• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଆଶାବାଡି ଧରିଲେ ପାଦେ ଚାଲୁଛି, ନହେଲେ ନାହିଁ । ବିନା ସାହାଯ୍ୟରେ ପାଦେ ଚାଲିବା ବି କଷ୍ଟ। ଯେଉଁଠି ବସାଇ ଦେଲେ ସେଇଠି ବସୁଛି...ଯେମିତି ବସାଇଦେଲେ ସେମିତି ବସୁଛି । ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ନିଜ ଛାତିରେ ସବୁ କଷ୍ଟକୁ ଚାପି ରଖିଛି କେନ୍ଦୁଝର ତେଲକୋଇର ଏଇ ଝିଅ । ବାରମ୍ବାର ଖାଲି ଗୋଡକୁ ଚାହୁଁଛି, ନିଜେ ଚାଲିବାକୁ ଚେଷ୍ଟା କରୁଛି କିନ୍ତୁ ହୋଇପାରୁନି। ଗୋଡ କେମିତି ଅଚଳ ହେଲା ସେକଥା ଜାଣିଲେ ଆପଣଙ୍କ ଆଖିରେ ଜକେଇ ଆସିବ ଲୁହ ।

ଖେଳ ହେଲା କାଳ, ଯେଉଁ ଗୋଡରେ ଦିନେ ସ୍କୁଲରେ ହେଉଥିବା ଖେଳରେ ପ୍ରଥମ ହେଉଥିଲେ ଆଜି ସେହି ଗୋଡ ଜୀବନକୁ ଦୁର୍ବିସହ କରିଦେଇଛି । ସ୍କୁଲରେ ଚାଲିଥିବା ଖେଳରୁ ଏମିତି ଅବସ୍ଥା ହୋଇଛି । ଲଙ୍ଗ ଜମ୍ପ ମାରୁ ମାରୁ ଭାଙ୍ଗିଗଲା ଗୋଡ। ବାସ୍‌ ୟାପରେ ଏଇ ଝିଅ ଜୀବନରେ ଯେମିତି ଘୋଟି ଆସିଲା ଦୁଃଖର କଳାବାଦଲ।

 

କେନ୍ଦୁଝର ତେଲକୋଇ ବ୍ଲକ କୁଣ୍ଢେଇହତା ଗାଁର ଦିନ ବିଶ୍ୱାଳ ଓ ସବିତା ବିଶ୍ୱାଳଙ୍କ ଝିଅ ପପିନ ବିଶ୍ୱାଳ । ସ୍ଥାନୀୟ ସିରିଗିଡା ଉଚ୍ଚ-ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢେ। ପାଠ ସହିତ ଖେଳରେ ଭାରି ମନ ତା’ର। ସେଇଥି ଲାଗି ତ ସ୍କୁଲର ପ୍ରତ୍ୟେକ ଖେଳରେ ଭାଗ ନିଏ ପପିନ୍‌ । ଡିସେମ୍ବର ୧୬ ତାରିଖ ଦିନ ସ୍କୁଲରେ ଖେଳ ଚାଲୁଥିବା ବେଳେ ପପିନ୍‌ ବି ଭାଗ ନେଲା ଆଉ ଲଙ୍ଗ ଜମ୍ପରେ ସାମିଲ ହେଲା।

ସ୍ୱପ୍ନରେ ସେ କେବେ ଭାବିବି ନଥିବ ଏଇ ଖେଳ ତା’ ପାଇଁ ଦିନେ କାଳ ହେବ । ସ୍କୁଲରେ ଖେଳୁ ଖେଳୁ ବାମ ଜଙ୍ଘରୁ ହାଡ ଭାଙ୍ଗିଗଲା। ଆଉ ଏହା ପରେ ଯନ୍ତ୍ରଣା ଯେମିତି ୟାଙ୍କ ପାଖରେ ଘର କରି ରହିଛି । ହାଡ ଭାଙ୍ଗିବା ପରେ କଟକ ମେଡିକାଲରେ ପପିନ୍‌ର ଅପରେସନ୍‌ ହେଲା। ଗୋଡରେ ଲୁହା ରଡ୍‌ ବି ଲାଗିଲା। କିଛିଦିନ ମେଡିକାଲରେ ରହିବା ପରେ ଘରକୁ ଫେରିଲା ପପିନ୍‌। କିନ୍ତୁ ଆଉ ଚାଲିପାରୁନି କି ଖେଳି ପାରୁନି।

ଗୋଡ ଭାଙ୍ଗିବା ପରେ କେବଳ ଘରେ ବସୁଛି ପପିନ୍‌। ବୋର୍ଡ ପରୀକ୍ଷା ପାଖେଇ ଆସିଲାଣି, ସ୍କୁଲରେ କେତେ କଣ ପଢାଯାଉଛି। ଇଚ୍ଛା ଥିଲେ ବି ସେ ଯାଇପାରୁନି। ବାପା ଦିନ ମଜୁରିଆ କାମ କରୁଥିବାରୁ ଝିଅକୁ ୨୦ କିମି ଦୂରରେ ଥିବା ବୋର୍ଡ ପରୀକ୍ଷା କେନ୍ଦ୍ରକୁ କେମିତି ନେବେ ସେଇ ଚିନ୍ତାରେ ପୂରା ପରିବାର। ପପିନଙ୍କ ମାଆ କହିଛନ୍ତି, ସ୍କୁଲରେ ଖେଳ କଲେ...ମିଶିବାକୁ କହିଲେ। ସେହି ଖେଳରୁ ଝିଅର ଗୋଡ ଭାଙ୍ଗିଲା। ଏବେ ପ୍ରଶାସନ ଯଦି ଆମ କଥା ନବୁଝେ ଆମେ କରିବୁ କଣ? ସେପଟେ ସ୍କୁଲ କର୍ତ୍ତୃପକ୍ଷ କହୁଛନ୍ତି ଆମେ ଯଥାସମ୍ଭବ ସାହାଯ୍ୟ କରିଛୁ। ଏବେ ସରକାର ଯଦି କିଛି ସାହାଯ୍ୟ କରନ୍ତେ ତେବେ ଝିଅ ପରୀକ୍ଷା ଦେଇପାରନ୍ତା...

ଗରିବ ତଥା ମେଧାବୀ ଛାତ୍ରଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ସରକାର । ଯଦି ପ୍ରଶାସନ ପପିନ୍‌ଙ୍କୁ ସାହାଯ୍ୟର ହାତ ବଢାନ୍ତା ତେବେ ପପିନ୍‌ ପରୀକ୍ଷା ଦେବା ସହିତ ଖୁବଶୀଘ୍ର ସୁସ୍ଥ ହୁଅନ୍ତେ । ଦର୍ଶକବନ୍ଧୁ ଯଦି ଆପଣ ପପିନ୍‌ଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଏଇ ନମ୍ବରରେ ( Ph -7698014112) ଯୋଗାଯୋଗ କରନ୍ତୁ...

 

ରିପୋର୍ଟ- ଚିନ୍ମୟ ସାହୁ, ତେଲକୋଇ)