• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବିଛଣାରେ ମାଆ ଶୋଇଛି...ୱାକର ଧରି ବାପା ଚାଲୁଛନ୍ତି । ଅବସ୍ଥା ଦେଖିବା ପରେ ସ୍ପଷ୍ଟ ଜଣାପଡ଼ିବ କି ବୟସାଧିକ କାରଣ ଲାଗି ଏବେ ରୋଗ ଶଯ୍ୟାରେ ପଡିଛନ୍ତି । ହଁ...ଠିକ୍‌ ଅନୁମାନ କରୁଛନ୍ତି । ସ୍ୱାମୀ-ସ୍ତ୍ରୀ ଉଭୟେ ରୋଗଗ୍ରସ୍ତ । ବିନା ସାହାରାରେ ବାଟ ଚାଲିବା ସେମାନଙ୍କ ପକ୍ଷରେ ସମ୍ଭବ ନୁହେଁ । କିନ୍ତୁ ସାହାରା ଦେବା ଲୋକ ଏବେ ସେମାନଙ୍କୁ ବେସାହାରା କରିଦେଇଛନ୍ତି ।

ତିନି ତିନିଟି ପୁଅ, ଗୋଟିଏ ଝିଅ ଜନ୍ମ କରିଥିଲେ ସେମାନେ । ଭାବିଥିଲେ ବୟସର ଅପରାହ୍ନରେ ସାହାରା ହେବେ, ରାନ୍ଧି ବାଢି ଖାଇବାକୁ ଦେବେ ଆଉ ସେବା କରିବେ । ହେଲେ ସେହି ଦମ୍ପତିଙ୍କର ସବୁ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା । ଘରେ ଧନ ସମ୍ପତ୍ତିର କିଛି ଅଭାବ ନାହିଁ । ବାସ୍‌ ଅଭାବ ଅଛି ତ ପିଲାଙ୍କର ସେବା ଆଉ ଶ୍ରୁଶ୍ରୁଷାର ।

ଗଞ୍ଜାମ ଜଗନ୍ନାଥ ପ୍ରସାଦ କୁଡୁତାଇ ଗାଁର ସୁଦାମ ନାୟକ । ବୟସ ୮୫ ଡେଇଁଲାଣି । ଏ ବୟସରେ ଚାଲିବା ବୁଲିବା ବି ତାଙ୍କ ପକ୍ଷରେ କଷ୍ଟକର । ଯାହା ଯେମିତି ଚାଲୁଥିଲେ ହେଲେ ପାରାଲିସିସ୍‌ ଆକ୍ରାନ୍ତ ହେବା ପରେ ବିନା ୱାକରରେ ଚାଲିବା ତାଙ୍କ ପକ୍ଷରେ ଅସମ୍ଭବ ହୋଇପଡିଛି । ସେପଟେ ସ୍ତ୍ରୀ କୁମୁଦିନୀ ବି ରୋଗରେ ପଡିଛନ୍ତି । ଏମିତିକି ଦିନ ରାତି ଏଇ ବିଛଣାରେ ସେ ଶୋଇରହିଛନ୍ତି । ବିନା ସାହାରାରେ ସେ କଡ ବି ଲେଉଟାଇପାରନ୍ତି ନାହିଁ । ସୁଦାମ ନିଜେ ନିଜ କାମ କରିବା କଷ୍ଟସାଧ୍ୟ ହେଉଥିବା ବେଳେ ସ୍ତ୍ରୀଙ୍କ ଯତ୍ନ ନେବେ ବା କେମିତି ?

ତିନିତିନୋଟି ପୁଅ-ଗୋଟିଏ ଝିଅ ଅଛନ୍ତି । ସେମାନେ ବାପା-ମାଆଙ୍କ ସେବା କରୁନାହାନ୍ତି କାହିଁକି ? ହେଲେ ଘଟଣାର ସତ ଜାଣିଲେ ଆଖିରୁ ବୋହିଯିବ ଧାରଧାର ଲୁହ । କାରଣ ୨ ଦିନ ତଳେ ମଝିଆ ପୁଅ ଭୁବନେଶ୍ୱରରୁ ଆଣି ଗାଁରେ ବାପା-ମାଆ ଦୁହିଁଙ୍କୁ ଛାଡିଦେଇ ଚାଲିଗଲା । ଗଲା ବେଳେ କହିଗଲା ମୁଁ ୯ ମାସ ରଖିଲି ଏବେ ବଡ ଓ ସାନ ପୁଅ ପାଖରେ ରୁହ । ଗାଁରେ ସାନ ପୁଅ ରହୁଥିଲେ ବି ବାପା ମାଆକୁ ଦେଖିବାକୁ ଆସୁନି । ଆଉ ଏମିତି ସ୍ଥିତିରେ କେମିତି ରହିବେ ? କଣ ଖାଇବେ ସେଇ ଚିନ୍ତାରେ କାନ୍ଦି କାନ୍ଦି ଦିନ କାଟୁଛନ୍ତି ସୁଦାମ ।

ଜାଣି ଆଶ୍ଚର୍ଯ୍ୟ ହେବେ କି ସୁଦାମ ବନବିଭାଗରେ ଚାକିରି କରିଥିଲେ । ୧୯୯୦ ମସିହାରେ ପୁଅକୁ ଚାକିରି ଦେବାକୁ ନିଜେ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ଆଉ ପୁଅକୁ ଚାକିରି ଦେଇଥିଲେ । ଭାବିଥିଲେ ବୁଢା ବେଳେ ପୁଅ ଭଲରେ ଦେଖାରେଖା କରିବ, ହେଲେ ସବୁ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା । ଏବେ ପୁଅ ପଚାରିବାର ତ ଦୂରର କଥା ପାଖକୁ ବି ଆସୁନି । ସେପଟେ ସୁଦାମଙ୍କ ଏପରି ଅବସ୍ଥା ଦେଖି ପଡୋଶୀ ଖାଇବାକୁ ଦେଉଛନ୍ତି ସେବା ବି କରୁଛନ୍ତି । ଆଉ କହୁଛନ୍ତି ଏମିତି ପୁଅ ଝିଅଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉ ପ୍ରଶାସନ । ସେପଟେ ଏଇ ଘଟଣାରେ ସୁଦାମଙ୍କ ପୁଅ- ଝିଅଙ୍କର ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।

 

  • Reported by:
  • Rajesh Kumar Panda