• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମାଆ ଆରପାରିରେ, ବାପା ଆଉ ଜେଜେ ମାଆ ଜେଲ୍‌ରେ । ବୁଢା ଜେଜେ ବାପା ପାଖରେ ଏବେ ବଢୁଛନ୍ତି ଦୁଇ ଭଉଣୀ । ଦୁନିଆ କଣ ବୁଝିବା ପୂର୍ବରୁ ପରିବାର ବୋଝ ସତେ ଯେମିତି ଏଇ ଦୁଇ ଭଉଣୀଙ୍କ ଉପରେ ଲଦି ହୋଇଯାଇଛି । ବୟସ ବହୁତ୍‌ କମ୍‌, ହେଲେ ଦାୟିତ୍ୱ ବହୁ ଅଧିକ । କଅଁଳ ବୟସରେ ଦୁଃଖର ପାହାଡ଼ ଉପରେ ଠିଆ ହୋଇଛନ୍ତି ଦୁଇ ନିଷ୍ପାପ ଶିଶୁ l ଅସହାୟ ନିଷ୍ପାପ ଶିଶୁ କାହାର କିଛି ବି ଦୋଷ କରିନାହାନ୍ତି ହେଲେ ଭୋଗୁଛନ୍ତି ଦୁଃଖ ଆଉ କଷ୍ଟ ।

ବାପା-ମାଆଙ୍କ ଅବର୍ତ୍ତମାନରେ ଦୁଇ ଭଉଣୀଙ୍କର ଦାୟିତ୍ୱ ନେବାକୁ ବି କେହିନାହାନ୍ତି । ଘରେ ଜେଜେ ବାପା ଅଛନ୍ତି । ହେଲେ ସିଏ ସେମାନଙ୍କର ସେବା କଣ କରିବେ? ବରଂ ଦୁଇ ନାତୁଣୀ ତାଙ୍କର ଦାୟିତ୍ୱ ନେଉଛନ୍ତି । କେତେବେଳେ ଗୋଡ଼ ମୋଡି ଦେଉଛନ୍ତି ତ ଆଉ କେତେବେଳେ ଖୁଆଇ ଦେଉଛନ୍ତି । ବଡ଼ ଭଉଣୀ ଶୁଭସ୍ମିତା ସାନ ଭଉଣୀ ମଧୁସ୍ମିତାର ପୂରା ଦାୟିତ୍ୱ ନେଇଛି । ପଖାଳ ଭାତକୁ ଭେଣ୍ଡି ଖଟା କରି ଖୁଆଇ ଦେଉଛି । ଆଉ ମନେ ମନେ କହୁଛି, ହେ ଭଗବାନ ଆଉ ମତେ କଷ୍ଟ ଦିଅନି ।

ଦର୍ଶକବନ୍ଧୁ ଦୁଇ ଭଉଣୀ କାହିଁକି ଏତେ କଷ୍ଟରେ ଚଳୁଛନ୍ତି ? ସେମାନଙ୍କ ବାପା କାହିଁକି ଜେଲ୍‌ ଯାଇଛନ୍ତି ତାହା ଜାଣିଲେ ଆପଣ ବି ସ୍ତବ୍ଧ ହେବେ । ଯାଜପୁର କୋରେଇ କନ୍ତୋର ପଞ୍ଚାୟତ ଜଳନ୍ଦା ଗାଁର ସୁରେଶ ସାହୁ ଓ ତାଙ୍କ ମାଆ ଚଞ୍ଚଳା ସାହୁଙ୍କୁ ୨୦୧୯ରେ ଘଟିଥିବା ବଧୂହତ୍ୟା ମାମଲାର ବିଚାର କରି କିଛିଦିନ ତଳେ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି  l ଆଉ କୋର୍ଟଙ୍କ ରାୟ ପରେ ବାପା ଓ ବୁଢୀ ମାଆ ଜେଲ୍‌ରେ ଅଛନ୍ତି । ମାଆ ଆରପାରିକୁ ଚାଲିଗଲେ, ବାପା-ବୁଢୀ ମାଆ ଜେଲ୍‌ରେ ରହିଲେ । ଘରେ ବୁଢା ଜେଜ ଥିଲେ ବି ସେ ପକ୍ଷଘାତରେ ପଡ଼ିଛନ୍ତି । ନିଜେ ବିଛଣାରୁ ଉଠିବା କଷ୍ଟ, ସେ ଦୁଇ ନାତୁଣୀଙ୍କର ସେବା କରିବେ ବା କେମିତି ?

ପରିବାରରେ ରୋଜଗାରକ୍ଷମ ଥିବା ଏକମାତ୍ର ପୁଅ ସୁରେଶ ଏବେ ଜେଲରେ ଥିବାରୁ ଘର ଚଳିବା ଏବେ ଭାରିକଷ୍ଟ । ଘରେ କେହି ରୋଜଗାରିଆ ନଥିବାରୁ କେତେବେଳେ ଖାଇବାକୁ ମିଳୁଛି ନହେଲେ ଅଧିକାଂଶ ସମୟର ଭୋକରେ ରହୁଛନ୍ତି ପୂରା ପରିବାର । ଦୁଇ ନାତୁଣୀ ଓ ଜେଜେ ବାପାଙ୍କ ଦୁଃଖ ସମ୍ପର୍କରେ ଗାଁ ଲୋକମାନେ ସରପଂଚଙ୍କୁ ଜଣାଇବାରେ ପରେ ବିଡିଓଙ୍କୁ ଅବଗତ କରାଯାଇଛି । ବିଡିଓ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେବା ସହିତ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ଏନେଇ ଜଣାଯାଇଛି । ପରିବାରକୁ ସବୁ ପ୍ରକାର ସରକାରୀ ସହାୟତା ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

(ରିପୋର୍ଟ-ଜନ୍ମେଜୟ ଦାଶ, ଯାଜପୁର)