• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବାପା ନାହାନ୍ତି କି ମାଆ ନାହାନ୍ତି । ବଡ କଷ୍ଟରେ ଚଳୁଛନ୍ତି ଦୁଇ ଭଉଣୀ । ଖାଇବାକୁ ନାହିଁ କି ପିଇବାକୁ ନାହିଁ । ସେଇଥି ପାଇଁ ତ କାନ୍ଥରେ ଲାଗିଥିବା ବାପା-ମାଆଙ୍କ ଫଟୋକୁ ପୋଛି କାନ୍ଦି କାନ୍ଦି ଦିନ କାଟୁଛନ୍ତି ସେମାନେ । ବାପା-ମାଆ ଥିବା ବେଳେ ଦୁଇ ଝିଅକୁ ବଡ ମଣିଷ କରିବାକୁ କାହିଁ କେତେ ସ୍ୱପ୍ନ ଦେଖିଥିଲେ ହେଲେ ସେମାନଙ୍କ ଅବର୍ତ୍ତମାନରେ ଏବେ ସବୁ ସ୍ୱପ୍ନ ଚୁରମାର ହୋଇଗଲା । ସବୁ ଆଶା ଆଶାରେ ରହିଗଲା ।

ଭଦ୍ରକ ଧାମନଗର ସାହସପୁର ପଞ୍ଚାୟତ ମାଝିସାହିର ସ୍ବାଗତୀକା ମାଝି ଓ ସାଗରିକା ମାଝିଙ୍କ ଦୁଃଖ କହିଲେ ନସରେ । ମାଆ ସେବତୀ ମାଝି ପକ୍ଷାଘାତରେ ପଡ଼ି ୨ ବର୍ଷ ହେଲାଣି ଆଖି ବୁଜିଲେଣି । ମାଆ ଯିବା ପରେ ଦୁଃଖରେ ଭାଙ୍ଗିପଡିଥିଲେ ସେମାନେ । ହେଲେ ଦୁଃଖ ଯେମିତି ସେମାନଙ୍କ ଭାଗ୍ୟରେ ଲେଖା । ମାଆ ତ ଯାଇଥିଲେ ପୁଣି ଏବେ ବାପା ବି ଚାଲିଗଲେ ।

ମୁଣ୍ଡ ଉପରୁ ବାପା-ମାଆଙ୍କ ହାତ ଉଠିଯିବା ପରେ କେମିତି ବଞ୍ଚିବେ ତାହାକୁ ଭାବି ଭାବି କାନ୍ଦିକାନ୍ଦି କାଟୁଛନ୍ତି ଦିନ । ଘରେ ରୋଜଗାରିଆ କେହି ନଥିବାରୁ ଘରର ଅବସ୍ଥା କେମିତି ହେଲାଣି ସେ ଦୃଶ୍ୟ ଦେଖିଲେ ବଡ କଷ୍ଟ ଲାଗିବ । କାନ୍ଥରୁ ମାଟି ଖସିଲାଣି, ଛପରରେ ଖାଲି ବାଉଁଶ ଦେଖାଯାଉଛି । ଆଉ ଏମିତି ଦୁରାବସ୍ଥା ଘରେ ରହୁଛନ୍ତି ସ୍ୱାଗତିକା ଓ ସାଗରିକା ।

ଜାଣିଆଶ୍ଚର୍ଯ୍ୟ ହେବେ କି, ଏତେ ଅଭାବରେ ରହୁଥିଲେ ବି ସରକାରୀ ସୁବିଧା ଦୁଇ ଭଉଣୀଙ୍କ ଲାଗି ସାତ ସପନ ହୋଇ ପଡିଛି । ମାଆଙ୍କ ନାଁରେ ଇନ୍ଦିରା ଆବାସ ଘର ଆସିଥିଲା । ହେଲେ ତାକୁ କୁଆଡେ ହଡପ୍‌ କରି ନେଇଛନ୍ତି ଗାଁର କୁଜି ନେତା । ତେଣୁ ଘର କଥା ନକହିବା ଭଲ । ବାପା ବଂଚିଥିବା ବେଳେ ସ୍ୱାଗତିକା ନର୍ସିଂ ପଢୁଥିଲେ । ହେଲେ ସେ ଯିବା ପରେ ଅଧାରୁ ପଢା ଛାଡି ଟ୍ରେଲରିଂ କଲେ । ଆଉ ଏବେ ଦିନକୁ ରୋଜଗାର ହେଉଛି ମାତ୍ର ୨୦ ରୁ ୨୫ ଟଙ୍କା । ହେଲେ ଆଜିକା ମହରଗ ଯୁଗରେ ଏତିକି ଟଙ୍କାରେ ଦୁଇ ଭଉଣୀ କେମିତି ଚଳୁଥିବେ ଥରେ ଚିନ୍ତା କରନ୍ତୁ ।

ବଡ ଭଉଣୀଙ୍କୁ ସାହାଯ୍ୟ କରିବାକୁ ନିଜେ ପଢିବା ସହିତ ପିଲାଙ୍କୁ ଟ୍ୟୁସନ୍‌ କରୁଛନ୍ତି ସାନ ଭଉଣୀ । ଆଉ ସୀମିତ ରୋଜଗାରରେ ଏ ସ୍ୱାର୍ଥପର ଦୁନିଆରେ ବଂଚିବାକୁ କରୁଛନ୍ତି ଚେଷ୍ଟା । ସେପଟେ ଦୁଇ ଭଉଣୀଙ୍କ କଷ୍ଟ ଦେଖିବା ପରେ ତୁରନ୍ତ ଏମାନଙ୍କୁ ସବୁ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗାଁ ଲୋକେ । ସେପଟେ ସରପଂଚ କହୁଛନ୍ତି ବ୍ଲକ୍‌ ସ୍ତରରେ ଅସୁବିଧା ହୋଇଥିବାରୁ ଏମିତି ସମସ୍ୟା ଦେଖାଦେଇଛି । ବିଡିଓଙ୍କୁ ଅବଗତ କରାଯାଇଛି, ଖୁବଶୀଘ୍ର ହେବ ସମାଧାନ । ସେପଟେ ଜିଲ୍ଲାପାଳ ମଧ୍ୟ କହିଛନ୍ତି ଦୁଇ ଭଉଣୀଙ୍କୁ ମିଳିବ ସବୁ ପ୍ରକାର ସାହାଯ୍ୟ ।

 

 

  • Reported by:
  • Partha Sarathi nayak