• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କାଠ ଚୁଲି...ଲୁହା କଢେଇ...ପୂରା ଦେଶୀ ଷ୍ଟାଇଲ୍‌ରେ ଦିଆଯାଉଛି ଛୁଙ୍କ । ପୁଣି ପଥୁରିଆ ଶିଳରେ ବଟାଯାଏ ଅଦା, ରସୁଣ ସହିତ ଗୋଟା ସୋରିଷ । ଏସବୁ ଦେଖିଲେ ଯାହାକୁ ନା ତା’କୁ ଖାଇବାକୁ ହେବ ଇଚ୍ଛା । ହେଲେ ସେ ଯେଉଁ ବୟସରେ ଘରେ ବିଶ୍ରାମ ନେବାର କଥା ସେହି ବୟସରେ ରୋଷେଇ କରି ସମସ୍ତଙ୍କର ଜିଣୁଛନ୍ତି ମନ ।

ଗୋଡ଼ହାତ ଥରୁଛି... ଆଖିକୁ ଭଲରେ ଦେଖା ଯାଉନି । ଚମ ଧୁଡୁଧୁଡୁ ହେଲାଣି.. ଦେହରେ ଆଉ ବଳ ବି ନାହିଁ । ବୟସ ୮୦ ପାର୍‌ ହେଲାଣି । କିନ୍ତୁ ରୋଷେଇ ନିଶା ତାଙ୍କୁ ଏମିତି ପାଗଳ କରିଦେଇଛି ଯେ ଦିନରାତି ଯେତେବେଳେ ସମୟ ମିଳୁଛି ସେତେବେଳେ କରୁଛନ୍ତି ରୋଷେଇ । ଜାଣି ଆଶ୍ଚର୍ଯ୍ୟ ହେବେ କି ନିଜ ବାଡିରୁ ପରିବା ତୋଳି ଆଣିବା ପରେ ନିଜ ଷ୍ଟାଇଲରେ କରୁଛନ୍ତି ରୋଷେଇ ।

ଆମିଷଠୁ ନିରାମିଷ...ପିଠାପଣାରୁ ଦେଶୀ ଷ୍ଟାଇଲର ତରକାରୀ । କମ୍‌ ତେଲ-ମସଲାରେ ଏମିତି ଛୁଙ୍କ ଦେଉଛନ୍ତି ଯେ ଖାଇବା ଲୋକ ହିଁ ତା’ର ମଜା ପାଇଛି । ବୃଦ୍ଧା ଜଣକ ହେଉଛନ୍ତି ଯାଜପୁର ଦେଉଳକଣ ଗାଁର କୋକିଳା ନାୟକ । ଘରେ ପୁଅ-ବୋହୂ ସମସ୍ତେ ଅଛନ୍ତି । କିନ୍ତୁ କୋକିଳା ନିଜେ ରୋଷେଇ କରି ସମସ୍ତଙ୍କୁ ପରସି ଦେବା ସହିତ ସୋସିଆଲ ମିଡିଆରେ ବି ପୋଷ୍ଟ କରନ୍ତି । ଯେଉଁଥି ଲାଗି ତାଙ୍କୁ ଏବେ ଅନେକ ଫଲୋ ବି କରୁଛନ୍ତି ।

ସୋସିଆଲ ମିଡିଆରେ ସେ ଯେଉଁ ଆକାଉଣ୍ଟରେ ଭିଡିଓ ପୋଷ୍ଟ କରୁଛନ୍ତି ସେଥିରେ ପୂରା ଦେଶୀ ଷ୍ଟାଇଲର ରୋଷେଇ ହିଁ ପ୍ରସ୍ତୁତ କରାଯାଉଛି । ଯେମିତିକି ଶାଗ ଖରଡା,ବାଇଗଣ ପୋଡା ଓ ଜାଇ ରାଗଡା ଡାଲି । ଖଇଚଲା,ଡାଲିଘୋଟା ଓ ଶୀଳରେ ମସଲା ବଟା ସମୟର ଭିଡିଓବି ବେଶ୍‌ ଲୋକପ୍ରିୟ ହୋଇଛି ।

୨୦୨୧ ମସିହାର କଥା । ଦିନେ ଘରେ ଶାଶୂ ଓ ବୋହୂ ଉଭୟେ ରୋଷେଇ କରିଥିଲେ । ହେଲେ ପିଲାଙ୍କୁ ବୁଢୀ ମାଆର ହାତ ତିଆରି ରାନ୍ଧଣା ବେଶ୍‌ ଭଲ ଲାଗିଲା । ତେଣୁ ସେହିଦିନରୁ ହିଁ ସମସ୍ତେ ଜେଜେ ମାଆଙ୍କ ହାତ ତିଆରି ଖାଇବା ସହିତ ନିଜର ଏକ ସୋସିଆଲ ପେଜ୍‌ କରିବାକୁ ଚିନ୍ତା କଲେ । ଆଉ ସେବେଠାରୁ ସଜନା ଶାଗ ମୁଗଯାଇ ଖରଡା,ସାରୁ କାହାଳି, ବୋଇତାଳୁ ଡଙ୍କ ରାଇ,ଛତୁ ପତ୍ରପୋଡ଼ା,ଚୁନାମାଛ ପତ୍ରପୋଡ଼ା,ଚିଙ୍ଗୁଡ଼ି ଶୁଖୁଆ ପୋଇପତ୍ର ଛେଚଡ଼ା, ଶୁଖୁଆ ବେସର,ଆଦି ବିଭିନ୍ନ ଆମିଷ ଓ ନିରାମିଷ ବ୍ୟଞ୍ଜନ ପ୍ରସ୍ତୁତ କରାଯିବା ସହିତ ସାଇଟ୍‌ରେ ଅପଲୋଡ୍‌ କରାଯାଉଛି ।

ଜାଣିଆଶ୍ଚର୍ଯ୍ୟ ହେବେ କି ଘରେ ରୋଷେଇ କରିବାର ଯେଉଁ ଭିଡିଓ ସବୁ ଅପଲୋଡ୍‌ ହେଉଛି ତାହା ଦ୍ୱାରା ସେମାନେ କିଛି ରୋଜଗାର କରିପାରୁଛନ୍ତି । ତେଣୁ ପୂରା ପରିବାର ଏବେ ଖୁସିରେ ଅଛନ୍ତି । ଆଜିକା ସମୟରେ ଫାଷ୍ଟଫୁଡ୍‌ ଖାଇ ଅନେକ ଅସୁସ୍ଥ ହେଉଥିବା ବେଳେ ଏମିତି ଦେଶୀ ଖାଦ୍ୟ ଖାଇଲେ କେବେ ଦେହ ଖରାପ ହେବନି ବୋଲି କହୁଛନ୍ତି ଜେଜେମାଆଙ୍କ ସହ ପୂରା ପରିବାର ।

 

  • Reported by:
  • JANMEJAY DASH