• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସ୍ନେହରେ ମାଲିକ ମୁହଁରୁ ଡାକ ନସରୁଣୁ ଧାଇଁଆସୁଛି ବାଛୁରିଟିଏ । ସେ ଜାଣିପାରୁଛି ତାର ନାଁ କପିଳା, ବୁଝିପାରୁଛି ତାର ବନ୍ଧୁ ତାକୁ ଡାକୁଛି । ଆଉ ଡାକ ଶୁଣିବା ମାତ୍ରେ ସେହି ସ୍ଥାନରୁ ଧାଇଁଆସୁଛି । କପିଳା...ଶ୍ରଦ୍ଧାରେ ବନ୍ଧୁ ଦେଇଥିବା ନାଁ ଟିଏ । ଭଲ ପାଇବାର ଭାଷା ବୁଝିବାକୁ ବେଶୀ କଷ୍ଟ ହୁଏନି । ସେ ମଣିଷ ହୁଅନ୍ତୁ ଅବା ପଶୁ । ଯେଉଁଠି ଭଲପାଇବା ନିସ୍ୱାର୍ଥପର, ସେଠି ପ୍ରେମରେ ବଦଳିଯାଏ ପ୍ରତିବନ୍ଧକ । ଆପଣ ବନ୍ଧୁତାର ଅନେକ କାହାଣୀ ଶୁଣିଥିବେ, ହେଲେ ୟେ ବନ୍ଧୁତ୍ୱର ଆଉ ଏକ କାହାଣୀ । ଗୋରୁ- ମଣିଷ ବନ୍ଧୁତାର କାହାଣୀ ।

ବାଲେଶ୍ଵର ସିମୁଳିଆ ବ୍ଲକ ମଇତାପୁରରେ ରହିଛି ରୁଦ୍ରାଶ୍ରମ l ଗୋଶାଳାରେ ଅଛନ୍ତି ଅନେକ ଗୋରୁ, ଗାଈ l ହେଲେ ଗୋଶାଳାର ପରିଚାଳକଙ୍କ ସହ ମିତ ବସିଛି ଗୋଟିଏ ବାଛୁରୀ l ପରିଚାଳକ ହେଉଛନ୍ତି ରାମଚନ୍ଦ୍ର ରାମାନୁଜ ଦାସ l ଶ୍ରଦ୍ଧାରେ ବାଛୁରୀର ନାଁ ଦେଇଛନ୍ତି କପିଳା l କପିଳା ସେଠାରେ ହିଁ ଜନ୍ମ ନେଇଥିଲା l ଜନ୍ମ ପରଠୁ ପରିଚାଳକଙ୍କ ସହ ସେ ସାଙ୍ଗ l କପିଳା ବୋଲି ଡାକ ଛାଡିଲେ ଶହଶହ ଗୋରୁଙ୍କ ଭିତରୁ ଦୌଡ଼ି ଆସୁଛି l ଆଉ ସାଙ୍ଗ ସାଜିଥିବା ରାମାନୁଜଙ୍କ ହାତରୁ ବିଭିନ୍ନ ଜିନିଷ ଖାଉଛି l କପିଳା ପାଇଁ ରାମାନୁଜଙ୍କ ଘରେ ଅବାଧ ପ୍ରବେଶ ।

ଖାଲି ସେତିକି ନୁହେଁ, ରାମାନୁଜଙ୍କୁ କୁଆଡେ ଛାଡି ଯାଏନି କପିଳା l ସେ ଯୁଆଡ଼େ ବାହାରିଲେ ସାଙ୍ଗରେ ଧାଏଁ l କପିଳାର ଖାଇବା ପିଇବା ଠାରୁ ଆରମ୍ଭ କରି ସବୁ ଯତ୍ନ ନିଅନ୍ତି ରାମାନୁଜ l ଆଉ କଥା ନକହିଲେ ମଧ୍ୟ ବନ୍ଧୁଙ୍କ କଥା ସବୁ ବୁଝିପାରେ କପିଳା l ସକାଳୁ ଉଠି ଠାକୁର ପୂଜା ପରେ କର୍ମଚାରୀଙ୍କଠୁ ସବୁ ଗୋରୁ ଗାଈଙ୍କ କଥା ବୁଝନ୍ତି ରାମାନୁଜ l ହେଲେ କପିଳାର ଦାୟିତ୍ୱ ନିଜେ ବୁଝନ୍ତି l ମଣିଷ ସାଙ୍ଗ ପରି ଭଲପାଇବା ଦେଇଥାନ୍ତି l ଗୋରୁ-ମଣିଷର ଏ ନିଆରା ବନ୍ଧୁତା ଦେଖି ଖୁସି ହୁଅନ୍ତି ସ୍ଥାନୀୟ ଲୋକେ l 

 

  • Reported by:
  • Niranjan Behera