• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଅତ୍ୟଧିକ ଗରମରେ ଏବେ ସମସ୍ତେ ଆଉଟୁପାଉଟୁ ହେଉଛନ୍ତି । ମଣିଷଠୁ ଆରମ୍ଭ କରି ଜୀବଜନ୍ତୁ ସମସ୍ତେ ଅସ୍ତବ୍ୟସ୍ତ । ମଣିଷ ସିନା ନିଜର ଅସୁବିଧା କହିପାରୁଛି, ଛାଇରେ ଯାଇ ବସୁଛି ତ ପାଣି ପିଇପାରୁଛି । ହେଲେ ପକ୍ଷୀମାନେ କିଛି କହିପାରୁନାହାନ୍ତି । ବାସ୍‌ ମଣିଷ ପରି ସେମାନେ ବି କଷ୍ଟ ପାଉଛନ୍ତି । ହେଲେ ସେମାନଙ୍କ କଷ୍ଟ ଦୂର କରିବାକୁ ଚାଲିଛି କସରତ ।

ରାସ୍ତା କଡରେ ଥିବା ଗଛକୁ ସବୁ ଘେରି ରହିଛନ୍ତି । କିଏ ଗଛରେ କଣ୍ଟା ପିଟୁଛନ୍ତି, ତ କିଏ ପ୍ଲାଷ୍ଟିକ ପାତ୍ର ଗୁଡ଼ିକୁ ସଜାଇ ରଖୁଛନ୍ତି । ଏସବୁ ବ୍ୟବସ୍ଥା ସାଜସଜ୍ଜା ଲାଗି ନୁହେଁ ବରଂ ପକ୍ଷୀଙ୍କ ପାଇଁ । କେମିତି ଖରାଦିନେ ସେମାନେ ଶୋଷିଲା ନରହିବେ ସେଇଥି ପାଇଁ କରାଯାଇଛି ଏମିତି ସ୍ୱତନ୍ତ୍ର ବ୍ୟବସ୍ଥା । ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଅଗ୍ରଣୀ ଜୀବନ ଜ୍ୟୋତି ସଙ୍ଗଠନ ପକ୍ଷରୁ ପକ୍ଷୀଙ୍କ ଲାଗି କରାଯାଉଛି ଏମିତି ଆୟୋଜନ । ତିହିଡିରୁ କମାରିଆ, ବଉଳପାଳରୁ ବୁଧୁପୁର ପର୍ଯ୍ୟନ୍ତ ଗଛ ଗୁଡ଼ିକରେ ପାତ୍ର ଗୁଡ଼ିକ ବନ୍ଧାଯାଉଛି । କାରଣ ସେଥିରେ ପାଣି ଭର୍ତ୍ତି ହେବ, ଆଉ ପକ୍ଷୀମାନେ ପାଣି ପିଇବେ ।

ଖରା ଓ ଗରମ ପାଇଁ ନଈ, ନାଳ , ଗାଡିଆ ଏବେ ସବୁ ଶୁଖିଲା ପଡ଼ିଛି । ପାଣି ଟିକିଏ ପାଇଁ ଏବେ ସବୁ ପଶୁ ପକ୍ଷୀ ଆତୁର । ଆଉ ଏହି ସମୟରେ ପକ୍ଷୀଙ୍କ ତୃଷ୍ଣା ମେଣ୍ଟାଇବା କାମରେ ପୂରା ସଙ୍ଗଠନର ସଦସ୍ୟମାନେ ସାମିଲ ହୋଇଛନ୍ତି । ଗତ କିଛିଦିନ ଧରି ସକାଳୁ ଏକତ୍ରିତ ହୋଇ ଯୁବକମାନେ ଭିନ୍ନ ଭିନ୍ନ ଗଛରେ ପ୍ଲାଷ୍ଟିକ୍‌ ପାତ୍ର ରଖୁଛନ୍ତି ଆଉ ପକ୍ଷୀଙ୍କୁ ପାଣି ଦେଉଛନ୍ତି । ଖାଲି ପାଣି ରଖି ଏମାନେ ଚୁପ୍‌ ବସୁଛନ୍ତି ତାଗା ନୁହେଁ ବରଂ ଯେଉଁ ଅଞ୍ଚଳରେ ଏହି ପାତ୍ର ଟଙ୍ଗା ଯାଉଛି ସେହି ଅଞ୍ଚଳର ଲୋକଙ୍କୁ ପାଣି ସରିବା ପରେ ପୁଣି ଥରେ ପାଣି ଭରିବା ଲାଗି ଦାୟିତ୍ଵ ନେଉଛି ସଙ୍ଗଠନ ।

ଆମେ ଅନେକ ସମୟରେ ଦେଖିଛନ୍ତି, ପଶୁପକ୍ଷୀମାନେ ଖରାଦିନେ ଟିକିଏ ପାଣି ପାଇଁ ଅନେକ ସ୍ଥାନରେ ଇସ୍ତସ୍ତତଃ ହୋଇ ବୁଲୁଥିବା ଦେଖିବାକି ମିଳୁଛି । ହେଲେ ତିହିଡିର  ଯୁବକମାନେ ଯେମିତି ପକ୍ଷୀଙ୍କ ଲାଗି ପାଣି ରଖୁଛନ୍ତି ତାହାକୁ ନେଇ ଏବେ ସବୁଆଡୁ ଛୁଟୁଛି ପ୍ରଶଂସାର ସୁଅ ।

 

  • Reported by:
  • Partha Sarathi nayak