• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଯୁଦ୍ଧରେ ଲହୁଲୁହାଣ ପୃଥିବୀ । ଦୁର୍ନୀତି, ଅପରାଧକୁ ଦେଖି ଦେଖି ବୀତସ୍ପୃହ ଜୀବନ । ଏ ସବୁ ଭିତରେ ବି ପୃଥିବୀରେ ରହିଛି ସ୍ୱର୍ଗ । ଏ ସ୍ୱର୍ଗରେ ନା ଅଛି ଅଭାବ, ନା ଅଛି ଅପରାଧ । ଏଠି ସମସ୍ତଙ୍କ ମନ ହାପି ହାପି । ଜାଣନ୍ତି, କେଉଁଠି ରହିଛି ଏ ସ୍ୱର୍ଗ ? ଏହି ସ୍ୱର୍ଗ ହେଉଛି ଫିନଲାଣ୍ଡ । ବିଶ୍ୱର ସବୁଠାରୁ ଖୁସି ଆଉ ଶାନ୍ତିର ଦେଶ ତାଲିକାରେ ପୁଣି ଥରେ ୧ ନମ୍ବରରେ ରହିଛି ଫିନଲାଣ୍ଡ । ନିକଟରେ ଜାତିସଂଘ ପକ୍ଷରୁ ୱାର୍ଲଡ ହାପିନେସ ରିପୋର୍ଟ-୨୦୨୫ ଜାରି କରାଯାଇଛି । ଏହି ତାଲିକାରେ ଅଷ୍ଟମ ଥର ପାଇଁ ଫିନଲାଣ୍ଡ ପୁଣି ନମ୍ବର ୱାନରେ ରହିଛି । ୨ ନମ୍ବରରେ ରହିଛି ଡେନମାର୍କ, ୩ ନମ୍ବରରେ ଆଇସଲାଣ୍ଡ,  ୪ ନମ୍ବରରେ ରହିଛି ସ୍ୱିଡେନ । 

ଟିକିଏ ଖୁସି, ଟକିଏ ଶାନ୍ତି ପାଇଁ ଆମେ ଏତେ ଛଟପଟ ହେଉଛୁ । ହେଲେ ଏ ଦେଶମାନଙ୍କରେ ଏମିତି କ’ଣ ଅଛି ଯେ ଏଠିକାର ଲୋକେ ଏତେ ଖୁସି ? ଏଠିକା ଲୋକଙ୍କୁ କାହିଁକି ବିଶ୍ୱର ସବୁଠାରୁ ଖୁସି ଲୋକ ବୋଲି କୁହାଯାଏ ?

Also Read

 ଏ ଦେଶର ଲୋକେ ଖୁସିରେ ରହିବାର ଅନେକ କାରଣ ରହିଛି । ଏଠାରେ ଭ୍ରଷ୍ଟାଚାର ନାହିଁ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆର୍ଥିକ ସୁରକ୍ଷା ମିଳିଥାଏ । ଏଠାରେ ଲୋକଙ୍କର ରୋଜଗାର ବହୁତ ବେଶି  । ଏଠାରେ ଅପରାଧ ତ ପ୍ରାୟ ଘଟେ ନାହିଁ, ତେଣୁ ଲୋକମାନେ ଖୁବ ସୁନ୍ଦର ଏବଂ ଆରାମଦାୟକ କୋଠାରେ ରୁହନ୍ତି । ଏଠାରେ ବିଶୁଦ୍ଧ ପବନ, ଶୁଦ୍ଧ ପାନୀୟ ଜଳ ସମସ୍ତଙ୍କୁ ମିଳିଥାଏ । ଗବେଷଣା ପାଇଁ ଏହାକୁ ସବୁଠାରୁ ଭଲ ଜାଗା ବୋଲି କୁହାଯାଇଥାଏ । ଏ ଦେଶମାନଙ୍କରେ ସମସ୍ତଙ୍କ ମୁଣ୍ଡ ପାଇଁ ଛାତ ଥାଏ । ଏପରିକି ଏଠାକୁ ଆସୁଥିବା ପ୍ରବାସୀମାନେ ବି ଖୁବ ଖୁସିରେ ରୁହନ୍ତି       । ଏଠାରେ ଶିକ୍ଷା ବ୍ୟବସ୍ଥା ଅନ୍ୟ ଦେଶ ତୁଳନାରେ ସବୁଠାରୁ ଭଲ । ପ୍ରେମ କରିବା ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନତା ରହିଛି । ଯାହାକୁ ଆପଣ ଜୀବନର ସ୍ୱପ୍ନ ବୋଲି ଭାବୁଥାନ୍ତି ସେ ସବୁ ଜିନିଷ ଏହି ଦେଶମାନଙ୍କରେ ମିଳି ଯାଇଥାଏ ।

ଆର୍ଥିକ ସୁରକ୍ଷା

ବିଶ୍ୱର ସବୁଠାରୁ ବିକଶିତ ଦେଶ ଫିନଲାଣ୍ଡରେ ପ୍ରତ୍ୟେକ ନାଗରିକଙ୍କୁ ଆର୍ଥିକ ସୁରକ୍ଷା ମିଳିଥାଏ । ଏଠାରେ ନାଗରିକମାନଙ୍କୁ ଭତ୍ତା ସହିତ ଅନେକ ପ୍ରକାର ଅଧିକାର ଏବଂ ସୁବିଧା ସୁଯୋଗ ଦିଆ ଯାଇଥାଏ । ଏଠାରେ ଲୋକଙ୍କୁ ନିଜ ସୁରକ୍ଷା ନେଇ ବିଶେଷ କିଛି ଚିନ୍ତା କରିବାକୁ ପଡେନି ।ଚାକିରି ହରାଇଲେ କ'ଣ ହେବ, ବାର୍ଦ୍ଧକ୍ୟରେ କେମିତି ଚଳିବେ,  ଦୁର୍ଘଟଣା ଘଟିଲେ କିମ୍ବା ଅସୁସ୍ଥ ହେଲେ କେମିତି ଚିକିତ୍ସା ଖର୍ଚ୍ଚ ତୁଲାଇବେ ଏସବୁ ବିଷୟରେ ଚିନ୍ତା କରିବାକୁ ପଡ଼େ ନାହିଁ। ଯଦିଓ ଏଠିକା ଲୋକଙ୍କର ରୋଜଗାର ଯଥେଷ୍ଟ ଅଧିକ, ତଥାପି ଏ ସମସ୍ତ ଦାୟିତ୍ୱ  ସରକାର  ନେଇଥାନ୍ତି ।

ଅପରାଧ ଶୂନ୍ୟ ଦେଶ

ଫିନଲାଣ୍ଡ ସବୁଠାରୁ ସୁରକ୍ଷିତ ଦେଶ କହିଲେ ଭୁଲ ହେବନାହିଁ । ୨୦୧୫ରେ ଏଠାରେ ହତ୍ୟା ଅପରାଧ ଏକ ଲକ୍ଷ ଜନଂସଖ୍ୟାରେ ମାତ୍ର ୧.୨୮ ପ୍ରତିଶତ । ଏଠାରେ ମୋଟ ଜନସଂଖ୍ୟା ପାଖାପାଖି ୫୫ ଲକ୍ଷ ଅଟେ । ଅର୍ଥାତ ୨୦୧୫ରେ ଏଠାରେ ୫୦ ହତ୍ୟାକାଣ୍ଡ ଘଟିଥିଲା । ସଂଗଠିତ ଅପରାଧ କେବେ ଘଟିବାର ଦେଖିବାକୁ ମିଳେନି । ଏଠିକାର ଲୋକେ ପୋଲିସକୁ ଖୁବ ବିଶ୍ୱାସ ଓ ଭରସା କରନ୍ତି । ଏଠିକାର ପୋଲିସ ଏବଂ ଇଣ୍ଟରନେଟ ସୁରକ୍ଷା ବିଶ୍ୱର ଦ୍ୱିତୀୟ ଶ୍ରେଷ୍ଠ ବୋଲି ବିଚାର କରାଯାଏ । ଏଠାରେ ନିୟମ କାନୁନକୁ କଡାକଡି ପାଳନ କରାଯାଏ ।

ରହିବା ବ୍ୟବସ୍ଥା ସୁନ୍ଦର ଓ ଆରାମଦାୟକ

ଏଠାରେ ପ୍ରତି ବର୍ଗ କିଲୋମିଟରରେ ୧୮ ଜଣ ଲୋକ ରୁହନ୍ତି । ୟୁରୋପୀୟ ୟୁନିୟନରେ ଏହା ସବୁଠାରୁ କମ  । ଏଠାରେ ଥଣ୍ଡା ଅଧିକ ହୁଏ । ହେଲେ ପାଗ ଖୁବ ସୁନ୍ଦର ଏବଂ ମନୋରମ । ଏଠାରେ ଖରାଦିନେ ରାତି ୧୨ଟା ପରେ ଅନ୍ଧାର ହୁଏ । ଏଠାରେ ପାଖାପାଖି ରାତି ୧୦ଟାରେ ଲାଗିଥାଏ ଯେମିତି ସନ୍ଧ୍ୟା ଆସିଗଲା । ହେଲେ ଶୀତଋତୁରେ ଦିନରେ ବି ଅନ୍ଧାର ଥାଏ । ମଧ୍ୟାହ୍ନ ପରେ କିଛି ସମୟ ପାଇଁ ଏଠାରେ ସୂର୍ଯ୍ୟଦେବଙ୍କୁ ଦେଖିବାକୁ ମିଳିଥାଏ ।

ପ୍ରଗତିଶୀଳ ସମାଜ

ଏଠିକାର ପ୍ରଶାସନ ବିଶ୍ୱର ସର୍ବୋତ୍ତମ ପ୍ରଶାସନ ବୋଲି କୁହାଯାଏ । ଏଠାରେ ଦୁର୍ନୀତି ବହୁତ କମ । ଏଠାରେ ସମସ୍ତଙ୍କ ପାଖରେ ଘର ଥାଏ । ଏହା ବିଶ୍ୱର ଏକମାତ୍ର ଦେଶ ଯେଉଁଠି ବାସହୀନ ଲୋକ ନାହାନ୍ତି ।  ଏଠିକାର ବ୍ୟାଙ୍କର କାରବାର ମଧ୍ୟ ଖୁବ ଭଲ ।  ଏଠାକାର ସମାଜ ସବୁଠାରୁ ପ୍ରଗତିଶୀଳ। ଏହି ପାରାମିଟର ଗୁଡ଼ିକୁ ଆଧାର କରି ଜାତିସଂଘ ରିପୋର୍ଟ ଫିନଲାଣ୍ଡକୁ ସବୁଠାରୁ ଖୁସିର ଦେଶ ଘୋଷଣା କରିଛି ।  କହିବାକୁ ଗଲେ, ଏହି ଦେଶରେ ଲୋକଙ୍କ ପାଖରେ ପ୍ରାୟ ଦୁଃଖ ଓ ସମସ୍ୟା ନ ଥାଏ । 

ପ୍ରବାସୀ ବି ଖୁସିରେ ରୁହନ୍ତି

ଜାତିସଂଘର ତାର ଖୁସି ସୂଚକାଙ୍କରେ ପ୍ରବାସୀଙ୍କ ଖୁସିକୁ ବି ସାମିଲ କରିଛି । ପ୍ରବାସୀଙ୍କୁ ସବୁ ପ୍ରକାର ଖୁସି ଦେବାରେ ବି ଫିନଲାଣ୍ଡ ଏକ ନମ୍ବରରେ ରହିଛି । ୨୦୧୫ରେ ଅନେକ ଦେଶରର ଶରଣାର୍ଥୀ ଏହି ଦେଶକୁ ଆସିଥିଲେ । ସମସ୍ତେ ଏଠାରେ ଖୁସିରେ ଅଛନ୍ତି । ଏହି ଦେଶରେ ଶରଣାର୍ଥୀଙ୍କ ସଂଖ୍ୟା ତିନି ଲକ୍ଷ ପାଖାପାଖି ହେବ । ଏଠାରେ ଶରଣାର୍ଥୀମାନଙ୍କୁ ଖୁବ କମ ଦରରେ ଘର ଯୋଗାଇ ଦିଆଯାଇଥାଏ ।

ମହିଳାଙ୍କୁ ସମ୍ମାନ, ସୁନ୍ଦର ଶିକ୍ଷା ବ୍ୟବସ୍ଥା

ଏଠିକାର ଲୋକେ ଏକ ପ୍ରକାର ମୁକ୍ତ ମାହୋଲରେ ରହନ୍ତି । ନିର୍ବାଚନ ପ୍ରକ୍ରିୟା ଏଠାରେ ଏକଦମ ସ୍ୱଚ୍ଛ । ଗଣମାଧ୍ୟମର ଯଥେଷ୍ଟ ସ୍ୱାଧୀନତା ରହିଛି । ମାନବ ଅଧିକାରକୁ ଯଥେଷ୍ଟ ଗୁରୁତ୍ୱ ମିଳିଥାଏ ।

ଏଠାର ଶିକ୍ଷା ବ୍ୟବସ୍ଥା ବିଶ୍ୱରେ ଏକ ଉଦାହାରଣ ସୃଷ୍ଟି କରିଛି ।  ଗ୍ଲୋବାଲ କମ୍ପିଟେଟିଭ ରିପୋର୍ଟ ୨୦୧୬-୧୭ ଅନୁସାରେ, ଏହା ବିଶ୍ୱର ସର୍ବୋତ୍ତମ ଦେଶର ମାନ୍ୟତା ପାଇଛି । ଏଠିକାର ଉଚ୍ଚଶିକ୍ଷା ବିଶ୍ୱର ତିନି ନମ୍ବରରେ ରହିଛି । ଏହା ବିଶ୍ୱର ସର୍ବାଧିକ ସ୍ୱାକ୍ଷର ଦେଶ ମଧ୍ୟ ଅଟେ ।ଏଠାରେ ଅଧିକାଂଶ ଲୋକ ନିୟମିତ ଲାଇବ୍ରେରୀ ଯାଆନ୍ତି ।

ଏହି ଦେଶରେ ପାଠାଗାର ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ୟୁରୋପରେ ଦ୍ୱିତୀୟ ସର୍ବାଧିକ।  ଅନୁସନ୍ଧାନ ଏବଂ ତାଲିମ ପାଇଁ ସବୁଠାରୁ ଅଧିକ ଖର୍ଚ୍ଚ ଏଠିକା ସରକାର କରିଥାନ୍ତି ।  ବିଶ୍ୱର ସବୁଠାରୁ ଅଧିକ ଯୋଗ୍ୟ ପ୍ରତିଭାଙ୍କୁ ତିଆରି କରୁଥିବା ଦେଶର ମାନ୍ୟତା ଫିନଲାଣ୍ଡକୁ ଦିଆଯାଇଛି । ଏଠିକାର ଲୋକେ ତାଙ୍କ ଜୀବନକୁ ନେଇ ଖୁବ ସନ୍ତୁଷ୍ଟ । ନିଜ ରହିବା ସ୍ଥାନକୁ ନେଇ ସେମାନଙ୍କର କୌଣସି ଅଭିଯୋଗ ନ ଥାଏ ।  ଲିଙ୍ଗଗତ ସମାନତା ଦୃଷ୍ଟିରୁ ଦେଖିଲେ, ଏହା ବିଶ୍ୱର ଶ୍ରେଷ୍ଠ ପାଞ୍ଚଟି ଦେଶ ମଧ୍ୟରେ ଅନ୍ତର୍ଭୁକ୍ତ। ସର୍ବାଧିକ ମହିଳା ସାଂସଦଙ୍କ ସଂଖ୍ୟା ଦୃଷ୍ଟିରୁ ଫିନଲ୍ୟାଣ୍ଡ ବିଶ୍ୱର ତୃତୀୟ ଦେଶ।

ଶୁଦ୍ଧ ପାଣି, ଶୁଦ୍ଧ ପବନ

ଶୁଦ୍ଧ ପବନ ଦୃଷ୍ଟିରୁ ଦେଖିଲୁ ଏହା ବିଶ୍ୱର ତିନି ନମ୍ବର ସ୍ଥାନରେ ରହିଛି । ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନର ରିପୋର୍ଟରେ ଏହା କୁହାଯାଇଛି । ପାଣିର ଅଭାବ ନାହିଁ ଏ ଦେଶରେ । ଏଠାରେ ୧, ୮୭, ୮୮୮ ହ୍ରଦ ରହିଛି ଯେଉଁଥିପାଇଁ ଏହି ଦେଶକୁ ‘ହ୍ରଦର ଦେଶ’ ବୋଲି କୁହାଯାଏ । ଏଠାରେ ବହୁତ ବଡ ବଡ ଜଙ୍ଗଲ ମଧ୍ୟ ରହିଛି ।

ଉତ୍ତମ ବ୍ୟବସାୟ ଦୃଷ୍ଟିରୁ ଦେଖିଲେ ଏହା ୟୁରୋପର ତୃତୀୟ ଦେଶ । ସବୁଠାରୁ ମଜା କଥା ହେଲା, ଏଠାରେ ଟ୍ରାଫିକ ଚାଲାଣ ଲୋକଙ୍କ ଦରମାକୁ ଦେଖି କଟାଯାଇଥାଏ । ଧନୀ ଲୋକଙ୍କର ଅଧିକ ଟ୍ରାଫିକ ଚାଲାଣ କଟା ଯାଇଥିବାବେଳେ ଗରିବଙ୍କର କମ କଟା ଯାଇଥାଏ ।

ଫିନଲାଣ୍ଡର ଇତିହାସ

ଦୀର୍ଘ ଶତାବ୍ଦୀ ଧରି ଫିନଲାଣ୍ଡରେ ରାଜତନ୍ତ୍ର ଶାସନ ଚାଲିଥିଲା । ଉନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଫିନଲାଣ୍ଡ ଲୋକମାନେ ସ୍ୱାଧୀନତା ପାଇଥିଲେ । ହେଲେ ଏଠାରେ ସ୍ୱିଡେନ ସଂସ୍କୃତିର ଛାପ ଅଧିକ । କାରଣ ଦିନେ ଫିନଲାଣ୍ଡ ସ୍ୱିଡେନର ଏକ ଅଂଶ ଥିଲା । ଏଠାରେ ପ୍ରଚଳିତ ଦୁଇଟି ଭାଷା ମଧ୍ୟରୁ ଗୋଟିଏ ସ୍ୱିଡିଶ ଏବଂ ଅନ୍ୟଟି ଫିନିଶ ।

୨ୟ ବିଶ୍ୱଯୁଦ୍ଧ ପୂର୍ବରୁ ଏହା ଏକ କୃଷିପ୍ରଧାନ ଦେଶ ଥିଲା । ହେଲେ ୫୦ ଦଶକରେ ବଡ ଧରଣର ପରିବର୍ତ୍ତନ ଆସିଥିଲା । ବଡ ବଡ ଶିଳ୍ପ, କାରଖାନା ଖୋଲିଲା । ବଡ ବଡ ବଜାର ମଧ୍ୟ ଖୋଲିଲା । ଏହା ପରେ ଫିନଲାଣ୍ଡ ବିଶ୍ୱର ଏକ ଧନୀ ରାଜ୍ୟ ମାନ୍ୟତା ପାଇଥିଲା ।  ଆଇଏମଏଫ ମଧ୍ୟ ଏହାକୁ ସବୁଠାରୁ ଭଲ ଦେଶ ବୋଲି ଗ୍ରହଣ କରିଛି ।

ତଥାପି ଏହି ‘ଖୁସିର ଦେଶ’ ଫିନଲାଣ୍ଡରେ ଅନେକ ସମସ୍ୟା ରହିଛି ।  ଏବେ ବି ଏଠାରେ ଜନ୍ମହାର ଯଥେଷ୍ଟ କମ  । ଅନ୍ୟପକ୍ଷେ ଆତ୍ମହତ୍ୟା ସଂଖ୍ୟା ମଧ୍ୟ ଅଧିକ । ଏହାବ୍ୟତୀତ ଏଠିକା ଲୋକ ଖୁବ ମଦ୍ୟପାନ କରନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ, ସୁଖ ଏବଂ ଶାନ୍ତି ସତ୍ତ୍ୱେ ବି ଏଠାରେ ଲୋକେ ଅବସାଦ ମଧ୍ୟରେ ରୁହନ୍ତି ।