• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଅଧା ରହିଗଲା ଡାକ୍ତର ହେବାର ସ୍ୱପ୍ନ । ବିଦ୍ୟୁତ୍‌ ଖୁଣ୍ଟରେ ଜୀବନ ଚାଲିଯିବା ପରେ ଏବେ ଚିନ୍ତାରେ ପୂରା ପରିବାର । କାରଣ ବାପା କଥା ଦେଇଥିଲେ ଯେକୌଣସି ପରିସ୍ଥିତି ଆସୁନା କାହିଁକି ମୁଁ ପରିଶ୍ରମ କରିବି...ତତେ ନିଶ୍ଚୟ ଡାକ୍ତର କରିବି । ହେଲେ ସବୁ ସ୍ନପ୍ନ ସ୍ୱପ୍ନରେ ହିଁ ରହିଗଲା...ବାପାଙ୍କ ଅବର୍ତ୍ତମାନରେ ଏବେ ଝିଅ କେମିତି ଡାକ୍ତର ହେବ ସେନେଇ ଚିନ୍ତାରେ ସମସ୍ତେ ।

ବିଦ୍ୟୁତ ବିଭାଗରେ ଲାଇନମ୍ୟାନ୍ ଭାବରେ କାମ କରୁଥିଲେ ବାପା । ଦରମା ବି ସେମିତି କିଛି ଖାସ୍‌ ନଥିଲା । ହେଲେ ଝିଅକୁ ଡାକ୍ତର କରିବାର ନିଶା ତାଙ୍କୁ ପାଗଳ କରିଦେଇଥିଲା । ଦିନରାତି ଏକ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ରୋଜଗାର କରୁଥିଲେ ଟଙ୍କା । ହେଲେ ଭାଗ୍ୟର ବିଡ଼ମ୍ବନା ଆଗରେ ସବୁ ଯେମିତି ଛାରଖାର ହୋଇଯାଇଛି । ବିଜୁଳି ଖୁଣ୍ଟରେ ଜୀବନ ଯିବା ପରେ ବାପାକୁ ଝୁରି ଝୁରି କାନ୍ଦୁଛି ଝିଅ...ଗୁମୁରି ଗୁମୁରି କାନ୍ଦୁଛି ମାଆ ।

ଅମୀୟ କୁମାର ନାୟକ । ଘର କଳିଙ୍ଗା ଗାଁରେ । ରାଇକିଆ ବିଦ୍ୟୁତ ବିଭାଗରେ ସେ ଲାଇନ ମ୍ୟାନ୍ ଭାବରେ ଦୀର୍ଘ ୧୪ ବର୍ଷ ହେଲା କାମ କରୁଥିଲେ । ୨୧ ତାରିଖ ଅମୀୟଙ୍କ ଘରକୁ ଯେମିତି ଘେରିଯାଇଥିଲା ଦୁଃଖର କଳାବାଦଲ । ଖୁଣ୍ଟରେ ଚଢି କାମ କରୁଥିବା ବେଳେ ଜୀବନ ଚାଲିଗଲା । ଅମୀୟଙ୍କ ଜୀବନ ଯିବା ପରେ ଏବେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ପରିବାର ଓ ଆତ୍ମୀୟସ୍ୱଜନ । ହେଲେ ବଡ଼ ଦୁଃଖର କଥା, ଅମୀୟଙ୍କ ଜୀବନ ଯିବା ପରେ ବି ବିଜୁଳି ବିଭାଗର କୌଣସି ଜଣେ ହେଲେ ବି କର୍ମଚାରୀ ତାଙ୍କୁ ସାନ୍ତ୍ୱନା ଦେବାକୁ ଆସିନାହାନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅମୀୟ ବିଦ୍ୟୁତ ବିଭାଗରେ ଲାଇନ ମ୍ୟାନ୍ ଭାବେ କାମ କରୁଥିଲେ ଏବଂ ତାଙ୍କର ସମସ୍ତଙ୍କ ସହ ସମ୍ପର୍କ ଭଲ ଥିଲା । କିନ୍ତୁ ଅମୀୟଙ୍କ କାର୍ଯ୍ୟରେ ବିଭାଗୀୟ ଅଧିକାରୀ ସନ୍ତୁଷ୍ଟ ନଥିଲେ । ତେଣୁ ଜାଣିଶୁଣି ତାଙ୍କୁ ମାରିଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଆଉ କ୍ଷତିପୂରଣ ଲାଗି ଦାବି ବି କରିଛନ୍ତି ।

ସେପଟେ ପରିବାର ଆଣିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜୁଳି ବିଭାଗର କର୍ମଚାରୀ । କହିଛନ୍ତି, ଅଭିଯୋଗ ଭିତ୍ତିହୀନ । ସେ ଏଜେନ୍ସି ଜରିଆରେ କାମ କରୁଥିଲେ । ତାଙ୍କର ମୃତ୍ୟୁ ପରେ ନିୟମ ଅନୁସାରେ କ୍ଷତିପୂରଣ ମିଳିବ...।

(ବାଲିଗୁଡ଼ାରୁ ଅଜିତ୍‌ ନାୟକଙ୍କ ରିପୋର୍ଟ)