/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694535074.jpg)
Divyang teacher
ପିଲାମାନେ ଧାଡି ହୋଇ ବସିଛନ୍ତି । ସେମାନଙ୍କ ମଝିରେ ବସିଛନ୍ତି ଶିକ୍ଷକ । ଖାତାରେ ଗାର ଟାଣି ୧ରେ ୧ ମିଶିଲେ କେତେ? ଏକକ ସଂଖ୍ୟା କଣ? କିଛି ଏମିତି ଗଣିତ ପଢାଉଛନ୍ତି ଶିକ୍ଷକ ଜଣକ । ଏମିତି ଦୃଶ୍ୟ ଦେଖିବା ପରେ ଆପଣ କହିପାରନ୍ତି ସବୁ ଶିକ୍ଷକ ତ ଏମିତି ପିଲାଙ୍କୁ ପାଠ ପଢାନ୍ତି ...ଏଥିରେ ନୂଆ କଣ ? ନୂଆ ଅଛି ...କାରଣ ସିଏ ଜଣେ ସାଧାରଣ ନୁହେଁ ବରଂ ଦିବ୍ୟାଙ୍କ ଶିକ୍ଷକ । ସେଇଥି ଲାଗି ତ ତାଙ୍କୁ ନେଇ ଏବେ ସବୁଠି ଚାଲିଛି ଚର୍ଚ୍ଚା ।
ସେ ଦିବ୍ୟାଙ୍ଗ ହେଲେ ବି ସକ୍ଷମ । ଖାଲି କଥାରେ ନୁହେଁ ବରଂ କାମରେ କରି ଦେଖାଇଛନ୍ତି । ମନରେ ପଢିବାର ଯେତିକି ଇଚ୍ଛା ଅଛି ଗାଁରେ କୁନିକୁନି ପିଲାଙ୍କୁ ମାଗଣାରେ ପଢାଇବାକୁ ସେତିକି ଉତ୍କଣ୍ଠା ବି ରହିଛି । ସେଇଥି ଲାଗି ତ ପ୍ରତିଦିନ ସକାଳେ ଓ ସଂଜରେ ପିଲାଙ୍କୁ ପଢାଉଛନ୍ତି ପାଠ ।
ମୟୂରଭଞ୍ଜ କପ୍ତିପଦା ବ୍ଲକ ଚକ୍ରଧରପୁର ପଞ୍ଚାୟତ ସାନଜୁନୁପାଳ ଗାଁର କଙ୍କ ମୁର୍ମୁ । କଙ୍କ ଜନ୍ମରୁ ଦିବ୍ୟାଙ୍ଗ । ପିଲାବେଳୁ କଙ୍କଙ୍କ ଡାହଣ ହାତ ନଥିବାରୁ ବାମ ହାତରେ ଖାଇବାଠାରୁ ଆରମ୍ଭ କରି ସବୁ କାମ କରନ୍ତି । ଜାଣିଆଶ୍ଚର୍ଯ୍ୟ ହେବେ କି, ବାମ ହାତରେ ଖାଇବାଠୁ ଆରମ୍ଭ କରି ଅତି ସୁନ୍ଦର ଭାବରେ ଲେଖା ଲେଖି ବି କରନ୍ତି । କଙ୍କ ଏବେ ଗାଁରେ ମାଗଣାରେ ପିଲାଙ୍କୁ ପାଠ ପଢାଉଥିବା ବେଳେ ଟଙ୍କାଟିଏ ବି ପାରିଶ୍ରମିକ ନେଉନାହାନ୍ତି । ତେଣୁ ବହୁ ସଂଖ୍ୟାରେ ପିଲାମାନେ ଆସି କଙ୍କଙ୍କ ପାଖରେ ପଢୁଛନ୍ତି ।
କଙ୍କ ଏବେ ଉଦଳା କଲେଜରେ ଯୁକ୍ତତିନି ଦ୍ୱିତୀୟ ବର୍ଷରେ ପଢ଼ୁଛନ୍ତି । ନିଜେ ପଢିବା ସହିତ ପିଲାଙ୍କୁ ପଢାଇବାରେ ଟିକିଏ ବି ଅବହେଳା କରୁନାହାନ୍ତି । ବରଂ କହିଛନ୍ତି, ଗାଁର ପ୍ରତିଟି ପିଲା କେମିତି ଭଲରେ ପଢିବେ ସେଥିଲାଗି ମୁଁ ଚେଷ୍ଟା ଚଳାଉଛି ।
ପ୍ରଥମେ ପ୍ରଥମେ ଅଳ୍ପ ପିଲା ଆସୁଥିଲେ । ହେଲେ କଙ୍କଙ୍କ ପାଠପଢା ଶୈଳୀକୁ ନେଇ ଗାଁରେ ଚର୍ଚ୍ଚା ବଢିବା ପରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅନେକ ପିଲା କଙ୍କଙ୍କ ପାଖକୁ ପଢିବାକୁ ଧାଇଁ ଆସୁଛନ୍ତି । ଆଜିକା ସମୟରେ ଏମିତି ମାଗଣା ଶିକ୍ଷା ଦେଉଥିବା ଶିକ୍ଷକ ଦେଖାଯାଉନଥିବା ବେଳେ କଙ୍କଙ୍କର ନିଷ୍ପତ୍ତିକୁ ସମସ୍ତେ କରୁଛନ୍ତି ଭୂରି ଭୂରି ପ୍ରଶଂସା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)