• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବୟସର ଅପରାହ୍ନରେ ୫ ଶହ ଟଙ୍କା ଭତ୍ତା ଲାଗି ଟ୍ରଲିରେ ବୁହା ହୋଇ ଆସିଲେ ବୃଦ୍ଧା ଜଣକ । ଏମିତି ଦୃଶ୍ୟ ଦେଖିବା ପରେ ଆପଣଙ୍କୁ ନିଶ୍ଚୟ କଷ୍ଟ ଲାଗିବ, ଆଉ ପ୍ରଶାସନକୁ ପ୍ରଶ୍ନ କରିବେ ଭତ୍ତା ଗଣ୍ଡାକ ଲାଗି ଏ ଅବସ୍ଥାରେ ପୌର ପରିଷଦ କାର୍ଯ୍ୟାଳୟକୁ ଆସିବା କଣ ନିହାତି ଦରକାର? ହଁ...ଦର୍ଶକବନ୍ଧୁ ନିହାତି ଦରକାର । କାରଣ ପୌର ପରିଷଦ କାର୍ଯ୍ୟାଳୟକୁ ନଆସିଲେ ଭତ୍ତା ମିଳିବ ନାହିଁ, ସେଇଥି ଲାଗି ତ ଭଙ୍ଗା ଟ୍ରଲିରେ ପୌର କାର୍ଯ୍ୟାଳୟକୁ ଏମିତି ବୁହା ହୋଇ ଆସିଲେ ବୃଦ୍ଧା ଜଣକ ।

ଗଜପତି ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ । ୧୨ ନମ୍ବର ୱାର୍ଡର ଲବଙ୍ଗ ଗୟା । ବୟସ ୯୫ ହେଲାଣି । ସରକାରୀ ନିୟମ ଅନୁସାରେ ତାଙ୍କୁ ୭୦୦ ଟଙ୍କା ଭତ୍ତା ମିଳିବାର କଥା । ହେଲେ ୭ ଶହ ତ ଦୂରର କଥା ୫୦୦ ଟଙ୍କା ଭତ୍ତା ବି ତାଙ୍କ ଲାଗି ସ୍ୱପ୍ନ ହୋଇଛି । ପ୍ରଥମତଃ ଘର ପାଖରେ ଭତ୍ତା ଟଙ୍କା ମିଳୁଥିଲା । ହେଲେ ପରବର୍ତ୍ତୀ ସମୟରେ ବ୍ୟାଙ୍କ ଆକାଉଣ୍ଟଙ୍କୁ ଯାଇଥିଲା ଭତ୍ତା ଟଙ୍କା ।

କିନ୍ତୁ ବ୍ୟାଙ୍କ ଆକାଉଣ୍ଟରେ କୌଣସି ସମସ୍ୟା ଦେଖାଯିବା ପରେ ଭତ୍ତା ଆସିବା ବନ୍ଦ ହୋଇଗଲା । ୫୦୦ ଟଙ୍କା ଭତ୍ତା ଉପରେ ନିର୍ଭର କରନ୍ତି ଲବଙ୍ଗ । ହେଲେ ଏହା ବନ୍ଦ ହେବା ପରେ କେମିତି ଭତ୍ତା ଟଙ୍କା ମିଳିବ ସେନେଇ ପରିବାର ଲୋକେ ଚିନ୍ତା କରିଥିଲେ, ଶେଷରେ ଭଙ୍ଗା ଟ୍ରଲିରେ ବୋହି ବୋହି ପ୍ରଥମେ ବ୍ୟାଙ୍କ ପରେ ପୌର ପରିଷଦ କାର୍ଯ୍ୟାଳୟକୁ ବୁହା ହୋଇ ଯାଇଥିଲେ ଲବଙ୍ଗ । ଯାହାର ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଥିଲା । ସେପଟେ ଘଟଣା ଜାଣିବା ପରେ ପାରଳା ପୌର ପରିଷଦର ନିର୍ବାହୀ ଅଧିକାରୀ କହିଛନ୍ତି ଘଟଣାର ଅନୁଧ୍ୟାନ କରିବା ସହ କାର୍ଯ୍ୟନୁଷ୍ଠାନ ନିଆଯିବ ।

 

ଗରିବ ଖଟିଖିଆଙ୍କ ଲାଗି ମାଳମାଳ ଯୋଜନା କରିଛନ୍ତି ରାଜ୍ୟ ସରକାର । ହେଲେ ପ୍ରକୃତ ହିତାଧିକାରୀଙ୍କ ପାଖରେ ଯୋଜନା ନପହଞ୍ଚି କେମିତି ବାଟବଣା ହେଉଛି ସେ ଦୃଶ୍ୟ ଆପଣଙ୍କ ସାମ୍ନାରେ ।

(ପାରଳାଖେମୁଣ୍ଡିରୁ ଆଦର୍ଶ ଦାସଙ୍କ ରିପୋର୍ଟ)