• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ହରିବୋଲ ପଡୁଛି...ଶଙ୍ଖ ବାଜୁଛି । ହୁଳହୁଳିରେ କମ୍ପୁଛି ପୂରା ପରିବେଶ । ଝାଞ୍ଜ, ମୃଦଙ୍ଗର ଶବ୍ଦରେ ପ୍ରକମ୍ପିତ ହେଉଛି ଗାଁ । ଜଗନ୍ନାଥଙ୍କ ଭଜନ ଶୁଣି ସମସ୍ତେ କୃତ୍ୟ କୃତ୍ୟ ହୋଇଛନ୍ତି । ଏମିତି ଦୃଶ୍ୟ ଦେଖିବା ପରେ ଭାବୁଥିବେ ଗାଁରେ ବୋଧହୁଏ କିଛି କୀର୍ତ୍ତନ ହେଉଛି ବୋଲି । ନା..ସବୁ କାଳିଆର ଲୀଳା । ସ୍ୱପ୍ନରେ ମହାବାହୁ ଆସିବା ପରେ ଶ୍ରୀକ୍ଷେତ୍ରରୁ ଗାଁକୁ ଲାଗିଲା ଡୋରୀ । ପୁରୀରୁ ଗାଁକୁ ଆସିଲେ ସ୍ୱୟଂ ଜଗନ୍ନାଥ । ଭକତର ଗୁହାରି ଶୁଣି ଗାଁକୁ ପଳାଇ ଆସିଛନ୍ତି କାଳିଆ ସାଆନ୍ତେ...ଆଉ କାଳିଆ ଆସିବା ଖୁସିରେ ଗାଁ ଫାଟିପଡିଥିଲା ।

ନୟାଗଡ଼ ନୂଆଗାଁ ବ୍ଲକ ଦୂରଦୁରା ଗାଁ । ଗାଁର ସଞ୍ଜୟ କୁମାର ସ୍ୱାଇଁଙ୍କୁ ଅଧ ରାତିରେ ହେଲା ସ୍ୱପ୍ନାଦେଶ । ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ରଥଚକ ଆଣିବାକୁ ସ୍ୱୟଂ ମହାବାହୁ ସଞ୍ଜୟଙ୍କୁ ସ୍ୱପ୍ନାଦେଶ କରିଥିଲେ । ଆଉ ସ୍ନପ୍ନାଦେଶ ହେବା ପରେ ରଥଚକ ପାଇଁ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲେ ସଂଜୟ । ପ୍ରଶାସନ ପକ୍ଷରୁ ଦେବଦଳନ ରଥ ଚକ ବି ମିଳିଲା । ଆଉ ଏହାପରେ ପୁରୀରୁ ଗାଡ଼ି ଯୋଗେ ପୂରା ଭକ୍ତିମେୟ ପରିବେଶରେ ଗାଁକୁ ଆସିଥିଲା ରଥଚକ । ଚକ ନୁହେଁ ବରଂ ସ୍ୱୟଂ ଜଗନ୍ନାଥ ଆସିଛନ୍ତି କହିବା ସହିତ ହରିବୋଲ ହୁଳହୁଳି ଦେଇ ସ୍ୱାଗତ କରିଥିଲେ ଗାଁ ଲୋକେ ।

ତେବେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗାଁ ପରିକ୍ରମା କରିବା ସହ ସଂଗ୍ରହାଳୟରେ ସ୍ଥାନୀତ କରାଯାଇଛି ରଥଚକ l ସଂଗ୍ରହାଳୟରେ ମହାପ୍ରଭୁଙ୍କ ଜିନିଷ ସାଇତି ରଖିବାକୁ ପଣ କରିଥିଲେ ସଞ୍ଜୟ l ପାଠାଗାର ଆନ୍ଦୋଳନର ପୁରୋଧା ଦାସିଆ ଅଜାଙ୍କଠାରୁ ପ୍ରେରଣା ପାଇ ପ୍ରାୟ ୨ ଦଶନ୍ଧି ହେବ ସଂଗ୍ରାଳୟ କରିଛନ୍ତି ସେ l ବହୁ ବିରଳ ପୋଥି, ପୁସ୍ତକ, ମୁଦ୍ରା, ଖାମ, ପୁରୁଣା ରେଡ଼ିଓ ଆଦି ବହୁ ମୂଲ୍ୟବାନ ଜିନିଷ ନିଜ ଉଦ୍ୟମରେ ସ୍ଥାନ ପାଇଛି l

ସଞ୍ଜୟଙ୍କର ଏମିତି ନିଆରା ଉଦ୍ୟମ ପାଇଁ ଗାଁ ସ୍ୱତନ୍ତ୍ର ପରିଚୟ ପାଇଛି l ସ୍ୱୟଂ ମହାପ୍ରଭୁ ସଂଗ୍ରହାଳୟରେ ସ୍ଥାନ ପାଇବା ପରେ ଏହାର ଗୁରୁତ୍ୱ ବି ବଢିଛି । ତେବେ ସଂଗ୍ରହାଳୟ ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଗାଁ ଲୋକ ଦାବି କରିଛନ୍ତି ।

 

  • Reported by:
  • Jayendra Behera