• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଘର ମଥାନରୁ ଚାଳ ଓଲାରି ଗଲାଣି....ଦିନ ଦ୍ୱିପ୍ରହରେ ଘର ବସିଥିଲେ ବି ସୂର୍ଯ୍ୟ ସ୍ପଷ୍ଟ ଭାବରେ ଦେଖାଯାଉଛନ୍ତି । ହେଲେ ଉପାୟ ବି କିଛି ନାହିଁ । ଘରର ଅବସ୍ଥା ଦେଖିଲେ ଯିଏ ନାହିଁ ସିଏ କହିବ ସିଏ ବି ଜଣେ ଅସହାୟ ବୋଲି । ବୋଧହୁଏ ସରକାରୀ ସହାୟତାକୁ ଅପେକ୍ଷା କରି ରହିଛନ୍ତି । ହେଲେ ଆପଣ ଯଦି ଏମିତି କିଛି ଭାବୁଥିବେ ତାହାଲେ ସଂପୂର୍ଣ୍ଣ ଭୁଲ । କାରଣ ସିଏ କୌଣସି ସାଧାରଣ ଲୋକ ନୁହନ୍ତି ବରଂ ଦୁଇଦୁଇ ଥରର ସରପଞ୍ଚ । ହେଲେ ନେତା ହେବା ପରେ ବି ନିଜ ଲାଗି କିଛି କରିପାରିନାହାନ୍ତି । ଯାହା କରିଛନ୍ତି କେବଳ ଲୋକଙ୍କ ଲାଗି ।

ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଛନ୍ତି । ପୂର୍ବ ଆକାଶେ ସୂର୍ଯ୍ୟ ଉଇଁବାଠୁ ଆରମ୍ଭ କରି ପଶ୍ଚିମରେ ଅସ୍ତ ହେବା ପର୍ଯ୍ୟନ୍ତ...ପଂଚାୟତ ଲୋକଙ୍କ ସେବାରେ ସେ ସବୁବେଲେ ବ୍ୟସ୍ତ । ବୟସ ବି ବଢିଲାଣି ହେଲେ ସେ ହାର ମାନିନାହାନ୍ତି । ଲୋକଙ୍କ ସେବା ପାଇଁ ସେ ଯେଉଁ ଶପଥ ନେଇଛନ୍ତି ତାହାକୁ ପୂରଣ କରିବା ଲାଗି ଅହରାତ୍ର କରୁଛନ୍ତି ପରିଶ୍ରମ । ଜୀବନ ଭିତରେ ଯଦି କିଛି କରିଛନ୍ତି ତାହା ହେଲା ଖଣ୍ଡେ ସାଇକେଲ୍‌ ଓ ଦୁଇ ହଳ ପୋଷାକ ।

ଢେଙ୍କାନାଳ କଙ୍କଡାହାଡ଼ ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କେରଜୋଳି ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଚ୍ୟୁତାନନ୍ଦ ପ୍ରଧାନ । ନିଜ ପାଞ୍ଚ ଭାଇ ଭଉଣୀଙ୍କ ମଧ୍ୟରୁ ଅଚ୍ୟୁତ ସମସ୍ତଙ୍କଠୁ ଭିନ୍ନ । ପିଲାଟି ଦିନରୁ ବଡ ଅଭାବ ଅନାଟନରେ ସେ ବଢିଛନ୍ତି । ଅଧିକ ପଢିବା ଲାଗି ଇଚ୍ଛା ରଖିଥିଲେ ବି ଅର୍ଥ ସାଜିଥିଲା ବାଧକ । ହେଲେ ଲୋକଙ୍କ ସେବା କରିବାରେ ସେ ପଛଘୁଂଚା ଦେଇନଥିଲେ । ୧୯୯୨ ମସିହାରେ ପ୍ରଥମ ଥର ସରପଂଚ ଆସନ ପାଇଁ ପ୍ରାର୍ଥୀ ହେଲେ । ଖାଲି ପ୍ରାର୍ଥୀ ହେଲେ ତାହା ନୁହେଁ ବରଂ ବିଜୟୀ ବି ହେଲେ। ଅବଶ୍ୟ ୨୦୨୨ ନିର୍ବାଚନରେ ସେ ହାରି ଯାଇଥିଲେ କି ଲୋକଙ୍କ ସେବା କରିବାକୁ କେବେ କୁଣ୍ଠାବୋଧ କରିନାହାନ୍ତି ।

 

ଲୋକଙ୍କ ସେବାରେ ସେ ଏତେ ବ୍ୟସ୍ତ ଯେ ନିଜ ପାଇଁ କିଛି କରିନାହାନ୍ତି । ଆଜିକା ଯୁଗରେ ବି ଘର ଭିତରେ ଷ୍ଟୋଭ ମାରି ରୋଷେଇ କରନ୍ତି ଏବଂ ପାଣି ଆଣିବାଠାରୁ ଆରମ୍ଭ କରି ଘରର ସମସ୍ତ କାମକୁ ସେ ନିଜେ କରନ୍ତି । ଖାଲି ଲୋକଙ୍କ ସେବା ନୁହେଁ ବରଂ ପଂଚାୟତର ବିକାଶ ପାଇଁ ସେ ଯେଉଁ ଉଦ୍ୟମ କରୁଛନ୍ତି ତାହାକୁ ନେଇ ସବୁଆଡେ ପ୍ରଶଂସା କରାଯାଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅଚ୍ୟୁତ ସାଇକେଲରେ ଯିବାଆସିବା କରୁଥିବାରୁ ତାଙ୍କ ବନ୍ଧୁମାନେ ତାଙ୍କ ଲାଗି ଏକ ଗାଡି କିଣିଦେଇଥିଲେ । ହେଲେ ଏ ବୟସରେ ଗାଡି ଚଳାଇବା ତାଙ୍କୁ ପସନ୍ଦ ନଥିବା କହିଛନ୍ତି ଅଚ୍ୟୁତ । ଖାଲି ଜନସେବା ନୁହେଁ ବରଂ ଲେଖାଲେଖି ବି ତାଙ୍କୁ ବହୁତ ପସନ୍ଦ ।

ଆଜିକା ଦିନରେ ନେତା ହେଲେ କୋଟି କୋଟି ଟଙ୍କା କମାଉଥିବା ବେଳେ ସିଏ ଏମିତି ଜଣେ ନେତା ଯିଏକି ନିଜ ଲାଗି କିଛି କରିନାହାନ୍ତି । ଆଉ ଅଚ୍ୟୁତଙ୍କ ପରି ଲୋକ ନେତା ହେଲେ ପଂଚାୟତର ବିକାଶକୁ କେହି ରୋକି ପାରିବେନାହିଁ ବୋଲି କହୁଛନ୍ତି ସ୍ଥାନୀୟ ଲୋକେ । 

 

  • Reported by:
  • Bidyadhar Baral