• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବାପା-ମାଆ ପାଞ୍ଚ ପାଞ୍ଚଟି ଛୁଆ ଜନ୍ମ କରି ତାକୁ ଲାଳନପାଳନ କରି ବଡ଼ ମଣିଷ କରି ଗଢ଼ି ତୋଳିଥାଏ । ସେଇଠି ପାଞ୍ଚ ପାଞ୍ଚଟି ଛୁଆ କିନ୍ତୁ ବାପାମାଆଙ୍କୁ ଚଳାଇବାରେ ସମର୍ଥ ହୁଅନ୍ତି ନାହିଁ । ପିତାମାତା ସନ୍ତାନଟେ ଜନ୍ମ କଲେ ଭାବେ ବୁଢ଼ା ବୟସରେ ସାହା ହେବେ । କିନ୍ତୁ ଏବେର ସ୍ୱାର୍ଥପର ଦୁନିଆରେ ପିଲାମାନେ ପିତାମାତାଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ବିଦେଶରେ ଅଏସ କରୁଛନ୍ତି । ବଞ୍ଚି ଥାଉ ଥାଉ ବାପାମାଆଙ୍କୁ ଯମଯନ୍ତ୍ରଣା ଦେବାକୁ ପଛାଉନାହାନ୍ତି ।

ବିନା ସ୍ୱାର୍ଥରେ ନିଜର ସବୁକିଛି ପିଲାଙ୍କ ପାଇଁ ସମର୍ପି ଦେଉଥିବା ବାପାମାଆକୁ କିନ୍ତୁ ପିଲାମାନେ ପାଣି ଗିଲାସଟେ ବି ଯାଚୁ ନାହାନ୍ତି । ଏମିତିକି ହାତ ଉଠେଇବାକୁ ବି ପଛାଉନାହାନ୍ତି । ଏଭଳି ଅନେକ ହୃଦୟ ବିଦାରକ ଦୃଶ୍ୟ ବୋଧ ହୁଏ ଆମେ ପ୍ରତିଦିନ ଦେଖୁଥିବେ ଏବଂ ଶୁଣୁଥିବେ । କିନ୍ତୁ ଯାହା ହରିୟାଣାର ଚରଖି ଦାଦ୍ରିରେ ଘଟିଛି ତାହା ସବୁ ସୀମା ଲାଙ୍ଘି ଦେଇଛି । ଦି ମୁଠା ଖାଇବାକୁ ଦେଲେନି ପୁଅ ବୋହୂ, ସୁଇସାଇଡ୍‌ ନୋଟ୍‌ ଲେଖି ଜୀବନ ହାରିଦେଲେ ବାପା ମାଆ..ଜାଣନ୍ତୁ ପୂରା ଘଟଣା..

ପୁଅମାନଙ୍କ ପାଖରେ ଅଚଳାଚଳ ସମ୍ପତ୍ତି ଆଉ ନାତି ହେଉଛି ପ୍ରଶାସନିକ ଅଧିକାରୀ(IAS) । ପିଲାଙ୍କ ସମ୍ପତ୍ତି ପାଖାପାଖି ୩୦ କୋଟି ଟଙ୍କା । ହେଲେ ବୁଢ଼ା ବାପାମାଆଙ୍କୁ ଦୁଇ ପଟ ରୁଟି ଖାଇବାକୁ ଦେବା ପାଇଁ ପିଲା ସମର୍ଥ ନୁହନ୍ତି । କେତେଦିନ ବା ନଖାଇ ବଞ୍ଚିବେ ବୁଢ଼ାବୁଢ଼ି, ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ପଛାଇଲେ ନାହିଁ । ମରିବା ପୂର୍ବରୁ ଲେଖିଗଲେ ସୁଇସାଇଡ୍‌ ନୋଟ୍‌ ।

ଜୀବନ ହାରିଥିବା ବୃଦ୍ଧ ଦମ୍ପତି ହେଉଛନ୍ତି ହରିୟାଣା କ୍ୟାଡର୍‌ରେ ନିଯୁକ୍ତି ପାଇଥିବା ଆଇଏଏସ୍‌ ଅଫିସର୍‌ ବିବେକ୍‌ ଆର୍ୟ୍ୟଙ୍କ ଜେଜେବାପା ଜେଜେମାଆ । ବିବେକ୍‌ଙ୍କ ଜେଜେବାପା ଜଗଦୀଶ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ୭୮ ବର୍ଷ ହୋଇଥିବା ବେଳେ ଓ ଜେଜେମାଆ ଭାଗଲୀ ଦେବୀଙ୍କୁ ୭୭ ବର୍ଷ ହୋଇଥିଲା । ନିଜ ଜୀବନର ଦାରୁଣ ଦୁଃଖ ବଖାଣି ଆରପାରିକୁ ଚାଲିଗଲେ ବୃଦ୍ଧ ଦମ୍ପତି । ସହିପାରିଲେନି ପୁଅ ବୋହୂଙ୍କ ଯମଯନ୍ତ୍ରଣା । ମରିବା ପୂର୍ବରୁ ଲେଖିଗଲେ କିଛି ଏଭଳି ଭାବପ୍ରବଣ ସୁଇସାଇଡ୍‌ ନୋଟ୍‌ ।

‘ମୁଁ ଜଗଦୀଶ ଚନ୍ଦ୍ର ଆଚାର୍ଯ୍ୟ ଆପଣମାଙ୍କୁ ମୋ ଦୁଃଖ ଶୁଣାଉଛି । ଘରୁ ପିଲାମାନେ ବାହାର କରିଦେବା ପରେ ଆମେ ଦୁହେଁ ଯାଇ ଅନାଥ ଆଶ୍ରମରେ ରହିଲୁ । ଘରକୁ ଫେରି ଦେଖିଲୁ ତାଲା ଝୁଲିଛି । ଏହାରି ଭିତରେ ମୋ ସ୍ତ୍ରୀର ଦେହ ଖରାପ ହେବାରେ ଲାଗିଲା ଓ ତାକୁ ବାତ ମାରିଲା । ଏହାପରେ ସାନପୁଅ ଘରେ ରହିଲୁ । ୬ ବର୍ଷ ପୂର୍ବରୁ ସାନ ପୁଅର ମୃତ୍ୟୁ ହୋଇଥିଲା । ସାନ ବୋହୂ କିଛିଦିନ ଖାଇବାକୁ ଦେବା ପରେ ସବୁ ବନ୍ଦ କରିଦେଲା । ଏଥିପାଇଁ ବୋହୂକୁ ପୁତୁରା ସହଯୋଗ କରୁଥିଲା । କାରଣ ସେମାନଙ୍କ ଭିତରେ ଥିଲା ଅନୈତିକ ସଂପର୍କ । ଏହାକୁ ବିରୋଧ କରିବାରୁ ଆମକୁ ବାଡ଼େଇଲେ ଓ ଘରୁ ତଡ଼ି ଦେଲେ । ମାଡ଼ ଖାଇବା ପରେ ଆଉ ଗୋଟିଏ ପୁଅ ଘରେ ରହିଲୁ । ସେ ଆମକୁ ବାସି ରୁଟି ଓ ଦହି ଖାଇବାକୁ ଦେଲା । କେତେଦିନ ବା ଏହି କଷ୍ଟ ସହିବୁ, ଶେଷରେ ସଫ୍‌ଲାସ ବଟିକା ଖାଇଦେଲୁ । ମୋର ସ୍ଥାବର ଅସ୍ଥାବର ସଂପତ୍ତି ମୋ ନାତିକୁ ଦିଆଯାଉ । ଆମ ମୃତ୍ୟୁ ପାଇଁ ପୁଅ ବୋହୂ ଓ ପୁତୁରା ଦାୟୀ । ଯେପର୍ଯ୍ୟନ୍ତ ପୋଲିସ ଓ ସରକାର ଏମାନଙ୍କୁ ଦଣ୍ତ ଦେଇନି, ସେଯାଏଁ ଆମ ଆତ୍ମା ଶାନ୍ତି ପାଇବନି’ ।

କିଛି ଏମିତି ଥିଲା ସେହି ସୁଇସାଇଡ୍‌ ନୋଟ୍‌ । ଆତ୍ମହତ୍ୟା ପୂର୍ବରୁ ବୃଦ୍ଧ ଦମ୍ପତି ପୋଲିସକୁ ଏନେଇ ଖବର ଦେଇଥିଲେ । ପୋଲିସ ପହଞ୍ଚିଲା ବେଳକୁ ଦୁହେଁ ଗୁରୁତର ଅବସ୍ଥାରେ ପଡ଼ିରହିଥିଲେ । ମେଡିକାଲ୍‌ରେ ଭର୍ତ୍ତି କରିବା ପରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ସୁଇସାଇଡ୍‌ ନୋଟ୍‌ ପାଇବା ପରେ ପୋଲିସ ୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ।