• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ହାତକୁ ଦି’ ହାତ ହେଲା ପରେ ବାପା, ମା’ଙ୍କୁ ହତାଦର କରିଥିବା ସନ୍ତାନଙ୍କୁ ସବକ୍ ଶିଖାଇଲେ ଜଣେ ବାପା । କେବଳ ସବକ ଶିଖାଇନାହାଁନ୍ତି, ମା’ର ଦେହାନ୍ତ ପରେ ମୁଖାଗ୍ନି ଦେବାରୁ ବି ବଞ୍ଚିତ କରିଛନ୍ତି । ଘଟଣା ଘଟିଛି, ପୁରୀ ସ୍ୱର୍ଗଦ୍ୱାରରେ। ମିଳିଥିବା

ସୂଚନା ଅନୁଯାୟୀ, ମୃତ ମହିଳା ହେଲେ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ କୁକୁଟେଶ୍ୱର ମନ୍ଦିର ନିକଟରେ ରହୁଥିବା ଅର୍ଜୁନ ବେହେରାଙ୍କ ପତ୍ନୀ ପଦ୍ମାବତୀ । ସ୍ୱଳ୍ପ ବେତନ ସତ୍ତ୍ୱେ ଛଅ ଛଅଟି ପିଲାଙ୍କୁ ଲାଳନ ପାଳନ କରି ବଡ଼ କରିଥିଲେ । କିନ୍ତୁ କାଳକ୍ରମେ ଅବସର ପରେ ବାପାଙ୍କ ପେନସନ ଟଙ୍କାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ସ୍ଥିତି ଏମିତି ହେଲା ଯେ, ପତ୍ନୀମାନଙ୍କୁ ନେଇ ୩ ପୁଅ ଅନ୍ୟତ୍ର ଚାଲିଯାଇଥିଲେ।

ତେଣୁ ପରିଣତ ବୟସରେ ଅଣଦେଖା କରିବାରୁ ଏବଂ ନିର୍ଯାତନା ଦେବାରୁ ୨୦୨୦, ନଭେମ୍ବର ୨୦ରେ ନୋଟାରୀରେ ଏକ ସତ୍ୟପାଠ କରିବା ସହ ସେମାନଙ୍କ ମୃତ୍ୟୁ ପରେ ୩ ପୁଅ ମୁଖାଗ୍ନି ଦେବେ ନାହିଁ କିମ୍ବା ଶବ ସତ୍କାରରେ ଉପସ୍ଥିତ ରହିବେ ନାହିଁ ବୋଲି ଦର୍ଶାଇଥିଲେ। ଏସବୁ ଭିତରେ ପୁରୀରେ ଆସି ଭଡ଼ା ଘରେ ଜୀବନ ବିତାଉଥିଲେ ଅର୍ଜୁନ ଓ ପଦ୍ମାବତୀ ।

କିନ୍ତୁ ଗତକାଲି ପଦ୍ମାବତୀଙ୍କ ଦେହାନ୍ତ ହୋଇଯାଇଥିଲା। ଗତକାଲି ସ୍ୱର୍ଗଦ୍ୱାରରେ ଶବ ସତ୍କାର ପାଇଁ ପଦ୍ମାବତୀଙ୍କୁ ନେଇଥିବାବେଳେ ୩ ପୁଅ ବି ପହଞ୍ଚିଥିଲେ ସ୍ୱର୍ଗଦ୍ୱାରରେ। କିନ୍ତୁ ସତ୍ୟପାଠ ଦେଖି ନିରାଶ ହୋଇଥିଲେ ୩ ପୁଅ। ୩ ପୁଅଙ୍କ ବଦଳରେ ଭଣଜା ମୁଖାଗ୍ନି ଦେଇଥିଲେ ମୃତ୍ୟୁ ପଦ୍ମାବତୀଙ୍କ ମରଶରୀରରେ। ତେବେ ଏନେଇ ଅର୍ଜୁନ ବେହେରାଙ୍କ ୩ ପୁଅଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

  • Reported by:
  • PRADEEP MAHANTY