• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭଙ୍ଗାଦଦରା ଘର, ଦାଣ୍ଡ ଦୁଆରେ ଅନେକ ସମୟରେ ଛିଡ଼ା ହୋଇଛ ରହୁଛନ୍ତି ଦୁଇ ଭଉଣୀ । ଆଖି ଦୁଇଟିକୁ ଅନାଇଲେ ସ୍ପଷ୍ଟ ଜଣାପଡ଼ିବ କି ସେମାନେ କେତେ ନିଷ୍ପାପ । ଦୁନିଆ କଣ ଜାଣିବା ପୂର୍ବରୁ ଦୁନିଆର ଆଲୋକ ଦେଖାଇଥିବା ଲୋକ ହିଁ ତାଙ୍କ ପାଖକୁ ଚାଲିଯାଇଛନ୍ତି । ଯେଉଁ ବୟସରେ ସ୍ନେହ ଆଉ ଶ୍ରଦ୍ଧା ପାଇବାର କଥା ସେହି ବୟସରେ ନିଜର ଭବିଷ୍ୟତ ଚିନ୍ତା କରୁଛନ୍ତି ଦୁଇ ଭଉଣୀ ।

ବାପା ନାହାନ୍ତି କି ମାଆ ନାହାନ୍ତି ।  ଆଗପଛ ହୋଇ ଆରପାରିକୁ ଚାଲିଗଲେ ଉଭୟେ । ବାପା ଆଉ ମାଆଙ୍କ ଅବର୍ତ୍ତମାନରେ ଏବେ ବଡ଼ କଷ୍ଟରେ ଦିନ କାଟୁଛନ୍ତି କରଞ୍ଜିଆର ଅନିତା ଓ ସୋନାଲି । ଜଣଙ୍କୁ ୮ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କୁ ୫ । ଏ ବୟସରେ ନିଜ ହାତରେ ଖାଇବା ବି କଷ୍ଟକର ହୋଇପଡ଼ୁଥିବା ବେଳେ ପରିସ୍ଥିତର ଦାସ ହୋଇ ନିଜ କାମ ନିଜେ କରୁଛନ୍ତି ଦୁଇ ଭଉଣୀ ।

ବାପା ବଞ୍ଚିଥିବା ପରେ ଦିନ ମଜୁରିଆ ଥିଲେ । କଷ୍ଟେମଷ୍ଟେ ଯେତିକି ରୋଜଗାର ହେଉଥିଲା ସେତିକିରେ ପରିବାର ଚଳୁଥିଲା । କିନ୍ତୁ ରୋଗରେ ପଡ଼ି ଚାଲିଯିବା ପରେ ସ୍ତ୍ରୀ ଫୁଲମଣି ମୂଲ ଲାଗି ପିଲାଙ୍କ ମୁହଁରେ ଆହାର ଦେଉଥିଲେ । ପୁଣି ଥରେ ଅନିତା ଓ ସୋନାଲିଙ୍କ ପ୍ରତି ନିଷ୍ଠୁର ହେଲେ ଭଗବାନ । ଆଗେ ବାପାଙ୍କୁ ଛଡ଼େଇ ନେଇଥିଲା ଏବେ ପୁଣି ମାଆଙ୍କୁ ବି ନେଇଗଲା ।

ଖେଳିବାକୁଦିବା, ପାଠ ପଢିବା ବୟସରେ ଅନାଥ ହୋଇଗଲେ ଦୁଇ ଶିଶୁ । ଏବେ ଅନିତା ଓ ସୋନାଲିଙ୍କ ସାହାରା କହିଲେ ବୁଢା ଅଜା । ହେଲେ ତାଙ୍କର ବୟସ ବି ଏତେ ଅଧିକ ହେଲାଣି ସେ ନିଜ କାମ ଠିକ୍‌ରେ କରିପାରୁନାହାନ୍ତି । ଆଉ ଏଇ ଦୁଇ ନାତୁଣୀଙ୍କ କଥା ବୁଝିବାକୁ ତାଙ୍କ ପାଖରେ ବଳ ଆସିବ ବା କେଉଁଠୁ? ଆଗକୁ ଅନାଥ ଭଉଣୀଙ୍କ ଜୀବନ କେମିତି କଟିବ? ସେମାନଙ୍କର ଭବିଷ୍ୟତ କ’ଣ ହେବ ? ତାହାକୁ ନେଇ ଏବେ ସମସ୍ତେ ଚିନ୍ତାରେ ।

ଦୁଇ ଭଉଣୀଙ୍କର ଦୁଃଖ ଜାଣିବା ପରେ ସରପଞ୍ଚ ବ୍ଲକ୍‌ ପ୍ରଶାସନ ସହ ଆଲୋଚନ କରିଛନ୍ତି । ଖୁବଶୀଘ୍ର ଦୁଇ ଭଉଣୀଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଡିଓ ।

(ଚମ୍ପୁଆରୁ ଦୀପକ ଶତପଥୀଙ୍କ ରିପୋର୍ଟ)