/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692807753.jpg)
Elderly man seeks financial assistance
ଜରି ପାଲ ତଳେ ଜୀବନ । ନୁଆଣିଆଁ ୫ ଫୁଟିଆ ଘର...କାନ୍ଥ କହିଲେ ଗଛର କିଛି ଡାଳ, ଛାତ କହିଲେ ଚିରାଫଟା ପାଲ । ଆଉ ସେହି ଘର ହିଁ ଜେଜେ-ନାତିଙ୍କ ପାଇଁ ସାଜିଛି ସାହା ଭରସା । କି ଖରା କି ବର୍ଷା କି ଶୀତ? ବର୍ଷକ ୧୨ ମାସ ଏହି ଘରେ ବିତୁଛି ଜୀବନ । ରୋଷେଇଠୁ ଖାଇବା...ଶୋଇବା ସବୁ ସେହି ଘରେ । ଆବାସ ଯୋଜନା ସେମାନଙ୍କ ଲାଗି ସତେ ଯେମିତି ସାତସପନ ପାଲଟିଛି ।
କଟକ ଆଠଗଡ଼ ବ୍ଲକ ଗୁରୁଡ଼ିଝାଟିଆ ପଞ୍ଚାୟତ କୋଳଥପଙ୍ଗୀ ଗାଁର ୭୦ ବର୍ଷୀୟ ନବୀନ ନାଏକ । ନବୀନଙ୍କ ଦୁଃଖ ନବୀନ ବାବୁଙ୍କ କାନରେ ପଡୁନି କି ତାଙ୍କୁ ସରକାରୀ ସହାୟତା ମିଳିପାରୁନି । ପ୍ରବଳ ବର୍ଷାରେ ଘରର ଅବସ୍ଥା ପୂରା ବେହାଲ ହେଲାଣି । ନୂଆ ଘରଟିଏ ତୋଳିବାକୁ ଅଣ୍ଟିରେ ଧନ ନାହିଁ । ତେଣୁ ଭଙ୍ଗା ଘରେ ବଡ ଦୁଃଖ କଷ୍ଟରେ ରହୁଛନ୍ତି ଜେଜେ ଆଉ ନାତି ।
ଦୁଃଖ ଏତିକିରେ ସରିନି । ବଡ ପୁଅ ସାପ କାମୁଡାରେ ଆରପାରିରେ । ପୁଅ ଥିବା ବେଳେ ଯାହା ଯେମିତି ରୋଜଗାର କରି ପରିବାର ପୋଷୁଥିଲା ହେଲେ ସେ ଚାଲିଯିବା ପରେ ଏବେ ଜୀବନ ତାଙ୍କର ଦୁର୍ବିସହ ହୋଇ ପଡିଛି । ପରିଣତ ବୟସରେ ନାତି ପେଟରେ ଗଣ୍ଡେ ଦାନା ଦେବାକୁ ମୂଲ ଲାଗୁଛନ୍ତି ଜେଜେ ବାପା । ଆଉ ସେତିକିରୁ ଯାହା ଯେତିକି ରୋଜଗାର ହେଲା ସେତିକିରେ ଚଳୁଛି ପୂରା ପରିବାର ।
ଘରଖଣ୍ଡିଏ ଲାଗି ସରପଂଚଙ୍କଠାରୁ ଆରମ୍ଭ କରି ଉପଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ...କାହିଁ କେତେ ଗୁହାରୀ କଲେଣି । ହେଲେ ତାଙ୍କ ଦୁଃଖ ଶୁଣିବାକୁ କାହା ପାଖରେ ସମୟ ନାହିଁ । ସେଇଥି ପାଇଁ ତ ପରିଣତ ବୟସରେ ପାଖ ପଡୋଶୀଙ୍କଠୁ ସାହାଯ୍ୟ ମାଗି ଚାଲିଛନ୍ତି ନବୀନ ଓ ତାଙ୍କ ନାତି । ଘର ଭାଙ୍ଗିବା ପରେ ନବୀନ ଜରିପାଲ ଟାଙ୍ଗି ରହିବା ସହ ଭଙ୍ଗା ଘରେ ଇଟା ଥୋଇ ରୋଷେଇ କରି ଖାଉଛନ୍ତି । ତେବେ ନବୀନଙ୍କର ଏମିତି ଅସହାୟ ଅବସ୍ଥା ଦେଖି ଘର ଖଣ୍ଡେ ଯୋଗାଇ ଦେବାକୁ ଦାବୀ କରିଛନ୍ତି ପଡୋଶୀ ।
ନବୀନଙ୍କ ଅସହାୟତା ସମ୍ପର୍କରେ ଆଠଗଡ ବିଡିଓଙ୍କୁ ପଚାରିବାରୁ ସେ କହିଛନ୍ତି, ତଦନ୍ତ କରିବି । ଘର ମିଳିନଥିଲେ ନିଶ୍ଚୟ ଘର ଯୋଗାଇ ଦିଆଯିବ । ଦର୍ଶକବନ୍ଧୁ ଗରିବ ହିତାଧିକାରୀଙ୍କୁ ଘର ଦେବାକୁ ରାଜ୍ୟ ସରକାର ଯୋଜନା ତ କରିଛନ୍ତି । ହେଲେ ପ୍ରକୃତ ହିତାଧିକାରୀ କେମିତି ଅବହେଳିତ ଅବସ୍ଥାରେ ରହିଛନ୍ତି ଏ ଘଟଣା ହିଁ ବୟାନ କରୁଛି ସବୁକିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)