/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686477536.jpg)
Awas scheme
ଭଙ୍ଗାଦଦରା ଛପର ଘର । କାନ୍ଥରୁ ମାଟି ଖସିଗଲାଣି....ଯେତେ ଲିପିଲେ ବି ମାଟି ଆଉ ଧରୁନି । ଆଉ ସେହିଘରେ ଚିରା ଦଦରା ପାଲ ପକାଇ ରହୁଛନ୍ତି ୩ ପ୍ରାଣୀ କୁଟୁମ୍ବ । ଘରର ଅବସ୍ଥା ଦେଖିଲେ ଭିତରକୁ ଯିବାକୁ ଡର ଲାଗିବ କିନ୍ତୁ ନିଜ ଜୀବନକୁ ବାଜିରେ ଲଗାଇ ଘରେ ରହୁଛନ୍ତି ଗୋଟିଏ ପରିବାର । ଯେଉଁଠି ଶୋଇବା ସେଇଠି ଖାଇବା ବି ହେଉଛି । ଘର ଖଣ୍ଡିଏ ଲାଗି ବାରମ୍ବାର ପ୍ରଶାସନ ପାଖରେ ଗୁହାରି କରିବା ପରେ ବି ମିଳୁନି କୌଣସି ସହାୟତା । ତେଣୁ ବାଧ୍ୟ ହୋଇ ଏମିତି ଘରେ ରହୁଛନ୍ତି ପୂରା ପରିବାର ।
ଖଡ଼ିଆଳ ବ୍ଲକର ଭୁଲିଆ ସିକୁଆଁ ଗାଁରେ ରହୁଛନ୍ତି ଗୁରୁବାରୁ ଶବର । ସ୍ତ୍ରୀ କୁମାରୀ ଓ ଗୋଟିଏ ମାତ୍ର ଝିଅକୁ ନେଇ ହସଖୁସିରେ ଚାଲୁଥିଲା ସଂସାର । କିନ୍ତୁ ଦିନ ଏବେ ଯେତିକି ଯେତିକି ବଢୁଛି ଗୁରୁବାରୁଙ୍କ ଦୁଃଖ ସେତିକି ସେତିକି ବଢୁଛି । ଘର ଖଣ୍ଡିଏ ନଥିବାରୁ ବର୍ଷେ କି ୨ ବର୍ଷ ନୁହେଁ ବରଂ ୩୦ ବର୍ଷ ହେଲାଣି ପୋଖରୀ କୂଳରେ ରହୁଛନ୍ତି ଗୁରୁବାରୁଙ୍କ ପରିବାର ।
ଥରେ କି ଦୁଇଥର ନୁହେଁ ବରଂ ବାରମ୍ବାର ଘର ଖଣ୍ଡିଏ ଲାଗି ପ୍ରଶାସନ ପାଖକୁ ଦଉଡିଛନ୍ତି ସେ । ହେଲେ ନିଜ ନାଁରେ ଢିଅ ଖଣ୍ଡେ ନଥିବାରୁ ଏଯାଏଁ ତାଙ୍କୁ ମିଳିପାରିନି ଘର । ଘର ନଥିବାରୁ ବଡ କଷ୍ଟରେ ଏଇ ଭଙ୍ଗାଘରେ ସେ ଦିନ କାଟୁଛନ୍ତି । କିଛିଦିନ ତଳେ ଶଶ୍ୱୁର ଘର ଜାଗାରେ ଘର ଖଣ୍ଡିଏ କରୁଥିଲେ ହେଲେ ସେମାନେ ବିରୋଧ କରିବାରୁ ସିଏ ବି ହୋଇପାରିଲା ନାହିଁ ।
ଭୂମିହୀନଙ୍କୁ ଜାଗା ଯୋଗାଇ ଦେବାକୁ ସରକାର ଯୋଜନା କରିଛନ୍ତି । ହେଲେ ସେମାନଙ୍କୁ କିଛି ମିଳୁନି...ତେଣୁ ବାଧ୍ୟ ହୋଇ ଇଚ୍ଛା ନଥିଲେ ବି ଭଙ୍ଗାଦଦରା ଘରେ ରହୁଛନ୍ତି ପୂରା ପରିବାର । ଖରା କି ଶୀତ ଦିନରେ ଯାହା ଯେମିତି ଚଳିଯାଉଛନ୍ତି ହେଲେ ବର୍ଷା ଦିନରେ ସ୍ଥିତି ପୂରା ସଙ୍ଗୀନ । କେତେବେଳେ ପୋଖରୀ ହୁଡା ଭାଙ୍ଗିବାର ଭୟ ତ ଆଉ କେତେବେଳେ କେନାଲ ପାଣି ଡର । କିନ୍ତୁ ଉପାୟ ବି କିଛି ନାହିଁ । ଅଭାବ ଅନଟନରେ ରହୁଥିବାରୁ ଅନେକ ଥର ସରପଞ୍ଚଙ୍କ ଠାରୁ ନେଇ ପ୍ରଶାସନକୁ ଅବଗତ କରିବା ପରେ ତାଙ୍କ ଦୁଃଖ ଶୁଣିବାକୁ ସତେ ଯେମିତି କାହା ପାଖରେ ସମୟ ନାହିଁ । ତେବେ ସମୟ କହିବ କେବେ ଏଇ ପରିବାରକୁ ଘରୁ ମିଳୁଛି ।
(ଖଡିଆଳରୁ କୁନାଲ ବେହେରାଙ୍କ ରିପୋର୍ଟ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)