘ଯଦି ଏହି ପିଲା ପାଠ ପଢି କେବେ କିଛି ବଡ ସଫଳତା ହାସଲ କରେ ତେବେ ମୁଁ ମୋ ନିଶ କାଟିଦେବି ।’ ଏମିତି ଏକ ବିଗିଡି ଯାଇଥିବା ପିଲାର ଟ୍ୟାଗ ନେଇ ଆଦିତ୍ୟ ଇଞ୍ଜିନିୟରିଂ ପଢିବାକୁ ଗଲେ । ପ୍ରଥମ ସେମିଷ୍ଟାର ରେଜଲ୍ଟ ଖୁବ ଭଲ ରହିଲା । ହେଲେ ସେକେଣ୍ଡ ସେମିଷ୍ଟାର ବେଳକୁ ତାଙ୍କୁ ଗର୍ଲଫ୍ରେଣ୍ଡ ଛାଡି ଦେଲା । ଖୁବ ଭାଙ୍ଗି ପଡିଲେ ଆଦିତ୍ୟ । କନ୍ଦାକଟା କଲେ । ଯାହା ବି ହେଉ, ଯେତତେନ ପ୍ରକାରେ ଆଦିତ୍ୟ ବିଟେକ ସାରି ଏକ ପ୍ରାଇଭେଟ କମ୍ପାନୀରେ ଚାକିରୀ ପାଇଥିଲେ ।

କିଛିଦିନ ପରେ ଚାକିରୀ ବି ଛାଡି ଦେଲେ 

ଏହାପରେ ଆଦିତ୍ୟ ଏମବିଏ କରିବାକୁ ଚାହିଁଲେ ।  କ୍ୟାଟରେ ୨୦୧୫ରେ ୯୫ ପର୍ସେଣ୍ଟାଇଲ ସହ ସଫଳତା ହାସଲ କଲେ । ଆଇଆଇଟି ରୁରକୀରେ ନାମ ଲେଖାଇଲେ । ସେଠାରେ ପୁଣି ପ୍ରେମରେ ପଡିଗଲେ ଆଦିତ୍ୟ । ୬ମାସ କାଳ ପ୍ରେମ ସମ୍ପର୍କ ବେଶ ଭଲ ରହିଲା । ହେଲେ ତା ପରେ ଆଦିତ୍ୟଙ୍କୁ ଅତି ଖରାପ ପିଲା ବୋଲି କହି ପ୍ରେମିକା ଛାଡି ଚାଲିଗଲା । ରାଗରେ ଆଦିତ୍ୟ କହିଥିଲେ, ୟୁପିଏସସି ଦେବି ଏବଂ ଆଇଏଏସ ହେବି ।

ବାସ୍, ଏହି ଜିଦ ଆଗରେ ସବୁକିଛି ଫିକା ପଡିଗଲା । ଜିଦରେ ଅଟଳ ଥିଲେ ଆଦିତ୍ୟ । ମନର ନୈରାଶ୍ୟ କ୍ରୋଧରେ ବଦଳି ଯାଇଥିଲା । ଆଉ ସେହି  କ୍ରୋଧ ତାଙ୍କୁ ସକରାତ୍ମକ ଦିଗରେ ଯିବା ପାଇଁ ବାଟ ଦେଖାଇଥିଲା ।

ଆଦିତ୍ୟ ବିନା ପ୍ରସ୍ତୁତିରେ ୨୦୨୦ରେ ପ୍ରଥମ ୟୁପିଏସସି ପରୀକ୍ଷା ଦେଇଥିଲେ । ହେଲେ ଅସଫଳ ହୋଇଥିଲେ । ଏହାପରେ ପଢାପଢି କରି ୨ୟ ଥର ପାଇଁ ୨୦୨୧ରେ ଦେଲେ । ହେଲେ ସେଥିରେ ବି ସଫଳ ହୋଇ ପାରିଲେ ନାହିଁ । ଆଦିତ୍ୟଙ୍କ ପାଖରେ ୪ଟି ସୁଯୋଗ ଥିଲା ଆଉ ଦୁଇଟି ଶେଷ ହୋଇ ଯାଇଥିଲା । ତଥାପି ସେ ଭାଙ୍ଗି ପଡିନଥିଲେ । ଆଉ ଏକ ଆଟେମ୍ପ୍ଟ ପାଇଁ ଲାଗି ପଡ଼ିଲେ । ଜୀ-ଜାନ ଲଗାଇ ପଢିଲେ । ହେଲେ ଏଥର ତାଙ୍କ ପରିଶ୍ରମ ବୃଥା ଯାଇ ନ ଥିଲା । ୨୦୨୨ରେ ସେ ପ୍ରିଲିମନାରୀ ଏବଂ ମେନ୍ସ କ୍ଲିୟର କରିଥିଲେ । ଏହା ପରେ ଥିଲା ଇଣ୍ଟରଭ୍ୟୁ । ସେଥିରେ ମଧ୍ୟ ସେ ଭଲ କରିଥିଲେ । ଯେତେବେଳେ ରେଜଲ୍ଟ ଆସିଲା ସେତେବେଳେ ସେ ମେନ୍ସରେ ୮୨୨ ଏବଂ ଇଣ୍ଟରଭ୍ୟୁରେ ୧୯୦ ଏହିପରି ୧୦୧୨ ନମ୍ବର ରଖି ୪୮ ରାଙ୍କ ପାଇଥିଲେ ।

ଆଦିତ୍ୟ ଆରମ୍ଭରୁ କହିଥିଲେ, ଯେତେବେଳେ ରେଜଲ୍ଟର ପିଡିଏଫ ଆସିବ ତାଙ୍କ ନାଁ ପ୍ରଥମ ପୃଷ୍ଟାରେ ଥିବ । ଭଗବାନଙ୍କ ଦୟାରୁ ସେଇଆ ହିଁ ଘଟିଥିଲା । ଏହାପରେ ପାଟନାର ବିଗିଡି ଯାଇଥିବା ପିଲାଟି ପହଞ୍ଚିଥିଲା ମସୁରୀର ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନ ଏକାଡେମୀରେ । ସେଠାରେ ଟ୍ରେନିଂ ଶେଷ କରି ଝାରଖଣ୍ଡରେ ପାଇଥିଲେ ନିଯୁକ୍ତି ।

ପ୍ରେମର ବିଫଳତା ଏବଂ କ୍ୟାରିଅର ଗଠନର ସଫଳତା ବିଷୟରେ ଆଦିତ୍ୟ କହନ୍ତି, ସେ ବ୍ରେକ-ଅପକୁ ଲଙ୍ଗ ଟର୍ମ ମୋଟିଭେଶନାଲ ବୋଲି ଗ୍ରହଣ କରନ୍ତି ନାହିଁ । କାରଣ ତାଙ୍କର ଦୁଇ-ତିନୋଟି ବ୍ରେକ-ଅପ ହୋଇଛି । ଏହା ଅଳ୍ପ ସମୟ ପାଇଁ ତାଙ୍କୁ ମୋଟିଭେସନ ଦେଇଛି । କିନ୍ତୁ ଆଇଏଏସ ହେବା ପାଇଁ ଲଙ୍ଗ ଟର୍ମ ମୋଟିଭେସନ ରହିବା ଦରକାର । ଏହା ସେତେବେଳେ ମିଳିବ ଯେତେବେଳେ କିଛି ହେବାର ଇଚ୍ଛା ଅନ୍ତରାତ୍ମାରୁ ଆସିବ । ଆଦିତ୍ୟ ତାଙ୍କର ଏହି ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଯାହା ବି ହେଉ, ଆଦିତ୍ୟଙ୍କର ଏହି ସଫଳତା ଆଜିର ଯୁବପିଢ଼ି ପାଇଁ ଏକ ପ୍ରେରଣା ନିଶ୍ଚୟ ହୋଇପାରିବ ।  

UPSC Civil Services Human Interest Story Human Interest Successful
Advertisment
Advertisment