/odishatv-khabar/media/post_attachments/uploadimage/library/16_9/16_9_0/Cow_Death_1691253784.jpg)
Cow Death
କୁନି ବାଛୁରୀକୁ ଧରି ବାହୁନି ବାହୁନି କାନ୍ଦୁଛନ୍ତି, କେତେ କଣ କହିଯାଉଛନ୍ତି । ହଠାତ୍ ଗାଈ ଗୁହାଲେ ସିଏ କାହିଁକି କାନ୍ଦୁଛନ୍ତି? କେହି କିଛି ବୁଝିପାରିବେ ନାହିଁ । ହେଲେ କାନ୍ଦ ପଛରେ ଥିବା କାହାଣୀ ଜାଣିଲେ ଆପଣଙ୍କ ଆଖିରେ ବି ଜକେଇ ଆସିବ ଲୁହ । ମନରେ ଆସିବ କୋହ...କାରଣ ଯାହାଙ୍କ ଉପରେ ନିର୍ଭର କରି ପରିବାର ଚଳାଉଥିଲେ, ରୋଗୀଣା ସ୍ୱାମୀର ଚିକିତ୍ସା କରାଉଥିଲେ ସିଏ ଆଜି ଚାଲିଯାଇଛି । ଆଉ ଏବେ କେମିତି ଚଳିବେ? କଣ ଖାଇବେ? ସେହି ଚିନ୍ତାରେ ବାହୁନି ବାହୁନି କାନ୍ଦୁଛନ୍ତି ମହିଳା ଜଣକ ।
ବାଲେଶ୍ୱର ମେଘଡ଼ମ୍ବୁରୁ ଆଲୁପୁର ଗାଁର ୫ ଜଣଙ୍କୁ ନେଇ ରବି ଜେନାଙ୍କ ପରିବାର । ଆଜି କି କାଲି ନୁହେଁ ବରଂ ଦୀର୍ଘଦିନ ହେଲାଣି ପକ୍ଷଘାତରେ ପଡିଛନ୍ତି ରବି । ସ୍ୱାମୀ ଭଲ ଥିବା ବେଳେ ଯାହା ଯେତିକି ରୋଜଗାର କରୁଥିଲେ ସେତିକିରେ ପରିବାର ଚଳୁଥିଲା । ହେଲେ ରବି ପାରାଲିସିସ୍ ରୋଗରେ ପଡିବା ପରେ ଏବେ ସ୍ଥିତି ପୂରା ସଙ୍ଗୀନ । ତା’ ସାଙ୍ଗକୁ ପୁଣି ଘରେ ଦିବ୍ୟାଙ୍ଗ ଝିଅ ଓ ଜ୍ୱାଇଁ ବି ରହୁଛନ୍ତି । ତେଣୁ ଏମିତି ସ୍ଥିତିରେ ପେଟକୁ ଗଣ୍ଡେ ଦାନା ଦେବା ପାଇଁ ଗାଈ ରଖିଥିଲେ ରବିଙ୍କ ସ୍ତ୍ରୀ ପଦ୍ମାବତୀ । ଗାଈ କ୍ଷୀର ବିକ୍ରି କରି ପୂରା ପରିବାର ଚଳୁଥିଲା...ହେଲେ ଆଜି ସେହି ଗାଈକୁ ଛଡେଇ ନେଲା ଦୈବ...ଆଉ ଗାଈର ମୃତ୍ୟୁ ପରେ ଏବେ କଇଁକଇଁ ହୋଇ କାନ୍ଦୁଛନ୍ତି ପଦ୍ମାବତୀ ।
ପ୍ରତିଦିନ ପରି ସେଦିନ ବି ସକାଳୁ କ୍ଷୀର ଦୁହାଁ ସରିବା ପରେ ଚରିବାକୁ ଦୁଇଟି ଗାଈଙ୍କୁ ଛାଡିଦେଇଥିଲେ ପଦ୍ମାବତୀ । ହେଲେ ସେ ସ୍ୱପ୍ନରେ ସୁଧା ଭାବିନଥିଲେ କି କିଛି ଅଘଟଣ ହେବ ବୋଲି । ଗାଁ ପାଖରେ ଥିବା ପଡିଆରେ ଚରୁଥିବା ବେଳେ ହଠାତ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ ଦୁଇଟି ଗାଈ । ଆଉ ବର୍ଷା ଦିନରେ ପାଣି ଜମିଥିବାରୁ ଘଟଣାସ୍ଥଳରେ ହିଁ ଦୁଇଟି ଗାଈଙ୍କର ଚାଲିଯାଇଥିଲା ପ୍ରାଣ ।
ଗାଈ ମରିଯିବାର ଖବର ପାଇବା ପରେ ଦଉଡି ଯାଇଥିଲେ ପଦ୍ମାବତୀ । ଅତି ଶ୍ରଦ୍ଧାରେ ପାଳିଥିବା ଗାଈର ଆଖି ସାମ୍ନାରେ ଏମିତି ମୃତ୍ୟୁକୁ ସହଜରେ ସେ ଗ୍ରହଣ କରିପାରିନଥିଲେ । ଆଉ ଟାଟାପାୱାରର ଭୁଲ ପାଇଁ ଆଜି ଦୁଇଟି ଗାଈଙ୍କର ମୃତ୍ୟୁ ହେବାରୁ କ୍ଷତିପୂରଣ ଲାଗି ଅଡି ବସିଥିଲେ ଗ୍ରାମବାସୀ । ସେପଟେ ଘଟଣାସ୍ଥଳକୁ ଆସି ଟାଟାପାୱାର କର୍ମଚାରୀ ବିଜୁଳି ପାଇଁ ଗାଈଙ୍କର ପ୍ରାଣ ଯାଇଥିବା ହୃଦବୋଧ କରିଥିଲେ । ହେଲେ ଗାଈ ଦୁଇଟି ଚାଲିଯିବା ପରେ ଏବେ ପରିବାର କେମିତି ଚଳିବ ସେଇ ଚିନ୍ତାରେ ଭାଙ୍ଗିପଡିଛନ୍ତି ପୂରା ପରିବାର ।
(ବାଲେଶ୍ୱରରୁ ରଣଜୀତ ପାକଳଙ୍କ ରିପୋର୍ଟ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)