• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କାଳିଆ...ମୁଁ ତୋ କୁନି ଭଉଣୀ । ସେ ଦିନ ଘରେ କେହି ନଥିଲେ । ହଠାତ୍‌ ମାଆଙ୍କ ଦେହ ଖରାପ ହୋଇଯାଇଥିଲା । କଣ କରିବି ? କେମିତି କରିବି...କିଛି ଭାବିପାରୁନଥିଲି । ସେଇଥି ଲାଗି ତ କାଳିଆ ତତେ ମୁଁ ଡାକିଲି । ତୁ ବି ମୋ ମନର କଥାକୁ ବୁଝିଲୁ । ମତେ ସାହା ହେଲୁ । ସେଦିନ ତତେ କଥା ଦେଇଥିଲି...ପ୍ରତିବର୍ଷ ରାକ୍ଷୀ ବାନ୍ଧିବି ତୋ ହାତରେ । ଏସନ ବି ରାକ୍ଷୀ ପଠେଇଥିଲି । ତୁ ବାନ୍ଧିବା ପରେ ମତେ ଯେଉଁ ଖୁସି ମିଳିଛି ତା’କୁ ମୁଁ ବର୍ଣ୍ଣନା କରିପାରିବି ନାହିଁ ।

ଜଗା ପାଖକୁ ରାକ୍ଷୀ ପଠେଇଲା, ରାକ୍ଷୀ ବନ୍ଧାର ଚିଠି ବି ଆସିଲା । ବାସ୍‌ ଚିଠି ପାଇବା ପରେ ଏବେ କୁନି ଝିଅର ଖୁସି କହିଲେ ନସରେ । ଜଗା ହାତରେ ରାକ୍ଷୀ ବାନ୍ଧିବା ପରେ କିଏ ବା ଖୁସି ନହେବ? ଭଦ୍ରକ ତିହିଡି ବ୍ଲକ ବାମନ ବିନ୍ଧା ଗାଁକୁ ପୁରୀ ଧାମରୁ ଆସିଛି ଚିଠି । ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ସାଇ ସୁକନ୍ୟା ମହାନ୍ତି । ୨୦୨୨ ମସିହାରେ ହଠାତ୍ ସୁକନ୍ୟାଙ୍କ ମାଆ ନିଳିମା ରାୟଙ୍କ ଦେହ ଅସୁସ୍ଥ ହୋଇପଡିଥିଲା । ସେଦିନ ବାପା ସଞ୍ଜୟ ମହାନ୍ତି ଘରେ ନଥିଲେ କି କେହି ନଥିଲେ । ଏମିତି ବିଷମ ସ୍ଥିତିର ସାମ୍ନା ପୂର୍ବରୁ କେବେ କରିନଥିଲେ ସାଇ ସୁକନ୍ୟା । ଆଖି ସାମ୍ନାରେ ମାଆଙ୍କ କଷ୍ଟ ବି ଦେଖିପାରୁନଥିଲେ । କ'ଣ କରିବେ କେମିତି କରିବେ ସେନେଇ କିଛି ବୁଦ୍ଧିବାଟ ଦିଶିଲାନି । ବାସ୍‌ ଆଖି ସାମ୍ନାରେ ଦେଖାଯାଉଥିଲା କେବଳ କାଳିଆ । ଆଉ ତାରୁ ସୁମରଣା କରି ମାଆଙ୍କୁ ବଂଚାଇ ଦେବା ଲାଗି କରୁଥିଲେ ପ୍ରାର୍ଥନା ।

 

କୁନି ଝିଅର କଥାକୁ ସତେ ଯେମିତି ମାନି ନେଇଥିଲେ କାଳିଆ ଠାକୁର । ଝିଅର ପ୍ରାର୍ଥନା ପରେ ମାଆ ଭଲ ହୋଇଥିବାରୁ ଠାକୁରଙ୍କୁ ଦେଇଥିବା କଥା ଅନୁସାରେ ଏସନ ରାକ୍ଷୀ ପଠେଇଥିଲେ ପୁରୀକୁ । ଖାଲି ରାକ୍ଷୀ ନୁହେଁ ବରଂ ରାକ୍ଷୀ ସାଙ୍ଗରେ ଏମିତି ଟଙ୍କା ବି ପଠେଇଥିଲେ । ଆଉ ସେହି ଟଙ୍କାରେ କଳାଠାକୁରଙ୍କ ପାଖରେ ଭୋଗ ହୋଇଥିବା ଜଣାପଡିଛି । ଏନେଇ ସୁକନ୍ୟାଙ୍କ ପାଖକୁ ଚିଠି ବି ଆସିଛି । ଯାହାକୁ ନେଇ ପରିବାର ଲୋକଙ୍କଠାରୁ ଆରମ୍ଭ କରି ଶିକ୍ଷକ ଶିକ୍ଷୟିତ୍ରୀ ବେଶ୍‌ ଖୁସି ଅଛନ୍ତି । ସତରେ ସେ ଭାବବିନୋଦିଆ କାଳିଆ ଠାକୁର କାହାର ମନ କଥା କେମିତି ଯେ ଜାଣିନିଅନ୍ତି ତାହା କେହି ବି ବୁଝିପାରିବେ ନାହିଁ ।

(ଚାନ୍ଦବାଲିରୁ ତ୍ରିଲୋଚନ ସାଦୁଙ୍କ ରିପୋର୍ଟ)