• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଅଧାଗଢା କାନ୍ଥ...ଉପରେ ପୁଣି ଜରି ପାଲ । କାନ୍ଥର ଅବସ୍ଥା ଏତେ ଖରାପ ଯେ ଧରୁଧରୁ ଗଳିପଡିବ । ହେଲେ ସେହି ଘରେ ରହୁଛନ୍ତି ଗୋଟିଏ ପରିବାରର ୬ ପ୍ରାଣୀ କୁଟୁମ୍ବ । ଖାଲି ରହୁଛନ୍ତି ତାହା ନୁହେଁ ବରଂ ଖାଇବା ପିଇବାଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସବୁ କାମ ଏଇ ଘରେ ହେଉଛି । ସରକାରୀ ଯୋଜନାରେ ମିଳୁଥିବା ଘର ଖଣ୍ଡିଏ ବି ତାଙ୍କ ଭାଗ୍ୟରେ ନାହିଁ । ସେଇଥି ପାଇଁ ତ ଭାଗ୍ୟକୁ ଆଦରି ଏମିତି ଦୁଃଖ କଷ୍ଟରେ ରହୁଛନ୍ତି ସେମାନେ ।

ଢେଙ୍କାନାଳ କଙ୍କଡାହାଡ଼ ବ୍ଲକ କଣ୍ଟାପାଳ ପଞ୍ଚାୟତର ବାଲିପଶି ଗାଁ । ଆଉ ଏହି ଗାଁରେ ୬ ପ୍ରାଣୀ କୁଟୁମ୍ବଙ୍କୁ ନେଇ ବାସ କରୁଛନ୍ତି ୬୦ ବର୍ଷୀୟା ବୃଦ୍ଧା ମାଇନା ମୁର୍ମୁ । ପରିବାର କହିଲେ ପୁଅ ,ବୋହୂ ,ଝିଅ ,ନାତି ନାତୁଣୀ । ଆଜକୁ ୧୧ ବର୍ଷ ତଳେ ମାଇନା ନିଜର ସ୍ୱାମୀଙ୍କୁ ହରାଇଛନ୍ତି । ସ୍ୱାମୀ ବଂଚିଥିବା ବେଳେ ଯାହା ଯେତିକି ରୋଜଗାର କରୁଥିଲେ ସେତିକିରେ ପରିବାର ଚଲୁଥିଲା । ହେଲେ ସେ ଚାଲିଯିବା ପରେ ପିଲାଙ୍କ ମୁହଁରେ ଆହାର ଦେବାକୁ ପରଘରେ କାମ କଲେ, ମଜୁରୀ ଖଟିଲେ ମାଇନା । ଆଉ ସେତିକିରେ ଯାହା ହେଲା ପିଲାଙ୍କ ମୁହଁରେ ଆହାର ଦେଉଥିଲେ ।

ଦିନ ଗଡ଼ିବା ସହିତ ବୟସ ବି ବଢୁଛି । ଖଟିବାକୁ ଅଣ୍ଟାରେ ଆଉ ବଳ ବି ନାହିଁ । କିନ୍ତୁ ହାର ମାନିନାହାନ୍ତି ମାଇନା । ବିଲରେ କାମ କରି ଆଜି ବି କିଛି ଟଙ୍କା ରୋଜଗାର କରୁଛନ୍ତି, ଆଉ ଏଇ ପିଲାଙ୍କ ମୁହଁରେ ଆହାର ଦେଉଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ କି ଯେଉଁ କୁଡ଼ିଆରେ ସେମାନେ ରହୁଛନ୍ତି ତାହା ବି ମାଇନାଙ୍କର ନୁହେଁ । ତେଣୁ ସରକାରୀ ଭାବରେ ତାଙ୍କୁ ଜାଗା ଖଣ୍ଡେ ଓ ଘର ବଖରେ କରିଦେବାକୁ ବାବୁଙ୍କୁ କେତେ ଗୁହାରି କରିଛନ୍ତି । ହେଲେ ତାଙ୍କ ଦୁଃଖ ଶୁଣିବାକୁ ସତେ ଯେମିତି କାହା ପାଖରେ ସମୟ ହିଁ ନାହିଁ । ଆଉ ସରକାରୀ ସହାୟତା କହିଲେ ମାସକୁ ମିଳୁଛି ଯାହା ୫ କିଲୋ ଚାଉଳ ।

ମାଇନାଙ୍କ ଦୁଃଖ କଥା ଆମେ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଜଣାଇଥିଲୁ । ପୂରା ଘଟଣା ଜାଣିବା ପରେ ତୁରନ୍ତ ମାଇନାଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ସମୟ କହିବ କେବେ ପ୍ରତିଶ୍ରୁତି ପାଳନ କରୁଛନ୍ତି ଜିଲ୍ଲାପାଳ ।

 

  • Reported by:
  • Bidyadhar Baral