• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଚର୍ଚ୍ଚାରେ ଆଦିବାସୀ ବୈଦ୍ୟ ହରି ପାଙ୍ଗି...ମାତ୍ର ଅଷ୍ଟମ ଶ୍ରେଣୀ ଯାଏଁ ପଢିଥିଲେ ବି ଲୋକଙ୍କ ପାଇଁ ସେ ଜଣେ ଡାକ୍ତର ଆଉ ବୈଜ୍ଞାନିକ । ଆୟୁର୍ବେଦିକ ଚିକିତ୍ସା ଉପରେ ତାଙ୍କର ଗବେଷଣା ଓ ଚେରମୂଳି ଚିକିତ୍ସାର ଚର୍ଚ୍ଚା ଏବେ ଆମେରିକାର ୱାସିଂଟନରେ । ସରଳ କୋରାପୁଟିଆ ଜଙ୍ଗଲି ମଣିଷଟିଏ ହୁଏତ ସ୍ବପ୍ନରେ ଭାବିନଥିବ ଯେ ତାକୁ କେବେ ଆମେରିକା ଯିବାକୁ ପଡ଼ିବ। ତେବେ ନୀରବରେ ଓ ନିସ୍ୱାର୍ଥପର ଭାବେ ସେ କରିଥିବା ଗବେଷଣା ଏବେ ଚିକିତ୍ସା ବିଜ୍ଞାନରେ ନୂଆ ଅଧ୍ୟାୟ ହେବାକୁ ଯାଉଛି ।

ଆମେରିକା ଯିବେ ଅଷ୍ଟମ ଯାଏଁ ପଢିଥିବା କୋରାପୁଟ ସେମିଲିଗୁଡା ବ୍ଳକ୍ ତେନ୍ତୁଳିଗୁଡାର ଆଦିବାସୀ ବୈଦ ହରି ପାଙ୍ଗି । ବିଶ୍ୱର ବିଶିଷ୍ଟ ବୈଜ୍ଞାନିକଙ୍କ ସାମ୍ନାରେ ବନୋଷୌଧିର ଉପକାରିତା ବଖାଣିବେ ପୁଅ । ଇଣ୍ଟରନ୍ୟାସନାଲ ଭିଜିଟର୍ସ ଲିଡରଶିପ୍ -IVL କାର୍ଯ୍ୟକ୍ରମରେ ଯୋଗଦେବାକୁ ହରିଙ୍କୁ ୱାସିଂଟନରୁ ଡାକରା ଆସିଛି ।

ଅଷ୍ଟମ ପର୍ଯ୍ୟନ୍ତ ପଢ଼ିଥିଲେ ବି ଆୟୁର୍ବେଦିକ ଚିକିତ୍ସା ଉପରେ ୪୩ ବର୍ଷୀୟ ହରିଙ୍କର ରହିଛି ଗଭୀର ଜ୍ଞାନ । ଜଙ୍ଗଲରୁ ଜଡ଼ିବୁଟି ସଂଗ୍ରହ କରି ଏଯାବତ ସେ ପ୍ରାୟ ୪୫୦ ପ୍ରକାରର ଚେରିମୂଳି ଔଷଧ ତିଆରି କରିଛନ୍ତି । ଏହି ଔଷଧ ଦ୍ଵାରା ହାର୍ଟ ଆଟାକ୍, ବ୍ଲଡ଼ ପ୍ରେସର୍, ସିକଲସେଲ୍ ସ୍ନାୟୁ ରୋଗ, ଋତୁସ୍ରାବ ସମସ୍ୟା, ଥାଇରଡ, କିଡନୀ ସମସ୍ୟା ଭଳି ୧୦୫ଟି ରୋଗ ଠିକ୍ ହେଉଥିବା ସେ କହିଛନ୍ତି । କେବଳ ସେତିକି ନୁହେଁ ଚେରମୂଳି ଔଷଧ ଏବଂ ପାରମ୍ପରିକ ବିଜ୍ଞାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରି ସେ ଗବେଷଣା କରୁଛନ୍ତି। ।

ସକାଳୁ ସୂର୍ଯ୍ୟପୂଜା ପରେ ନିଜ ଗ୍ରାମର ପାରମ୍ପରିକ ନିଶାଣି ମୁଣ୍ଡାରେ ମୁଣ୍ଡିଆ ମାରି ସେ ଚେରମୂଳି ଓ ଜଡିବୁଟି ସନ୍ଧାନରେ ଜଙ୍ଗଲକୁ ବାହାରି ଯାଆନ୍ତି । ଜଙ୍ଗଲରୁ ଗଙ୍ଗ ଶିଉଳି, ବିଶଲ୍ୟକରଣୀ ଭଳି ଔଷଧିୟ ଗୁଳ୍ମ ଓ ବୃକ୍ଷ ଗୁଡିକର ଚେର, ମୂଳ ସଂଗ୍ରହ କରନ୍ତି । ପରେ ଏଥିରୁ ପ୍ରସ୍ତୁତ କରୁଛନ୍ତି ଆୟୁର୍ବେଦିକ ଔଷଧ । ପୂର୍ବରୁ ଗୁଜୁରାଟର ଗାନ୍ଧି ନଗରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ପାରମ୍ପରିକ ଔଷଧକୁ ନେଇ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀରେ ଔଷଧିୟ ବୃକ୍ଷ ସଂପର୍କରେ ତଥ୍ୟ ଉପସ୍ଥାପନ କରି ଜିଲ୍ଲା ଓ ରାଜ୍ୟ ପାଇଁ ପାଇଁ ଗୌରବ ଆଣିଥିଲେ ହରି । ଏବେ ଆମେରିକାରେ କୋରାପୁଟର ଆୟୁବେଦିକ ଔଷଧ ଓ ପରିବେଶ ସନ୍ତୁଳନ ଉପରେ ଅଭିଜ୍ଞତା ବଖାଣିବେ । ଆସି ଯାଇଛି ପାସପୋର୍ଟ ଓ ଭିସା । ଆଉ ସେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ପଣ୍ଡା, କୋରାପୁଟ)