• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଖଟରେ ସ୍ତ୍ରୀ ଶୋଇଛି, ବିସ୍କୁଟ କ୍ଷୀର ଗୋଳେଇ ଦେଇ ସ୍ୱାମୀ ନିଇତି ଖୋଇ ଦେଉଛି । ବୟସାଧିକ କାରଣରୁ ଠିକ୍‌ରେ ସେ ଖାଇବି ବି ପାରୁନି । ହେଲେ ସ୍ୱାମୀ ହାର୍‌ ମାନୁନି । ଚାମଚ ଧରି ଟିକେ ଟିକେ କରି ଖୁଆଇ ଦେଉଛି କ୍ଷୀର ବିସ୍କୁଟ୍‌ । ଖାଲି ଖୁଆଇ ଦେଉଛି ତାହା ନୁହେଁ ବରଂ ମୁଣ୍ଡ, ଗୋଡ ଆଉ ହାତକୁ ଘସି ବି ଦେଉଛନ୍ତି  । ଏମିତି ଦୃଶ୍ୟ ଦେଖିବା ପରେ ଆପଣ ବୁଝିପାରିବେ କି ଅନେକ ଦିନ ହେବ ସ୍ତ୍ରୀ ରୋଗରେ ପଡ଼ିଛି ।

ଟିଣଛପର ଭଙ୍ଗା ଦଦରା ଘର । ସେଇଠି ଗୋଟିଏ କଣରେ ଶୋଇ ରହୁଛନ୍ତି ଜଣେ ବୃଦ୍ଧା । ଘର ଭିତରର ଦୃଶ୍ୟ ଦେଖିବା ପରେ ବିଶ୍ୱାସ କରିପାରିବେନି ସେଇଠି ମଣିଷ ରହୁଛନ୍ତି ବୋଲି । ଯେଉଁଠି ସାଇକେଲ୍‌ ରହିଛି ସେଇଠି ରୋଷେଇ, ସେଇଠି ଲୁଗାପଟା ଆଉ ସେଇଠି ମଣିଷ ବି ଶୋଇଛି । ସେହି ଦମ୍ପତିଙ୍କ ଦୁଃଖ କଥା ଶୁଣିଲେ ଆପଣଙ୍କ ଆଖିରେ ବି ଜକାଇ ଆସିବ ଲୁହ । ସ୍ୱାମୀ ମୁଖ ଗହ୍ୱର କର୍କଟ ରୋଗରେ ପୀଡିତ ଥିବାବେଳେ ସ୍ତ୍ରୀ ମଧୁମେହ ରୋଗରେ ଶଯ୍ୟାଶାୟୀ l ବଞ୍ଚିବା ପାଇଁ ସେମାନେ ସଂଘର୍ଷ କରୁଛନ୍ତି ।

ଯାଜପୁର ମଙ୍ଗରାଜପୁର ଗାଁରେ ରହୁଥିବା ଗରିବ ଅସହାୟ ସଦାଶିବ ଓ କାମିନୀ । ସଦାଶିବ ଏକ ଚାହା ଦୋକାନ କରି ପରିବାର ପୋଷୁଥିଲେ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ହଠାତ୍‌ କ୍ୟାନସର ରୋଗରେ ସେ ପଡ଼ିଲେ । ବିଧାତାର ମନ ଏତିକିରେ ଶାନ୍ତ ହେଲାନି ଯେ ସ୍ତ୍ରୀଙ୍କୁ ଡାଇବେଟିସ ରୋଗ ଦେଲା । ବାପା-ମାଆଙ୍କ କଷ୍ଟ ଦେଖି ମାନସିକ ଭାରସ୍ୟାମ ହରାଇଲେ ପୁଅ । ଏତେ ଦୁଃଖ କଷ୍ଟରେ କେମିତି ଚଳିବେ? କ’ଣ ଖାଇବେ ସେଇ ଚିନ୍ତାରେ କଟୁଛି ଦିନ ।

ସେମାନେ ଏତେ ଗରିବ ଯେ ଘର ଛପର କରିବାକୁ ପାଖରେ ଟଙ୍କା ବି ନାହିଁ । ଆଉ ସରକାରୀ ଯୋଜନା ସେମାନଙ୍କୁ ସତେ ଯେମିତି ଉପହାସ କରୁଛି । ବାରମ୍ବାର ଗୁହାରି ପରେ ବି ତାଙ୍କୁ ଘର ଖଣ୍ଡିଏ ମିଳିନାହିଁ କି ସରକାରୀ ସୁବିଧା ମିଳୁନି । ଏମିତି ସ୍ଥିତିରେ କୌଣସି ସ୍ୱେଚ୍ଛାସେବୀ ଓ ସରକାରଙ୍କୁ ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି ଦମ୍ପତି ।

ଗରିବ ଅସହାୟ ଲୋକଙ୍କ ପାଇଁ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିବାର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ଏହି ଯୋଜନା କେତେ କାର୍ଯ୍ୟକାରୀ ହେଉଛି ତାହା ଏହି ଘଟଣାରୁ ସ୍ପଷ୍ଟ ଅନୁମେୟ । ଏଇ ଦମ୍ପତିଙ୍କ ଦୁଃଖ କାହାଣୀ ଶୁଣିବା ପରେ ତୁରନ୍ତ ସେମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ ଓ କୋରେଇ ମେଡିକାଲର ମୁଖ୍ୟ ଚିକିତ୍ସାଧିକାରୀ।

  • Reported by:
  • JANMEJAY DASH