/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680883096.jpg)
Grand farewell
ବାଜା ବାଜୁଛି, ଦୁଲୁଦୁଲି ବାଜୁଛି...ଡିଜେ ବାଜୁଛି । ଘୋଡ଼ାଗାଡ଼ିରେ ପୂରା ରାଜକୀୟ ଢଙ୍ଗରେ ବସି ଗାଁ ପରିଭ୍ରମଣ କରୁଛନ୍ତି ଜଣେ ବ୍ୟକ୍ତି । ପୁଣି ଗାଡ଼ି ଉପରେ ରାଜାଙ୍କୁ ଯେମିତି ଆଲଟ ଚାମର କରାଯାଏ ଠିକ୍ ସେମିତି ଢଙ୍ଗରେ ଛାତ୍ରୀମାନେ ବିଞ୍ଚଣା ଧରି ବିଞ୍ଚୁଛନ୍ତି । ଏମିତି କିଛି ଦୃଶ୍ୟ ଦେଖିବା ପରେ କିଛି ବୁଝିପାରିବେନି ଆପଣ । ମନରେ ପ୍ରଶ୍ନ ଆସୁଥିବ ସିଏ କିଏ? କାହିଁକି ତାଙ୍କୁ ଏତେ ଆକର୍ଷଣୀୟ ଢଙ୍ଗରେ ସ୍ୱାଗତ କରାଯାଉଛି?
ସିଏ ହେଉଛନ୍ତି ଜଣେ ଶିକ୍ଷକ । ପିଲାଙ୍କୁ ପାଠ ପଢାଉଥିଲେ...ଏବେ ଅବସର ନେଉଛନ୍ତି । ଏତେ ଦିନ ପାଠ ପଢାଇବା ପରେ ଅବସର ନେଉଥିବାରୁ ସାର୍ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ଲାଗି ଜୋରଦାରିଆ ଆୟୋଜନ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଆଉ ସାର୍ଙ୍କ ବିଦାୟକାଳୀନ ପ୍ରସେସନ୍କୁ ନେଇ ଏବେ ବାଲିଆପାଳ ଅଂଚଳରେ ଜୋର ଧରିଛି ଚର୍ଚ୍ଚା ।
ବର୍ଷେ କି ଦୁଇବର୍ଷ ନୁହେଁ ବରଂ ୩୯ ବର୍ଷର ଶିକ୍ଷାଦାନ ପରେ ବିଦାୟ ଗ୍ରହଣ କରିଥିବା ଜଣେ ପ୍ରଧାନଶିକ୍ଷକଙ୍କୁ ଶହଶହ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଦେଇଛନ୍ତି ଅଶ୍ରୁଳ ବିଦାୟ । ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ବାଜା ରୋଷଣୀ ସହ ରଥରେ ବସାଇ ବିଦ୍ୟାଳୟଠାରୁ ୧୦କମି ଦୂର ଶିକ୍ଷକଙ୍କ ଘର ପର୍ଯ୍ୟନ୍ତ ସମସ୍ତେ ଚାଲିଚାଲି ଯାଇଥିଲେ । ଆଉ ଶିକ୍ଷକଙ୍କ ଏମିତି ଶୋଭାଯାତ୍ରା ଦେଖିବାକୁ ରାସ୍ତାସାରା ଗହଳି ବି ଲାଗିଥିଲା ।
ବାଲିଆପାଳ ବ୍ଲକ ଗଦାଧର ଗିରି ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଞ୍ଜନ ପ୍ରଧାନ ଏମିତି ଜଣେ ଶିକ୍ଷକ ଥିଲେ ଯିଏକି ପିଲାଙ୍କ ପାଖରେ ବେଶ୍ ପରିଚିତ ଥିଲେ । ଖାଲି ପରିଚିତ ଥିଲେ ତାହା ନୁହେଁ ସାର୍ଙ୍କ ପାଖରେ ଯେଉଁମାନେ ପାଠ ପଢିଛନ୍ତି ସେମାନେ ମଣିଷ ବି ହୋଇଛନ୍ତି । ସେଇଥିଲାଗି ତ ଅବସର ପରେ ଏମିତି ଧୁମଧାମ ଶୋଭାଯାତ୍ରା ଆୟୋଜନ କରିଥିଲେ ଶୁଭେଚ୍ଛୁ ।
ଶୋଭାଯାତ୍ରା ପୂର୍ବରୁ ଏକ ସଭାର ବି ଆୟୋଜନ କରାଯାଇଥିଲା । ଯେଉଁଥିରେ ମୁଖ୍ୟଅତିଥି ଭାବରେ ବ୍ଲକ ଶିକ୍ଷାଅଧିକାରୀ ସୁଧାଂଶୁ ଶେଖର ଜେନା ବି ଯୋଗ ଦେଇଥିଲେ । ତେବେ ଜଣେ ସାର୍ଙ୍କ ଅବସର ପରେ ତାଙ୍କୁ ଏମିତି ସମ୍ବର୍ଦ୍ଧନା ଦିଆଯାଇଥିବାରୁ ଛାତ୍ରଛାତ୍ରୀ ଓ ଶୁଭେଚ୍ଛୁଙ୍କୁ ସ୍ଥାନୀୟ ଅଂଚଳରେ ବେଶ୍ ପ୍ରଶଂସା କରାଯାଉଛି ।
(ଜଳେଶ୍ୱରରୁ ଅଜିତ ଦାସଙ୍କ ରିପୋର୍ଟ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)