/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694779125.jpg)
Helpless Family
ଖୋଲା ଆକାଶ ତଳେ କଳା ପଲିଥିନର କୁଡିଆ । ଘରର ଅବସ୍ଥା ଦେଖିଲେ ଭାବିବେ ଛେଳି କି ମେଣ୍ଢା ରହୁଥିଲେ । ହେଲେ ଘର ଭିତରର ଦୃଶ୍ୟ ଦେଖିବା ପରେ ଆପଣ ବିଶ୍ୱାସ କରିପାରିବେନି କି ସେହି ଘରେ ରହୁଛନ୍ତି ମଣିଷ ।
ନୁଆଣିଆ ଭଙ୍ଗା ଘର । ଆଉ ତା’ରି ଭିତରେ ଯନ୍ତ୍ରଣାରେ ଛଟପଟ ହେଉଛି ଜୀବନ । ଗୋଟିଏ କି ଦୁଇଟି ନୁହେଁ ବରଂ ତିନି ତିନୋଟି ପରିବାର ରହୁଛନ୍ତି ଏହି ଘରେ । ସେଇଠି ଖାଇବା ପୁଣି ସେଇଠି ଶୋଇବା । ଏହି ଘରେ ପାଦେ ପାଦେ ବିପଦ ଅଛି । ହେଲେ ଉପାୟ ବି କିଛି ନାହିଁ ।
କନ୍ଧମାଳ ଦାରିଙ୍ଗବାଡି ମ୍ଲୁକଚେରୀ ଗାଁର ସୁବାଷ ନାୟକ, ସିଂପୁଲ ନାୟକ ଓ ଜନତା ନାୟକଙ୍କ ପରିବାରର ଦୁଃଖ କହିଲେ ନସରେ । ୪ ମାସ ହେଲାଣି ଭାଗ୍ୟକୁ ଆଦରି ପିଲା ଛୁଆଙ୍କୁ ଧରି ପଡି ରହିଛନ୍ତି ଭଙ୍ଗାଦଦରା ଘରେ । ନିଜସ୍ୱ ଜମି ଖଣ୍ଡିଏ ବୋଲି କାହାର ବି ନାହିଁ । ସମସ୍ତେ ଏବେ ଭୂମିହୀନ । ସେଇଥି ଲାଗି ତ ଭୟଙ୍କର ଅବସ୍ଥାରେ ରହୁଛନ୍ତି ତିନି ତିନୋଟି ପରିବାର । ଅସହାୟ ଥିବାରୁ ଗାଁର ଜଣଙ୍କ ଜମିରେ ଘର କରି ରହିଆସୁଥିଲେ ସେମାନେ । ହେଲେ ସେ ମନା କରିବାରୁ ଏବେ ସେମାନେ ଅସହାୟ ହୋଇ ପଡିଛନ୍ତି ।
ଝାଟିମାଟି ଘର ଖଣ୍ଡିଏ ହେଉ ପଛେ କରିବାକୁ ତ ଇଚ୍ଛା ଅଛି ହେଲେ ସେତିକି ବି କରିବାକୁ ସେମାନଙ୍କ ପାଖରେ ଜାଗା ଖଣ୍ଡେ ନାହିଁ । ତେଣୁ ବାଧ୍ୟ ହୋଇ ରାସ୍ତା କଡରେ, ଜରି ପାଲ ତଳେ ଜୀବନ ବିତାଉଛନ୍ତି । ଏତେ ଅସୁବିଧା ଥିବା ପରେ ବି ଗୁହାରି କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ।
ସ୍ଥିତି ଏମିତି ହେଲାଣି ଯେ ପରିବାର ଚଳାଇବା ଲାଗି ଏବେ କିଏ ପର ଦୁଆରେ ମଜୁରୀ ଖଟୁଛି ତ ଆଉ କିଏ ଗାଈ ଚରୁଛି । ଘର ଖଣ୍ଡିଏ ଲାଗି ପ୍ରଶାସନକୁ ବାରମ୍ବାର ଗୁହାରି କରିବା ପରେ ବି ଏଯାଏଁ ଘର ଖଣ୍ଡିଏ ମିଳିଲା ନାହିଁ । ସେପଟେ ପଡୋଶୀ ବି ସେମାନଙ୍କର ଦୁଃଖ ଦେଖି ଘର ଖଣ୍ଡିଏ ଲାଗି ଦାବି କରିଛନ୍ତି । ତେବେ ଘର କେବେ ମିଳିବ ସେନେଇ ପ୍ରଶାସନିକ ଅଧିକାରୀଙ୍କୁ ଯୋଗାଯୋଗ କରିବା ତହସିଲଦାର କହିଛନ୍ତି ଖୁବଶୀଘ୍ର ମିଳିବ ଘର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)