• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବୟସର ଅପରାହ୍ନରେ ସବୁ ମଣିଷ ଖୋଜେ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା । ସୋରର ବୃଦ୍ଧ ଦମ୍ପତ୍ତି ବି ଠିକ୍‌ ଏମିତି କିଛି ଆଶା କରୁଛନ୍ତି । ହେଲେ ଏହା ବୋଧହୁଏ ସେମାନଙ୍କର ଭାଗ୍ୟରେ ନାହିଁ । ଭଙ୍ଗାଦଦରା ଘରେ ସେମାନେ ଏବେ ଜୀବନ ବଂଚାଇବାକୁ କରୁଛନ୍ତି ସଂଘର୍ଷ । ନା ଭଲରେ ଗଣ୍ଡେ ଖାଇପାରୁଛନ୍ତି ନା ଶାନ୍ତିରେ ଘଣ୍ଟେ ଶୋଇ ପାରୁଛନ୍ତି । ପର ଆଶ୍ରାରେ କଟୁଛି ବୁଢାବୁଢୀଙ୍କ ଜୀବନ ।

ଅଧା ଭଙ୍ଗା ଘର । ଫାଳଫାଳ ହେଲାଣି ଆଜବେଷ୍ଟସ୍‌ । ଦଲକାଏ ପବନ ଦେଲେ ଘର ଉପରୁ ଛପର ଉଡିଯିବାର ସମ୍ଭାବନା ବି ରହିଛି । ସ୍ଥିତି ଏମିତି ହେଲାଣି ଦିନରେ ସୂର୍ଯ୍ୟ ଓ ରାତିରେ ଦିଶୁଛନ୍ତି ଚନ୍ଦ୍ର । ହେଲେ ସେମାନଙ୍କ ପାଖରେ ଉପାୟ ବି କିଛି ନାହିଁ । ସେଇଥି ଲାଗି ତ କଷ୍ଟେମଷ୍ଟେ ଭଙ୍ଗା ଘରେ ରହୁଛନ୍ତି ଦମ୍ପତି ।

ବାଲେଶ୍ୱର ସିମୁଳିଆ ବ୍ଲକ ବଙ୍ଗାଳପୁର ଗାଁରେ ରହୁଥିବା ଦମ୍ପତି ଜଣକ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ଓ ପଦ୍ମିନୀ । ସେମାନଙ୍କ ଦୁଃଖ ଦେଖିଲେ ଆପଣଙ୍କ ଆଖିରେ ବି ଜକାଇ ଆସିବ ଲୁହ । ବୟସ ୭୫ ପାର୍‌ ହେଲାଣି । ଦୁଇ ଝିଅଙ୍କୁ ବାହାଘର କରିବା ପରେ ମୁଣ୍ଡ ଗେଂଜିବାକୁ ଘର ଖଣ୍ଡିଏ କରିଥିଲେ । ହେଲେ ସମୟକ୍ରମେ ଘରର ଅବସ୍ଥା ଏବେ ପୂରା ସଙ୍ଗୀନ ହେଲାଣି । ଢୁ ଢୁ ବର୍ଷା ହେଲେ ଘର ଭିତରେ ହାତେ ଉଚ୍ଚର ପାଣି ଲହରୀ ମାରୁଛି । ଆଉ ତାହାରି ଭିତରେ ବଡ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି ସେମାନେ ।

ନିଜେ ଏତେ ଅସହାୟ ଅବସ୍ଥାରେ ରହୁଥିଲେ ବି ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିବା କେବେ ଭୁଲିନାହାନ୍ତି କି ତାଙ୍କ ଆସ୍ଥାନରେ ସାମାନ୍ୟତମ ଧୂଳି ଲାଗିବାକୁ ଦେଇନାହାନ୍ତି । ବରଂ ପ୍ରତିଦିନ ସକାଳୁ କାଳିଆ ସାଆନ୍ତଙ୍କୁ ପୂଜା କରୁଛନ୍ତି । ଦୁଃଖ ଶୁଣିବାକୁ ଗୁହାରି କରୁଛନ୍ତି । କାଳିଆ ସାଆନ୍ତ ବି ବୋଧହୁଏ ଅଳ୍ପବହୁତେ ସେମାନଙ୍କ ଦୁଃଖ ଶୁଣୁଛି । ସେଇଥି ଲାଗି ତ ବୃଦ୍ଧ ଦମ୍ପତିଙ୍କ ମୁହଁରେ ଆହାର ଦେବାକୁ ଗାଁ ଲୋକଙ୍କୁ ପଠାଇଛି ।

ଯିଏ ଯାହା ପାରିଲା ସାହାଯ୍ୟ କଲା । ଦିନ ହେଉ କି ରାତି...ଗାଁ ଲୋକେ ରୋଷେଇ କରି ଆଣି ଦେଉଛନ୍ତି । ଖୁଆଇ ଦେଉଛନ୍ତି । ୪ ବର୍ଷ ହେଲାଣି ରୋଗରେ ପଡିଲେଣି ପୂର୍ଣ୍ଣଚନ୍ଦ୍ର । ଅନେକ ସମୟରେ ସେ ଚାଲିବୁଲି ବି ପାରୁନାହାନ୍ତି । ତେଣୁ ଟେକାପକା ବି କରୁଛନ୍ତି ଗାଁ ଲୋକେ । ଆଉ ସରକାରୀ ସହାୟତା କହିଲେ ମାସକୁ ହଜାରେ ଟଙ୍କା ଭତ୍ତା...୧୦ କିଲୋ ଚାଉଳ । ଏତିକି ଟଙ୍କା ଔଷଧକୁ ନିଅଣ୍ଟ ହେଉଛି । ଖାଇ ପିଇ ଚଳିବେ କେମିତି? ତେଣୁ ତୁରନ୍ତ ଏମାନଙ୍କୁ ଅନ୍ତଦ୍ୱୟ କାର୍ଡ ଦେବା ସହିତ ଅନ୍ୟ ସରକାରୀ ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି ଗାଁ ଲୋକେ ।

 

  • Reported by:
  • Niranjan Behera