• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଆଖିରେ ଆଖିଏ ଲୁହ l ହାତ ଯୋଡ଼ି ନ୍ୟାୟ ଭିକ୍ଷା କରୁଛନ୍ତି ୯୨ ବର୍ଷୀୟ ବୃଦ୍ଧ l କାନ୍ଦିକାନ୍ଦି କହୁଛନ୍ତି ମୋ କଥା କେହି ଶୁଣୁନାହାନ୍ତି l କଲେକ୍ଟର,ସବ-କଲେକ୍ଟର, SP , DG ସମସ୍ତଙ୍କୁ କହିଲି ନ୍ୟାୟ ପାଇବା ପାଇଁ, ବର୍ଷ ବର୍ଷ ଧରି ଅପେକ୍ଷା କଲିଣି l କେତେ କାହାକୁ ବି ଅଭିଯୋଗ କଲିଣି .... ହେଲେ କେହି ଶୁଣୁନାହାନ୍ତି । ବୁଢା ବୟସରେ କଣ କରିବେ ? କାହାକୁ କହିବେ ? ଉପାୟ ନପାଇ ଏମିତି କାନ୍ଦୁଛନ୍ତି ବୁଢା ମଉସା ।

ବୟସର ଅପରାହ୍ନରେ ପହଞ୍ଚିଥିବା ଶଙ୍କର ଜେନାଙ୍କ ଦୁଃଖ ଶୁଣିଲେ ଆପଣଙ୍କ ଆଖିରୁ ଝରିଆସିବ ଲୁହ । ବୟସ ୯୨ ପାର ହେଲାଣି... ଘର ନୟାଗଡ଼ ଖଣ୍ଡପଡ଼ା ବ୍ଲକ ରାଣୀପଡ଼ା ଗାଁରେ l ନ୍ୟାୟ ଟିକେ ପାଇବା ପାଇଁ ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସକୁ କେତେ ଥର ଯେ ଗଲେଣି ତାହାର କୌଣସି ହିସାବ ନାହିଁ l ନ୍ୟାୟ ପାଇବାକୁ ଆସୁଥିବା ବେଳେ ଅଫିସ ପିଣ୍ଡାରେ ବସି ଯାହାକୁ ଦେଖୁଛନ୍ତି ତାଙ୍କୁ ଗୁହାରି କରୁଛନ୍ତି । ହେଲେ ନ୍ୟାୟ ପାଇନାହାନ୍ତି ।

ବୟସ ଏତେ ହେଲାଣି ଯେ ପାଦ ବି ବୋଲ ମାନୁନି । ହେଲେ ସେ ହାର ମାନିନାହାନ୍ତି...ଅଣ୍ଟା ନଇଁ ଗଲାଣି ସତ କିନ୍ତୁ ନଇଁ ନଇଁ ଏ ଅଫିସରୁ ସେ ଅଫିସକୁ ଦଉଡୁଛନ୍ତି । ଏମିତିକି ଅଭିଯୋଗପତ୍ରର କାଗଜସବୁକୁ ଏକାଠି କଲେ ବସ୍ତାଏ ହେବ ବୋଲି କୁହନ୍ତି ଶଙ୍କର l ତେବେ ଶଙ୍କରଙ୍କ ଅଭିଯୋଗ ପ୍ରଶାସନ ବିରୋଧରେ l

ଜମିବାଡ଼ି ସବୁ ତାଙ୍କର, ହେଲେ ସବୁ ଜାଗାକୁ ମାଡ଼ି ବସିଛନ୍ତି ଦୁଇ ପୁଅ । ହେଲେ ତାଙ୍କର ଦେଖାଶୁଣା କରୁନାହାନ୍ତି କି ଭରଣପୋଷଣ କରୁନାହାନ୍ତି । ସେଇଥି ପାଇଁ ତ ବୁଢା ବୟସରେ ବାରଦୁଆର ସୁଣ୍ଢି ପିଣ୍ଡା ହେଉଛନ୍ତି ଶଙ୍କର । ଆଉ କହୁଛନ୍ତି, ବୁଢା ବୟସରେ ମୋ କଥା ଟିକିଏ ବୁଝ...ମତେ ଗଣ୍ଡାଏ ଖାଇବାକୁ ଦିଅ ।

ଆପଣଜାଣି ଆଶ୍ଚର୍ଯ୍ୟ ହେବେ, ଶଙ୍କରଙ୍କର ୪ ପୁଅ ୩ ଝିଅ ଅଛନ୍ତି l ୨ ଝିଅ ଏବଂ ଜଣେ ପୁଅର ମୃତ୍ୟୁ ହେବା ପରେ ଏବେ ୩ ପୁଅ ଓ ଜଣେ ଝିଅ ଅଛନ୍ତି । ହେଲେ ଶଙ୍କର ଏମିତି ବୁଲିବୁଲି ଖାଉଛନ୍ତି । ବର୍ଷେ କି ଦୁଇ ବର୍ଷ ନୁହେଁ ୧୮ ବର୍ଷ ହେଲାଣି ଏମିତି ଦୟନୀୟ ଅବସ୍ଥାରେ ବୁଲୁଛନ୍ତି ଶଙ୍କର । ବର୍ତ୍ତମାନ ବଡ଼ ପୁଅ ପାଖରେ କେତେବେଳେ କେମିତି ଖାଉଛନ୍ତି । ହେଲେ ଅନ୍ୟ ଦୁଇ ପୁଅ ପଚାରୁନଥିବାରୁ ସେମାନଙ୍କ ନାଁରେ ହାଇକୋର୍ଟରୁ ଆରମ୍ଭ କରି ମାନବାଧିକାର କମିଶନ ପର୍ଯ୍ୟନ୍ତ ଅଭିଯୋଗ କଲେଣି । ହେଲେ ଲାଭ ମିଳୁନି ।

ବାପାଙ୍କ ଏଭଳି ଅଭିଯୋଗକୁ କିନ୍ତୁ ଖଣ୍ଡନ କରିଛନ୍ତ ପୁଅ । କହିଛନ୍ତି, ଆମ କଥା ସେ ଶୁଣନ୍ତି ନାହିଁ କି ଟଙ୍କା ଦେଲେ ନିଅନ୍ତି ନାହିଁ ।  ହାଇକୋର୍ଟ ଭରଣପୋଷଣ ବାବଦକୁ ଟଙ୍କା ଦେବାକୁ ନିର୍ଦେଶ ଦେବା ପରେ ଉପଜିଲ୍ଲାପାଳଙ୍କ ନିକଟରେ ଏହି କେଶ ରହିଛି l ତେବେ କେବେ ବାପ-ପୁଅଙ୍କ ମଧ୍ୟରେ ଥିବା ମନମାଳିନ୍ୟ ଠିକ୍‌ ହେବ, କେବେ ଶଙ୍କରଙ୍କ ଦୁଃଖ ଦୂର ହେବ ତାହା ସମୟ କହିବ ।

(ନୟାଗଡ଼ରୁ ଜୟେନ୍ଦ୍ର ବେହେରା)